ଓ୍ଵାସିଂଟନ: ବ୍ୟବହାରକାରୀଙ୍କ ତଥ୍ୟ ଅନ୍ୟମାନଙ୍କୁ ଦେଇ ତୀବ୍ର ସମାଲୋଚନାର ଶିକାର ହୋଇଥିବା ଫେସବୁକ୍ ବିରୋଧରେ ପୁଣି ଏକ ବଡ଼ ଧରଣର ଅଭିଯୋଗ ଆସିଛି। ଆପଲ୍, ଆମାଜନ, ବ୍ଲାକ୍ବେରି, ସାମସଙ୍ଗ୍ ଓ ମାଇକ୍ରୋସଫ୍ଟ ଭଳି ୬୦ଟି ମୋବାଇଲ୍ ଫୋନ୍ ନିର୍ମାତାଙ୍କୁ ଫେସବୁକ୍ ଏହାର ବ୍ୟବହାରକାରୀ ଓ ସେମାନଙ୍କ ବନ୍ଧୁମାନଙ୍କ ବ୍ୟକ୍ତିଗତ ତଥ୍ୟ ଦେଉଥିଲା। ଏଥିପାଇଁ ସବୁ କଂପାନି ସହିତ ଫେସବୁକ୍ ସ୍ୱତନ୍ତ୍ର ବୁଝାମଣା କରିଥିଲା। କେମ୍ବ୍ରିଜ ଆନାଲିଟିକା ସହ ତଥ୍ୟ ଆଦାନପ୍ରଦାନ କରିବା ଘଟଣାର ପର୍ଦାଫାଶ ହେବା ପରେ ଫେସବୁକ୍କୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଥିଲା। ୮୭ ନିୟୁତ ବ୍ୟବହାରକାରୀଙ୍କ ଗୋପନୀୟ ତଥ୍ୟକୁ ଫେସବୁକ୍ ପକ୍ଷରୁ କେମ୍ବ୍ରିଜ ଆନାଲିଟିକାକୁ ପ୍ରଦାନ କରାଯାଇଥିଲା। ଏହା ଏକ ମସ୍ତବଡ଼ ଭୁଲ ଥିଲା ବୋଲି ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ସ୍ୱୀକାର କରିଛନ୍ତି। ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାରକୁ ନେଇ ପୁଣି ଏକ ଅଭିଯୋଗ ଆସିଥିବାରୁ ଫେସବୁକ୍ର ସମସ୍ୟା ଆହୁରି ବଢ଼ିଯିବ ବୋଲି ଅନୁମାନ କରାଯାଉଛି। ଆମେରିକାର ସମ୍ବାଦପତ୍ର ‘ନ୍ୟୁୟର୍କ ଟାଇମସ୍’ରେ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦିଆଯାଇଥିବା ତଥ୍ୟକୁ ଫେସବୁକ୍ ଖଣ୍ଡନ କରିଛି। ପ୍ରଚଳିତ ନିୟମ ଅନୁସାରେ ମୋବାଇଲ୍ କଂପାନିଗୁଡ଼ିକ ସହିତ ବୁଝାମଣା ହୋଇଥିଲା। କୌଣସି କଂପାନି ଆମ ତଥ୍ୟକୁ ହାସଲ କରିନାହାନ୍ତି। କଂପାନିଗୁଡ଼ିକ ସହିତ ହୋଇଥିବା ବୁଝାମଣାରେ କୌଣସି ଭୁଲ ନାହିଁ ବୋଲି ଫେସବୁକ୍ ପକ୍ଷରୁ କୁହାଯାଇଛି।