ଆପଣଙ୍କର ମନର ଭାବକୁ ଜାଣିପାରିବ ଫେସବୁକ

ସାନ ଫ୍ରାନ ସିସକୋ : ସୋସିଆଲ ନେଟଓ୍ଵାର୍କିଂ ସାଇଟ୍‌ ଫେସବୁକ ଏଣିକି ଲୋକମାନଙ୍କର ମନର ଭାବକୁ ଜାଣିପାରିବ । ଅର୍ଥାତ୍‌ ଆପଣ ଫେସବୁକ ବ୍ୟବହାର କଲା ବେଳେ ଖୁସି ଅଛନ୍ତି ବା କାନ୍ଦୁଛନ୍ତି ଅଥବା ରାଗିଛନ୍ତି, ତାହା ଫେସବୁକ ଜାଣିପାରିବ । ଏପରି ଦୁଇ ପ୍ରକାରର ଟେକନଲୋଜୀ ଫେସବୁକ ବିକାଶ କରିଛି ଓ ତାହାର ପେଟେଣ୍ଟ ହାସଲ କରିଛି । ଏହି ଟେକନଲୋଜୀ ଦୁଇଟିର ନାଁ ହେଉଛି ଡାଇନାମିକ ଆଇ ଟ୍ରାକିଂ କାଲିବେରେସନ ଓ ଟେକନିକ୍ସ ଫର ଇମୋସନ ଡିଟେକ୍ସନ ଏଣ୍ଡ କଣ୍ଟେଣ୍ଟ ଡେଲିଭରୀ । ଏଭଳି ଟେକନଲୋଜୀର ବ୍ୟବହାର କରାଯିବା ପରେ ଫେସବୁକ ଲୋକମାନଙ୍କ ବ୍ୟକ୍ତିଗତ ଜୀବନ, ବ୍ୟବହାର, ପ୍ରକୃତି ଆଦି ସଂପର୍କରେ ଜାଣିପାରିବ ଓ ଏହାକୁ ବ୍ୟବହାର କରି ତାହାର କ୍ଲାଏଣ୍ଟମାନେ ଲୋକମାନଙ୍କୁ ବିଭିନ୍ନ ବିଜ୍ଞାପନ ପାଇଁ ଟାର୍ଗେଟ କରିପାରିବେ । ଫେସବୁକ ପକ୍ଷରୁ ଆମେରିକା କଂଗ୍ରେସକୁ ଦିଆଯାଇଥିବା ଏକ ୨୨୯ ପୃଷ୍ଠାର ରିପୋର୍ଟରେ ଏ ସଂପର୍କରେ ଉଲ୍ଲେଖ ରହିଛି । ତେବେ ନିକଟ ଭବିଷ୍ୟତରେ ଏସବୁ ଟେକନଲୋଜୀର ବ୍ୟବହାର କରିବାର କୌଣସି ଯୋଜନା ନାହିଁ ବୋଲି ଫେସବୁକ କହିଛି । ଭବିଷ୍ୟତରେ ଯେବେ ବି ଏପରି ଟେକନଲୋଜୀର ବ୍ୟବହାର କରାଯିବ ସେତେବେଳେ ଲୋକମାନଙ୍କର ପ୍ରାଇଭେସୀ ବା ବ୍ୟକ୍ତିଗତ ଜୀବନଉପରେ ଧ୍ୟାନ ଦିଆଯିବ ବୋଲି ଫେସବୁକ ପ୍ରତିଶୃତି ଦେଇଛି । ସୂଚନାଯୋଗ୍ୟ ଯେ କେମ୍ବ୍ରିଜ ଆନାଲିଟିକା ପ୍ରସଙ୍ଗରେ ଫେସବୁକ ଗତ କିଛି ମାସ ଧରି ଆମେରିକା କଂଗ୍ରେସ ଦ୍ୱାରା ତଦନ୍ତର ସମ୍ମୁଖୀନ ହେଉଛି ।

ସମ୍ବନ୍ଧିତ ଖବର