ପ୍ରତି ୧୦ ଜଣରେ ଜଣେ ମଧୁମେହର ଶିକାର

ରବିବାରଠାରୁ ଆରମ୍ଭ ହୋଇଥିବା ତୃତୀୟ ଏଣ୍ଡୋକ୍ରାଇନ୍‌ ଓ ଡାଇବେଟିସ୍‌ ଅପ୍‌ଡେଟ୍‌ ସମ୍ମିଳନୀ ପାଇଁ ଭୁବନେଶ୍ୱର ଆସିଥିବା
ଆପୋଲୋ ସୁଗାର୍‌ କ୍ଲିନିକ୍ସର ସିଇଓ ଗଗନ ଭଲ୍ଲା ମଧୁମେହ ରୋଗର ସ୍ଥିତି, ଏହି ସମ୍ମିଳନୀ ଓ କଂପାନିର ଭବିଷ୍ୟତ ଯୋଜନା ବିଷୟରେ ଯାହା କହିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି:-

ଭାରତରେ ମଧୁମେହ ରୋଗର ସ୍ଥିତି କ’ଣ?
ଆମ ଦେଶରେ ପ୍ରତି ୧୦ ଜଣଙ୍କ ମଧ୍ୟରେ ଜଣେ ମଧୁମେହ ରୋଗୀ ରହିଛନ୍ତି। ଯଦି ୧୮ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ ବିଚାରକୁ ନିଆଯିବ ତେବେ ପ୍ରତି ୫ ଜଣରେ ଜଣେ ଲେଖାଏଁ ମଧୁମେହ ରୋଗୀ ବାହାରିବେ। ୩୦ ବର୍ଷରୁ ଅଧିକ ବୟସର ପ୍ରତି ୩-୪ ଜଣ ଲୋକଙ୍କ ମଧ୍ୟରୁ ଜଣଙ୍କଠାରେ ନିଶ୍ଚିତ ମଧୁମେହ ରୋଗ ଥିବ। ଭାରତରେ ଏବେ ୭୩ ନିୟୁତରୁ ଅଧିକ ଲୋକ ଏହି ରୋଗ ଦ୍ୱାରା ପୀଡ଼ିତ। ଆହୁରି ୩୦ ନିୟୁତ ଲୋକ ଏଭଳି ରହିଛନ୍ତି ଯେଉଁମାନଙ୍କଠାରେ ଖୁବ୍‌ଶୀଘ୍ର ଏହି ରୋଗର ଲକ୍ଷଣ ଦେଖାଦେବାର ସମ୍ଭାବନା ରହିଛି। ଆପୋଲୋ ସୁଗାର୍‌ ପକ୍ଷରୁ ପ୍ରତି ବର୍ଷ ୫ ଲକ୍ଷରୁ ଅଧିକ ଲୋକଙ୍କୁ ନେଇ ଏକ ସର୍ବେକ୍ଷଣ କରାଯାଏ। ସେଥିରୁ ଏହି ସବୁ ତଥ୍ୟ ସାମ୍ନାକୁ ଆସିଛି।

ମଧୁମେହ ରୋଗ ବୃଦ୍ଧିର ପ୍ରମୁଖ କାରଣ କ’ଣ?
କମ୍‌ ବୟସର ପିଲାମାନଙ୍କଠାରେ ମଧୁମେହ ଦେଖାଦେବାର ମୁଖ୍ୟ କାରଣ ହେଉଛି ମେଦବହୁଳତା। ଅନ୍ୟମାନଙ୍କଠାରେ ଜୀବନଶୈଳୀ ଯୋଗୁଁ ଏହି ରୋଗ ଦେଖାଦେଉଛି। ଲୋକମାନେ ଆପାର୍ଟମେଣ୍ଟରେ ରହିବା ଓ ସବୁ ସୁବିଧା ସୁଯୋଗ ହାତପାଆନ୍ତାରେ ପାଇବା ପରେ ଅଧିକ ଶାରିରୀକ ପରିଶ୍ରମ କିମ୍ବା ବ୍ୟାୟାମ କରିବାକୁ ଚାହୁଁନାହାନ୍ତି। ତାହାହିଁ ମଧୁମେହ ରୋଗ ବୃଦ୍ଧିର ଏକ ବଡ଼ କାରଣ।

ଏହି ସମ୍ମିଳନୀର ଉଦ୍ଦେଶ୍ୟ କ’ଣ?
ମଧୁମେହ ଚିକିତ୍ସା ପାଇଁ ସାରା ବିଶ୍ୱରେ ରହିଥିବା ସଦ୍ୟତମ ସୁବିଧା ସୁଯୋଗ, ପ୍ରଯୁକ୍ତି ଏବଂ ମେସିନ୍‌ଗୁଡ଼ିକ ବିଷୟରେ ଡାକ୍ତରମାନଙ୍କୁ ଜଣାଇବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ରୋଗୀମାନେ ଯେଭଳି ସର୍ବୋକୃଷ୍ଟ ସେବା ପାଇ ପାରିବେ ତାହା ନିଶ୍ଚିତ କରିବା ହେଉଛି ସମ୍ମିଳନୀ ଆୟୋଜନର ଅନ୍ୟତମ ଲକ୍ଷ୍ୟ। ଏଠାରେ ରାଜ୍ୟର ୪୦୦ ପାଖାପାଖି ଡାକ୍ତର ଏକତ୍ରିତ ହୋଇଛନ୍ତି। ସେମାନେ ଦୁଇ ଦିନ ପର୍ଯ୍ୟନ୍ତ ମଧୁମେହ ରୋଗର ବିଭିନ୍ନ ସମସ୍ୟା ଏବଂ ଏହାର ଉପଚାର ପାଇଁ ରହିଥିବା ସୁଯୋଗ ଉପରେ ମାନସ ମନ୍ଥନ କରିବେ।

ଓଡ଼ିଶା ପାଇଁ ଆପୋଲୋ ସୁଗାର୍‌ର କ’ଣ ଯୋଜନା ରହିଛି?
ଆମର ସାରା ଦେଶରେ ୫୦ଟି ସ୍ୱତନ୍ତ୍ର ଆପୋଲୋ ସୁଗାର କ୍ଲିନିକ୍‌ ରହିଛି। ସେଥି ମଧ୍ୟରୁ ଓଡ଼ିଶାରେ ଗୋଟିଏ କ୍ଲିନିକ୍‌ ଆପୋଲୋ ହସ୍‌ପିଟାଲ୍‌ ଭିତରେ ରହିଛି। ଆଗାମୀ ଦିନରେ ଆମେ ଭୁବନେଶ୍ୱରରେ ଆଉ ଗୋଟିଏ, କଟକ ଓ ପୁରୀରେ ଗୋଟିଏ ଲେଖାଏଁ କ୍ଲିନିକ୍‌ ଖୋଲିବାକୁ ଯୋଜନା ରଖିଛୁ। ଆଗାମୀ ୫-୭ ବର୍ଷ ଭିତରେ ସାରା ଦେଶରେ ଆମ କ୍ଲିନିକ୍‌ ସଂଖ୍ୟା ୩୦୦ରେ ପହଞ୍ଚିବ। ପ୍ରତିବର୍ଷ ଆମେ ୨୫ଟି ନୁଆ କ୍ଲିନିକ୍‌ ଖୋଲୁଛୁ। କ୍ଲିନିକ୍‌ ସମ୍ପ୍ରସାରଣ ବ୍ୟତୀତ ଆମେ ଆମର ତିନି ମାସିଆ ଓ ବର୍ଷିକିଆ ମଧୁମେହ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଅଧିକ ରୋଗୀଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛୁ। ରାଜସ୍ୱ ହାସଲ କରିବା କ୍ଷେତ୍ରରେ ମଧ୍ୟ ଆମ କଂପାନି ଭଲ ପ୍ରଦର୍ଶନ କରୁଛି। ଚଳିତ ବର୍ଷ ଆମେ ବ୍ରେକ୍‌ ଇଭେନ୍‌ (ନିବେଶ କରାଯାଇଥିବା ପୁଞ୍ଜିର ମୂଳଧନ) ହାସଲ କରିବୁ ବୋଲି ଲକ୍ଷ୍ୟ ରଖିଛୁ।

ସମ୍ବନ୍ଧିତ ଖବର