ବିଶ୍ବବ୍ୟାଙ୍କ ସଭାପତି ଦୌଡ଼ରେ ନାହାନ୍ତି ଇଭାଙ୍କା

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ତଥା ତାଙ୍କର ବରିଷ୍ଠ ଉପଦେଷ୍ଟା ଇଭାଙ୍କା ଟ୍ରମ୍ପ ବିଶ୍ବ ବ୍ୟାଙ୍କର ସଭାପତି ଦୌଡ଼ରେ ନାହାନ୍ତି। ତେବେ ସଭାପତି ପ୍ରାର୍ଥୀ ଚୟନରେ ସେ ଯୁକ୍ତରାଷ୍ଟ୍ର ଆମେରିକାକୁ ସହାୟତା କରିବେ ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ଫଳରେ ଇଭାଙ୍କା ଟ୍ରମ୍ପ ବିଶ୍ବ ବ୍ୟାଙ୍କର ନୂଆ ସଭାପତି ହେବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ଆପାତତଃ ପୂର୍ଣ୍ଣଛେଦ ପଡ଼ିବ।
ଉଲ୍ଲେଖଯୋଗ୍ୟ ଯେ, ଏବେ ବିଶ୍ବବ୍ୟାଙ୍କର ସଭାପତି ଭାବେ ଜିମ୍ ୟଙ୍ଗ କିମ୍ କାର୍ଯ୍ୟ କରୁଛନ୍ତି। ତେବେ ତାଙ୍କର ଦ୍ବିତୀୟ ପାଳି ଶେଷ ହେବାକୁ ଆହୁରି ୩ ବର୍ଷରୁ ଅଧିକ ସମୟ ଥିଲେ ‌ମଧ୍ୟ ଗତ ସପ୍ତାହରେ ସେ ହଠାତ୍ ତାଙ୍କ କାର୍ଯ୍ୟକାଳ କାଟଛାଣ୍ଟ କରିବେ ବୋଲି ସେ କହିଥିଲେ। ହ୍ବାଇଟ୍ ହାଉସ୍‌ର ‌ଉପ ନି‌ର୍ଦ୍ଦେଶକ (‌କମ୍ୟୁନିକେସନ୍ସ) ଜେସିକା ଡିଟୋ କହିଛନ୍ତି, ବିଶ୍ବ ବ୍ୟାଙ୍କ ଉଚ୍ଚ ପଦାଧିକାରୀଙ୍କ ସହିତ ଗତ ୨ ଦୁଇ ବର୍ଷ ହେଲା ଅତି ନିକଟରୁ ଇଭାଙ୍କା କାର୍ଯ୍ୟ କରିଛନ୍ତି। ତେଣୁ ବିଶ୍ବବ୍ୟାଙ୍କ ସଭାପତି ପଦ ପାଇଁ ଆମେରିକା ପକ୍ଷରୁ ହେବାକୁ ଥିବା ମନୋନୟନ କାର୍ଯ୍ୟରେ ଟ୍ରେଜେରି ସଚିବ ଷ୍ଟିଭେନ ମ୍ୟୁନିଚିନ୍ ଏବଂ ହ୍ବାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ମିକ୍ ମୁଲଭାନିଙ୍କୁ ସହଯୋଗ କରିବା ଲାଗି ଇଭାଙ୍କାଙ୍କୁ କୁହାଯାଇଛି ବୋଲି ଟ୍ରମ୍ପ କହିଛନ୍ତି। ଇଭାଙ୍କାଙ୍କ ନାମ ବିଚାରାଧୀନ ଅଛି ବୋଲି ଯାହା ରିପୋର୍ଟ ପ୍ରକାଶ ପାଇଛି ତାହା ଠିକ୍ ନୁହେଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର