ଫେସବୁକ୍‌ ଛାଡ଼ୁଛନ୍ତି ଯୁବପିଢ଼ି

ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ସୋସିଆଲ୍‌ ନେଟ୍‌ଓ୍ଵର୍କିଂ ସାଇଟ୍‌ ଫେସବୁକ୍‌ ଏହାର ଚମକ ଫିକା ପଡ଼ିବାରେ ଲାଗିଛି। ଫେସବୁକ୍‌ର ବ୍ୟବହାରକାରୀ ସଂଖ୍ୟା କମିବାରେ ଲାଗିଛି। ବିଶେଷ କରି ଯୁବପିଢ଼ି ଫେସବୁକ୍‌ଠାରୁ ମୁହଁ ଫେରାଇବା ଆରମ୍ଭ କଲେଣି। ସେମାନେ ଏବେ ସ୍ନାପ୍‌ଚାଟ୍‌ ଏବଂ ଇନଷ୍ଟାଗ୍ରାମ୍‌କୁ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଇ-ମାର୍କେଟିୟର ନାମକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ଏହି ସଂସ୍ଥା ଆମେରିକାରେ ଏହାର ସର୍ବେକ୍ଷଣ କରିଥିଲା। ସେଠାରେ ୧୨-୧୭ ବର୍ଷ ଏବଂ ୧୮-୨୪ ବର୍ଷ ବୟସ ବର୍ଗର ବ୍ୟବହାରକାରୀମାନେ ଫେସବୁକ୍‌ରୁ ଧୀରେ ଧୀରେ ବିଦାୟ ନେଉଥିବା ଜଣାପଡ଼ିଛି। ୨୦୧୯ ଓ ୨୦୨୦ରେ ମଧ୍ୟ ଏହି ଧାରା ଅବ୍ୟାହତ ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।
ସ୍ନାପ୍‌ଚାଟ୍‌ରେ ଥିବା ଫିଲ୍‌ଟର ଏବଂ ଲେନ୍‌ସ ବୈଶିଷ୍ଟ୍ୟ ଯୁବପିଢ଼ିକୁ ଅଧିକ ଆକର୍ଷିତ କରିଛି। ୧୨-୨୪ ବର୍ଷ ବୟସ ବର୍ଗର ବ୍ୟବହାରକାରୀମାନେ ସ୍ନାପ୍‌ଚାଟ୍‌କୁ ଅଧିକ ପସନ୍ଦ କରୁଛନ୍ତି। ଫେସବୁକ୍‌ ଆରମ୍ଭ ହେବା ଦିନଠାରୁ ଏହା ଯୁବପିଢ଼ିଙ୍କ ମଧ୍ୟରେ ବେଶ ଲୋକପ୍ରିୟ ରହିଛି। ଏହାର ମୋଟ ବ୍ୟବହାରକାରୀଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଯୁବକଯୁବତୀ। ତେଣୁ ସେମାନେ ଯଦି ଏହି ପ୍ଲାଟଫର୍ମରୁ ଦୂରେଇ ଯାଉଛନ୍ତି ତେବେ ଫେସବୁକ୍‌ର ଚିନ୍ତା ନିଶ୍ଚିତ ରୂପେ ବଢ଼ିଯିବ।
କିଛି ବର୍ଷ ପୂର୍ବେ ଫେସବୁକ୍‌ ମାଲିକ ମୋବାଇଲ୍‌ ମେସେଜିଂ ଆପ୍‌ ହ୍ଵାଟସ୍‌ଆପ୍‌କୁ ଖରିଦ କରିଥିଲେ। ତାହାର ଲୋକପ୍ରିୟତା ସାରା ବିଶ୍ୱରେ ବେଶ ଉଚ୍ଚ ସ୍ତରରେ ରହିଛି। ଇନଷ୍ଟାଗ୍ରାମ୍‌ ମଧ୍ୟ ଏହାର ମାଲିକାନାରେ ରହିଛି।

ସମ୍ବନ୍ଧିତ ଖବର