କୃଷିଜାତ ସାମଗ୍ରୀର ବଡ଼ ଗ୍ରାହକ ସନ୍ଧାନରେ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଉତ୍ପାଦିତ ହେଉଥିବା ବିଭିନ୍ନ କୃଷିଜାତ ସାମଗ୍ରୀକୁ କିଣିବା ପାଇଁ ବଡ଼ ଗ୍ରାହକ ସନ୍ଧାନ କରୁଛି ଓଡ଼ିଶା। ଖାଦ୍ୟ ସାମଗ୍ରୀ ଉତ୍ପାଦନ କରୁଥିବା ବିଶ୍ୱ ସ୍ତରୀୟ କଂପାନିଗୁଡ଼ିକ ଉପରେ ଏହା ନଜର ପକାଇଛି। ଯଦି ଗୋଟିଏ କିମ୍ବା ଦୁଇଟି ସଂସ୍ଥା ଓଡ଼ିଶାରୁ କୃଷିଜାତ ସାମଗ୍ରୀ କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ ତେବେ ରାଜ୍ୟର ଚାଷୀମାନେ ଲାଭବାନ ହୋଇପାରିବେ ବୋଲି ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ସଚିବ ଡକ୍ଟର ସୌରଭ ଗର୍ଗ କହିଛନ୍ତି।

ଏଠାରେ ଫିକି ପକ୍ଷରୁ କୃଷକଙ୍କୁ ଉପଯୁକ୍ତ ବଜାର ପ୍ରଦାନ କରିବା ବିଷୟ ଉପରେ ଆୟୋଜିତ କର୍ମଶାଳାରେ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି। ଏହି କର୍ମଶାଳାକୁ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଉଦ୍‌ଘାଟନ କରିଛନ୍ତି। ରାଜ୍ୟ ସରକାର କୃଷକଙ୍କ ଆୟ ବଢ଼ାଇବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ୱତନ୍ତ୍ର କୃଷି ବଜେଟ୍‌ ଓ କୃଷି କ୍ୟାବିନେଟ୍‌ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ଫିକିର କୃଷି ବିଭାଗ ଉପଦେଷ୍ଟା ପ୍ରଭେସ ଶର୍ମା କହିଛନ୍ତି ଯେ, ୨୦୦୪-୦୫ରୁ ୨୦୧୪-୧୫ ଭିତରେ ଓଡ଼ିଶାର କୃଷି କ୍ଷେତ୍ରରେ ବିଶେଷ କିଛି ଉନ୍ନତି ହୋଇନାହିଁ। ଏହି ୧୦ ବର୍ଷରେ ବର୍ଷକୁ ହାରାହାରି ୧.୨%ର କୃଷି ଅଭିବୃଦ୍ଧି ହୋଇଛି ଯାହା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ବହୁତ କମ୍‌। ଏହି ସମୟରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ବାର୍ଷିକ ହାରାହାରି କୃଷି ଅଭିବୃଦ୍ଧି ୯%ରୁ ଅଧିକ ରହିଥିଲା ଓ ପଶ୍ଚିମ ବଙ୍ଗରେ ତାହା ୪.୪%ରୁ ଅଧିକ ରହିଥିଲା ବୋଲି ସେ କହିଛନ୍ତି। ମହାରାଷ୍ଟ୍ର, ଗୁଜରାଟ ଓ ରାଜସ୍ଥାନ ଭଳି ରାଜ୍ୟ ନିଜର କୃଷକମାନଙ୍କୁ ଯେଭଳି ବଜାର ପ୍ରଦାନ କରିଛନ୍ତି ସେଭଳି ସୁବିଧା ରାଜ୍ୟର ଚାଷୀମାନଙ୍କୁ ପ୍ରଦାନ କରିବା ଦିଗରେ ଓଡ଼ିଶା ସରକାର ଉଦ୍ୟମ କରିବା ଦରକାର ବୋଲି ସେ କହିଛନ୍ତି। ଯେଉଁ ରାଜ୍ୟରେ କୃଷକଙ୍କୁ ସୁବିଧାରେ ବଜାର ମିଳିଯାଉଛି ସେହି ସବୁ ରାଜ୍ୟର ଚାଷୀମାନଙ୍କ ଆୟରେ ଆପେ ବୃଦ୍ଧି ହେଉଛି ବୋଲି ସେ କହିଛନ୍ତି। ରାଜ୍ୟର କୃଷି କ୍ଷେତ୍ର ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ବିଷୟରେ ସେ କହିଛନ୍ତି ଯେ ଏଠାରେ ଜଳସେଚନକୁ ନେଇ ଅସୁବିଧା ରହିଛି। ଚାଷୀମାନେ ଗ୍ରାହକଙ୍କ ନିକଟରେ ପହଞ୍ଚିପାରୁନାହାନ୍ତି। ଚାଷୀ ଓ ଗ୍ରାହକଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ପାଇଁ କୌଣସି ବ୍ୟବସ୍ଥା କିମ୍ବା ସୁବିଧା ନାହିଁ। ବିପୁଳ ପରିମାଣରେ କୃଷିଜାତ ସାମଗ୍ରୀ ଖରିଦ କରୁଥିବା ବଡ଼ ବଡ଼ ସଂସ୍ଥା ଯେଭଳି ଚାଷୀଙ୍କଠାରୁ ସିଧାସଳଖ ସାମଗ୍ରୀ ଖରିଦ କରିପାରିବେ ସେଥିପାଇଁ ବ୍ୟବସ୍ଥା ବିକଶିତ କରିବାକୁ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଏହି କର୍ମଶାଳାରେ କୃଷି ବ୍ୟବସାୟ ଶିଳ୍ପର ୧୨ ଜଣ ପ୍ରତିନିଧି ଓ ରାଜ୍ୟର ୯୦ରୁ ଅଧିକ କୃଷି ଉତ୍ପାଦକ ସଂଗଠନ (ଏଫ୍‌ପିଓ) ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିକିର ଏଏସ୍‌ଜି ମୌସୁମୀ ଘୋଷ, ରାଜ୍ୟ ଉଦ୍ୟାନ ନିର୍ଦେଶାଳୟର ନିର୍ଦେଶକ ସୁଧାଂଶୁ ମୋହନ ସାମଲ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର