ନୂଆଦିଲ୍ଲୀ: କୃଷି ରପ୍ତାନି ନୀତି ୨୦୧୮କୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି। କୃଷି ରପ୍ତାନି ନୀତିର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିବା ପାଇଁ ଏକ ଅନୁଧ୍ୟାନ ଢାଞ୍ଚା ଗଠନ କରିବାକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରି ଦେଇଛି। ବାଣିଜ୍ୟ ମନ୍ତ୍ରାଳୟକୁ ଏହାର ନୋଡାଲ ଏଜେନ୍ସି କରାଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ/ବିଭାଗ, ଏଜେନ୍ସି ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କୁ ଏଥିରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କୃଷକମାନଙ୍କ ଆୟକୁ ୨୦୨୨ ସୁଦ୍ଧା ୨ ଗୁଣ କରିବା ପାଇଁ ସରକାର ଏକ ନୀତି ଆଣିଛନ୍ତି। କୃଷି ଉତ୍ପାଦର ରପ୍ତାନି ନୀତି ଏହି ଲକ୍ଷ୍ୟ ହାସଲରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି। ଦେଶରୁ ଏବେ ବାର୍ଷିକ ପ୍ରାୟ ୩୦ ବିଲିଅନ ଡଲାରର କୃଷି ସାମଗ୍ରୀ ରପ୍ତାନି ହେଉଥିବାବେଳେ ୨୦୨୨ ସୁଦ୍ଧା ଏହାକୁ ୬୦ ବିଲିଅନ ଡଲାରରେ ଏବଂ ଏହାପରେ କିଛି ବର୍ଷ ପରେ ଏହାକୁ ୧୦୦ ବିଲିଅନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଏକାଧିକ ପଦକ୍ଷେପ ନିଆଯିବାକୁ ଏହି ନୀତିରେ ପ୍ରସ୍ତାବ ରହିଛି। ଏଥିସହିତ ରୁରାଲ୍ ଇଲେକ୍ଟ୍ରିଫିକେସନ କର୍ପୋରେସନ୍ (ଆର୍ଇସି)ରେ କେନ୍ଦ୍ର ସରକାର ୫୨.୬୩% ଅଂଶଧନ ପାୱାର ଫାଇନାନ୍ସ କର୍ପୋରେସନ (ପିଏଫ୍ସି)କୁ ବିକ୍ରି କରିବା ସହିତ ପରିଚାଳନା ବ୍ୟବସ୍ଥା ହସ୍ତାନ୍ତର ପାଇଁ କ୍ୟାବିନେଟ୍ରେ ନୀତିଗତ ଭାବେ ନିଷ୍ପତ୍ତି ନିଆଯାଇଛି। ଦେଶରେ ଇଣ୍ଟରଡିସିପ୍ଲିନାରି ସାଇବର-ଫିଜିକାଲ୍ ସିଷ୍ଟମ୍ ଉପରେ ଜାତୀୟ ମିସନ ସ୍ଥାପନକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ମିସନରେ ଦେଶରେ ୧୫ଟି ଟେକ୍ନୋଲୋଜି ଇନୋଭେସନ ହବ୍, ୬ଟି ଆପ୍ଲିକେସନ ଇନୋଭେସନ ହବ୍ ଏବଂ ୪ଟି ଟେକ୍ନୋଲୋଜି ଟ୍ରାନ୍ସଲେସନ ରିସର୍ଚ୍ଚ ହବ୍ ସ୍ଥାପନ ହେବ। ପ୍ରଯୁକ୍ତିର ବିକାଶ ସହିତ ସେଗୁଡ଼ିକର ପ୍ରୟୋଗ , ମାନବ ସମ୍ବଳ ବିକାଶ ଏବଂ ଦକ୍ଷତା ବୃଦ୍ଧି, ଔଦ୍ୟୋଗିକତା ଏବଂ ଷ୍ଟାର୍ଟଅପ୍ର ଉନ୍ନତି ଉପରେ ଏହି ମିସନ ଗୁରୁତ୍ବ ଦେବ।ସେହିଭଳି ଜାଲିୱାନାୱାଲାବାଗ ଜାତୀୟ ସ୍ମାରକୀ ଆଇନ ୧୯୫୧ରେ ସଂଶୋଧନ, ଭାରତ ଓ ଜାପାନ ମଧ୍ୟରେ ପରିବେଶ ସହଯୋଗ ଉପରେ ହୋଇଥିବା ସହଯୋଗ ରାଜିନାମା, ମାନବ ମହାକାଶ ଯାନ କାର୍ଯ୍ୟକ୍ରମ ପାଇଁ ଭାରତ ଓ ରୁଷିଆ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ସ୍ବାକ୍ଷରକୁ ମଧ୍ୟ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଛି।
କୃଷି ରପ୍ତାନି ନୀତିରେ ମୋହର
/sambad/media/post_attachments/wp-content/uploads/2018/07/parliament-1.jpg)