ଶେଷରେ ବିକ୍ରି ହେଲା ମାଲ୍ୟାଙ୍କ ଜେଟ୍‌

୩୫ କୋଟିରେ କିଣିଲା ଆମେରିକା କମ୍ପାନି

ମୁମ୍ବାଇ: ଦେଶ ଛାଡ଼ି ଚାଲିଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିଳାସପୂର୍ଣ୍ଣ ଜେଟ୍‌କୁ ସେବା କର ବିଭାଗ ପକ୍ଷରୁ ୩୫ କୋଟି ଟଙ୍କାରେ ବିକ୍ରି କରାଯାଇଛି। ଆମେରିକାର ଆଭିଏସନ୍‌ ମ୍ୟାନେଜମେଣ୍ଟ୍‌ ସେଲ୍‌ସ ନାମକ ଏକ କଂପାନି ଏହାକୁ କିଣିଛି। ଏହି ଜେଟ୍‌ରେ ମାଲ୍ୟା ଦେଶବିଦେଶ ଭ୍ରମଣ କରି ନିଜ କାରବାର ଦେଖାଶୁଣା କରୁଥିଲେ। ମାଲ୍ୟାଙ୍କ ଉପରେ ୮୦୦ କୋଟି ଟଙ୍କାର ସେବା କର ବାକି ପଡ଼ିଥିଲା। ସେହି ଅର୍ଥ ଆଦାୟ କରିବା ପାଇଁ ମାଲ୍ୟାଙ୍କ ଏ୩୧୯ ଜେଟ୍‌କୁ ୨୦୧୩ରେ ଜବତ କରାଯାଇଥିଲା। ସେହି ଦିନଠାରୁ ତାହା ମୁମ୍ବାଇ ବିମାନ ବନ୍ଦରରେ ପଡ଼ିରହିଛି। ଦୀର୍ଘଦିନ ଧରି ଜେଟ୍‌ଟି ପଡ଼ିରହିବାରୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାକୁ ଶୀଘ୍ର ହଟାଇ ସ୍ଥାନ ଫାଙ୍କା କରିବା ନିମନ୍ତେ ବିମାନ ବନ୍ଦର କର୍ତୃପକ୍ଷ ବମ୍ବେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ମାଲ୍ୟାଙ୍କ ଜେଟ୍‌କୁ ବିକ୍ରି କରିବା ପାଇଁ ୨୦୧୬ ମାର୍ଚରେ ଓ ୨୦୧୭ ମାର୍ଚରେ ଉଦ୍ୟମ ହୋଇଥିଲା। ମାତ୍ର, ନିଲାମ ପାଇଁ ଚଢ଼ା ମୂଲ୍ୟ ରଖାଯାଇଥିବାରୁ ଏହାକୁ କିଣିବା ପାଇଁ ଗ୍ରାହକ ମିଳିନଥିଲେ।

ସମ୍ବନ୍ଧିତ ଖବର