ଦୁଇଗୁଣ ବଢିଛି ଫେସବୁକ ଇଣ୍ଡିଆର ରାଜସ୍ୱ

ନୂଆଦିଲ୍ଲୀ- ବିଶ୍ୱର ସବୁଠାରୁ ଲୋକପ୍ରିୟ ସୋସିଆଲ ନେଟଓ୍ଵାର୍କିଂ ସାଇଟ୍‌ ଫେସବୁକ୍‌ର ଭାରତୀୟ  ଶାଖା ଫେସବୁକ ଇଣ୍ଡିଆ ଅନଲାଇନ ସର୍ଭିସେସ୍‌ର ରାଜସ୍ୱ ଗତ ଆର୍ଥିକ ବର୍ଷରେ ପ୍ରାୟ ଦ୍ୱିଗୁଣିତ ହୋଇଛି । କିନ୍ତୁ ଏହି ସମୟରେ କମ୍ପାନିର ଲାଭ ପରିମାଣ ମାତ୍ର ୩୧ ପ୍ରତିଶତ ହାରରେ ବଢିଛି ।

୨୦୧୬-୧୭ରେ ଫେସବୁକ ଇଣ୍ଡିଆର ମୋଟ ରାଜସ୍ୱ ପରିମାଣ ୯୩ ପ୍ରତିଶତ ବୃଦ୍ଧି ପାଇ ୩୪୧.୮ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ବର୍ଷକ ପୂର୍ବେ ୧୭୭ କୋଟି ଟଙ୍କା ଥିଲା । କିନ୍ତୁ ଏହି ଆର୍ଥିକ ବର୍ଷରେ କମ୍ପାନିର ନେଟ୍‌ ଲାଭ ମାତ୍ର ୩୧ ପ୍ରତିଶତ ବୃଦ୍ଧି ପାଇ ୪୦.୭ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ପୂର୍ବ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୧୫-୧୬ରେ ୩୧ କୋଟି ଟଙ୍କା ଥିଲା । ୨୦୧୫-୧୬ରେ କମ୍ପାନିର ରାଜସ୍ୱ ୪୩ ପ୍ରତିଶତ ହାରରେ ବୃଦ୍ଧି ପାଇଥିଲା । କିନ୍ତୁ ୨୦୧୪-୧୫ରେ କମ୍ପାନିର ଲାଭ ମାତ୍ର ୧୬ କୋଟି ଟଙ୍କା ଥିବାବେଳେ ୨୦୧୫-୧୬ ବେଳକୁ ତାହା ୯୪ ପ୍ରତିଶତ ହାରରେ ବୃଦ୍ଧି ପାଇ ୨୦୧୫-୧୬ରେ ୩୧ କୋଟି ଟଙ୍କାରେ ପହଞ୍ଚିଥିଲା ।

ବିଭିନ୍ନ କ୍ଷେତ୍ରରେ କମ୍ପାନିର ବ୍ୟୟ ବୃଦ୍ଧି ପାଇଥିବାରୁ ରାଜସ୍ୱ ବୃଦ୍ଧି ସତ୍ତ୍ୱେ ଲାଭ ହ୍ରାସ ପାଇଥିବା କମ୍ପାନି ପକ୍ଷରୁ ରେଜିଷ୍ଟ୍ରାର ଅଫ କମ୍ପାନିଜ୍‌ ରେ ଦାଖଲ ଆର୍ଥିକ ରିପୋର୍ଟରୁ ଜଣାଯାଇଛି । ବିଶେଷକରି କମ୍ପାନିର କର୍ମଚାରୀ ବାବାଦ ବ୍ୟୟ ୭୩ ପ୍ରତିଶତ ବୃଦ୍ଧି ପାଇ ୮୯.୬ କୋଟି ଟଙ୍କାରେ ପହଞ୍ଚିଥିବାବେଳେ ପ୍ରଚାର ମୂଳକ ବ୍ୟୟ ପ୍ରାୟ ୧୪୮ ପ୍ରତିଶତ ବୃଦ୍ଧି ପାଇ ୪୨ କୋଟି ଟଙ୍କାରେ ପହଞ୍ଚିଛି ।

କମ୍ପାନିର ଫ୍ରି ବେସିକ୍‌ ସର୍ଭିସ୍‌ ନେଟ୍‌ ନ୍ୟୁଟ୍ରାଲିଟିକୁ ବିରୋଧ କରୁଥିବା ଧାରଣା ସୃଷ୍ଟି ହେବା ପରେ କମ୍ପାନିର ବ୍ରାଣ୍ଡ ଭାବମୂର୍ତ୍ତି ହ୍ରାସ ପାଇଥିଲା । ତାହାକୁ ସୁଧାରିବା ପାଇଁ କମ୍ପାନି ପ୍ରଚାର ମୂଳକ ବ୍ୟୟ ବଢାଇଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର