ବଚ୍ଚନ ବାପ ଝିଅଙ୍କ ବିଜ୍ଞାପନକୁ ନେଇ ବିବାଦ

ନୂଆଦିଲ୍ଲୀ: ଏକ ଗହଣା ପ୍ରତିଷ୍ଠାନ ପାଇଁ ବଲିଉଡ୍‌ର ମେଗା ଷ୍ଟାର୍‌ ଅମିତାଭ ବଚ୍ଚନ ଓ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା କରିଥିବା ବିଜ୍ଞାପନକୁ ନେଇ ବିବାଦ ଦେଖାଦେଇଛି। ଏହି ଦେଢ଼ ମିନିଟ୍‌ର ବିଜ୍ଞାପନକୁ ଏକ ବ୍ୟାଙ୍କ ମହାସଂଘ ପକ୍ଷରୁ ଘୋର ବିରୋଧ କରାଯାଉଛି। ସର୍ବଭାରତୀୟ ବ୍ୟାଙ୍କ ଅଫିସର୍‌ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ଏହି ବିଜ୍ଞାପନ ଜରିଆରେ ବ୍ୟାଙ୍କରେ କାମ କରୁଥିବା କର୍ମଚାରୀମାନଙ୍କୁ ଖରାପ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି। ବିଜ୍ଞାପନ କରିଥିବା ଗହଣା ପ୍ରତିଷ୍ଠାନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହାସଂଘ ପକ୍ଷରୁ ଧମକ ଦିଆଯାଇଛି। ଏହି ବିବାଦ ବିଷୟରେ ଜାଣିବା ପରେ ଗହଣା ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ତାହା ସମ୍ପୂର୍ଣ୍ଣ ରୂପେ କାଳ୍ପନିକ। ଆମେ କୌଣସି ଠାରେ ସାଧାରଣ ଭାବେ ବ୍ୟାଙ୍କକୁ ଖରାପ ଦୃଷ୍ଟିରେ ଉପସ୍ଥାପିତ କରିବାକୁ ଉଦ୍ୟମ କରିନାହୁଁ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ଏହି ବିଜ୍ଞାପନରେ ଅମିତାଭ ଜଣେ ବୃଦ୍ଧଙ୍କ ଭୂମିକାରେ ଅଭିନୟ କରିଥିବା ବେଳେ ଶ୍ୱେତା ତାଙ୍କ ଝିଅ ଭୂମିକାରେ ଅଭିନୟ କରିଛନ୍ତି। ବିଜ୍ଞାପନରେ ଦେଖାଯାଉଛି ଯେ ଏକ ଅଟୋରେ ଆସି ବାପ ଝିଅ ଏକ ବ୍ୟାଙ୍କ ଶାଖାରେ ପ୍ରବେଶ କରୁଛନ୍ତି। ବାପାଙ୍କ ପେନ୍‌ସନ୍‌ ଖାତାରେ ଅଧିକ ଟଙ୍କା ଆସିଥିଲା। ତାହାକୁ ଫେରସ୍ତ କରିବା ପାଇଁ ସେମାନେ ଶାଖାକୁ ଆସିଥିଲେ। କିନ୍ତୁ ସେଠାରେ ତାଙ୍କୁ ବ୍ୟାଙ୍କର ବିଭିନ୍ନ କର୍ମଚାରୀ ଦୁର୍ବ୍ୟବହାର କରୁଥିବା ବିଜ୍ଞାପନରେ ଦେଖାଯାଇଛି। ଦୁଇ ଜଣ କର୍ମଚାରୀଙ୍କ ଠାରୁ ସେବା ପାଇବାରେ ନିରାଶ ହେବା ପରେ ବାପ ଝିଅ ବ୍ୟାଙ୍କ ପ୍ରବନ୍ଧକଙ୍କ କ୍ୟାବିନ୍‌ରେ ଆସି ବସୁଛନ୍ତି। ସବୁ କଥା ଶୁଣିବା ପରେ ପ୍ରବନ୍ଧକ ଜଣକ ହସିବା ସହିତ ଯଦି ଅଧିକ ଟଙ୍କା ଆସିଯାଇଛି, କିଏ ଜାଣୁଛି ବୋଲି ବେପରୁଆ ଭାବେ କହିଛନ୍ତି। କିନ୍ତୁ ଅମିତାଭ ଗମ୍ଭୀରତାର ସହିତ ତାଙ୍କୁ ଉତ୍ତର ଦେଇଛନ୍ତି ଯେ କିଏ ଜାଣୁ ବା ନଜାଣୁ ମୁଁ ତ ଜାଣୁଛି ଯେ ଏହା ଭୁଲ। ଏହା ପରେ ବିଜ୍ଞାପନଟି ଏକ ବାର୍ତା ସହିତ ଶେଷ ହେଉଛି। ମାଲାୟାଲମ୍‌ ଭାଷାରେ ମଧ୍ୟ ଏହି ବିଜ୍ଞାପନକୁ ପ୍ରସ୍ତୁତ କରାଯାଇଛି। ସେଥିରେ ମାଲାୟାଲମ ଅଭିନେତ୍ରୀ ମଞ୍ଜୁ ଓ୍ଵାରିୟର ଝିଅ ଭୂମିକାରେ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର