ଚାଷୀ, ପରିବହନକାରୀ, ଖାଉଟିଙ୍କ ଖର୍ଚ ବଢ଼ିବ

ଓଡ଼ିଶାରେ ଡିଜେଲର ଲିଟର ପିଛା ଦର ୭୩ ଟଙ୍କା ପାଖାପାଖି ପହଞ୍ଚିଯାଇଛି। ଏହା ଦ୍ୱାରା ରାଜ୍ୟର ସବୁ ବର୍ଗର ଲୋକମାନେ ପ୍ରଭାବିତ ହେବେ। ଚାଷୀଙ୍କଠାରୁ ଆରମ୍ଭ କରି ସାଧାରଣ ଖାଉଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଡିଜେଲ୍‌ ଦର ବୃଦ୍ଧି ପ୍ରଭାବ ପଡ଼ିବ।
ଚାଷୀମାନେ ଟ୍ରାକ୍ଟର, ଅନ୍ୟ କୃଷି ଉପକରଣ, ମେସିନ୍‌ ଓ ଡିଜେଲ୍‌ ପମ୍ପ୍‌ ସେଟ୍‌କୁ ବ୍ୟବହାର କରିଥାନ୍ତି। ଏହି ସବୁ ମେସିନ୍‌ରେ ଡିଜେଲ୍‌କୁ ଇନ୍ଧନ ଭାବେ ବ୍ୟବହାର କରାଯାଇଥାଏ। ଡିଜେଲ ଦର ବଢ଼ିବା ଯୋଗୁଁ ଚାଷୀମାନଙ୍କ ଖର୍ଚ ପରିମାଣ ବଢ଼ିଯିବ। ପନିପରିବା ଓ ଫଳ ଚାଷ କରୁଥିବା ଚାଷୀମାନେ ତାହାକୁ ପରିବହନ କରିବା ପାଇଁ ମିନି ଟ୍ରକ୍‌ ବ୍ୟବହାର କରିଥାନ୍ତି। ତାହା ମଧ୍ୟ ଡିଜେଲ୍‌ରେ ଚାଲୁଛି। ଚାଷୀଙ୍କ ପରିବହନ ଖର୍ଚ ବଢ଼ିବା ଦ୍ୱାରା ସେମାନେ ଉତ୍ପାଦିତ ସାମଗ୍ରୀକୁ ଅଧିକ ଦରରେ ବିକ୍ରି। ଏହାର ସିଧାସଳଖ ପ୍ରଭାବ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ିବ। ସେମାନଙ୍କ ପାଇଁ ପନିପରିବା ଓ ଖାଦ୍ୟଶସ୍ୟ ମହଙ୍ଗା ହେବ। ଟ୍ରକ୍‌ ଜରିଆରେ ପରିବହନ କରାଯାଉଥିବା ସବୁ ସାମଗ୍ରୀଗୁଡ଼ିକର ଦର ବଢ଼ିବ।
ପରିବହନ କ୍ଷେତ୍ରରେ ଗାଡ଼ି ଲଗାଇଥିବା ମାଲିକମାନଙ୍କ ଲାଭ ପରିମାଣ କମିଯିବ। ବସ୍‌, ଟ୍ରକ୍‌ ଠାରୁ ଆରମ୍ଭ କରି ଅଟୋ ପର୍ଯ୍ୟନ୍ତ ସବୁ କିଛି ଡିଜେଲ୍‌ରେ ଚାଲୁଛି। ଏହି ସବୁ ଗାଡ଼ି ମାଲିକଙ୍କ ଇନ୍ଧନ ଖର୍ଚ ବଢ଼ିବ। ଫଳରେ ସେମାନଙ୍କ ଲାଭ ପରିମାଣ କମିଯିବ। ଯେହେତୁ ଡିଜେଲ ଦର ପ୍ରତିଦିନ ବଦଳୁଛି ତେଣୁ ଦୀର୍ଘ ଦିନ ଯାତ୍ରା କରୁଥିବା ଟ୍ରକ୍‌ର ମାଲିକମାନେ ସେମାନଙ୍କ ଡ୍ରାଇଭର୍‌ଙ୍କୁ ଅଧିକ ଟଙ୍କା ଦେଉଛନ୍ତି। ଟ୍ରକ୍‌ ମାଲିକମାନେ ଏକ ପ୍ରକାର ଅସୁବିଧା ସ୍ଥିତିରେ ପଡ଼ିଯାଇଛନ୍ତି। ଯଦି ସେମାନେ ଟ୍ରକ୍‌ର ଭଡ଼ା ବଢ଼ାଇବେ ତେବେ ପରିବହନ ପାଇଁ ତାଙ୍କୁ ସାମଗ୍ରୀ ମିଳିବନି। ଆଉ ଯେତିକି ଟଙ୍କାର ଭଡ଼ା ମିଳୁଛି ତାହାର ଏକ ସିଂହ ଭାଗ ଡିଜେଲ କିଣିବାରେ ବ୍ୟବହାର ହେଉଛି। ଏହା ବାଦ ଗାଡ଼ିର ମରାମତି, ଡ୍ରାଇଭର୍‌ଙ୍କ ଦରମା ଦେବା ବେଳକୁ ମାଲିକଙ୍କ ପାଇଁ ଲାଭ ମାର୍ଜିନ୍‌ ବହୁତ କମିଯାଉଛି। ସେହି ସମାନ ଅସୁବିଧା ମିନି ଟ୍ରକ୍‌, ବସ୍‌, ମିନି ବସ୍‌, ଅଟୋ, ଡିଜେଲ ଚାଳିତ କାର୍‌ର ମାଲିକମାନେ ସାମ୍ନା କରୁଛନ୍ତି।
ଡିଜେଲ ଦର ବୃଦ୍ଧି ସିଧାସଳଖ ପ୍ରଭାବ ଖାଦ୍ୟସାମଗ୍ରୀ ଉପରେ ରହିଛି। ଡିଜେଲ ଦର ବଢ଼ିଲେ ଖାଦ୍ୟ ସାମଗ୍ରୀ ଦର ବଢ଼ିଥାଏ।
ଉଲ୍ଲେଖଯୋଗ୍ୟ ଯେ, ଦେଶରେ ବିକ୍ରି ହେଉଥିବା ଡିଜେଲ୍‌ର ସବୁଠୁ ବଡ଼ ଭାଗ ଭାରତୀୟ ରେଳ ବ୍ୟବହାର କରୁଛି। ଏହା ପରେ ଦ୍ୱିତୀୟ ସର୍ବାଧିକ ଡିଜେଲ୍‌କୁ ଡିଜେଲ୍‌ ଚାଳିତ କାର୍‌, ଟ୍ରକ୍‌ ଓ ବସ୍‌ରେ ବ୍ୟବହାର କରାଯାଉଛି। ବଳକା ଡିଜେଲ୍‌ କୃଷି କ୍ଷେତ୍ରରେ ବ୍ୟବହାର ହେଉଛି।

ସମ୍ବନ୍ଧିତ ଖବର