କଳାଧନ ଲଢ଼େଇ: ଖସିଯିବ ଜବତ ବେନାମି ସମ୍ପତ୍ତି

ନୂଆଦିଲ୍ଲୀ: କଳାଧନ ଲଢ଼େଇ ପାଇଁ କଠୋର ନିୟମ ଲାଗୁ କରିବା ପରେ ଦେଶର ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କାର ଅନେକ ବେନାମି ସମ୍ପତ୍ତି ଜବତ କରାଯାଇଛି। ରାଜନତୋ, ଧନୀ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ ଓ ଅନ୍ୟମାନଙ୍କର ଏହି ସବୁ ସମ୍ପତ୍ତିକୁ ସରକାର ଜବତ କରିଛନ୍ତି। କିନ୍ତୁ ସେଥିପାଇଁ ଯେଉଁ ମାମଲା ପ୍ରସ୍ତୁତ ହୋଇଛି ତାହାର ଶୁଣାଣି କରିବାକୁ ସ୍ୱତନ୍ତ୍ର କର୍ତୃପକ୍ଷ ଗଠନ ହୋଇପାରୁନାହିଁ। ଠିକ୍‌ ସମୟରେ ଯଦି ଏହି ସଂସ୍ଥା ଗଠନ ହୋଇ ନପାରିବ ତେବେ ଜବତ ହୋଇଥିବା ବେନାମି ସମ୍ପତ୍ତିଗୁଡ଼ିକ ହାତରୁ ଖସିଯିବ। ଯଦି ଠିକ ସମୟ ଭିତରେ ବେନାମି ସମ୍ପତ୍ତି ମାମଲାଗୁଡ଼ିକର ସମାଧାନ ନହେବ ତେବେ ଏହା ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। କଳାଧନ ଲଢ଼େଇରେ ବେନାମି ସମ୍ପତ୍ତି ଜବତ ଏକ ବଡ଼ ଅଭିଯାନ ଥିଲା। ଯଦି ଏହି ଅଭିଯାନ ବିଫଳ ହେବ ତେବେ ସରକାରଙ୍କ ଉଦ୍ୟମ ବିଫଳ ହେଲା ବୋଲି ବିଚାର କରାଯାଇପାରେ। ୧୯୮୮ରେ ଲାଗୁ କରାଯାଇଥିବା ବେନାମି ସମ୍ପତ୍ତି ନିୟମରେ ବଡ଼ ଧରଣର ସଂଶୋଧନ କରି ତାହାକୁ କଠୋର ଭାବେ ୨୦୧୬ ନଭେମ୍ବରରେ ଲାଗୁ କରାଯାଇଥିଲା। ଏହା ପରେ ୮୬୦ଟି ମାମଲାରେ ବେନାମି ସମ୍ପତ୍ତି ଜବତ କରାଯାଇଛି। ସେଥି ମଧ୍ୟରୁ ମାତ୍ର ୮୦ଟି ମାମଲାର ଶୁଣାଣି ଆରମ୍ଭ ହୋଇଛି। ବଳକା ୭୮୦ଟି ମାମଲା ଯେଉଁଠାରେ ଥିଲା ସେହିଠାରେ ପଡ଼ି ରହିଛି।

• ଗଠନ ହୋଇନି ନ୍ୟାୟିକ କର୍ତୃପକ୍ଷ
• ମାମଲାର ବିଚାର ହୋଇପାରୁନି
• ୨୦୦୦ କୋଟିର ସମ୍ପତ୍ତି ଜବତ ହୋଇଛି

ନୂଆ ନିୟମ ଅନୁଯାୟୀ, ସରକାର ଏକ ତିନି ଜଣିଆ ନ୍ୟାୟିକ ନିର୍ଣ୍ଣୟ କର୍ତୃପକ୍ଷ (ଆଡଜୁଟିକେଟିଂ ଅଥରିଟି) ଗଠନ କରିବା କଥା। ନିୟମ ଲାଗୁ କରିବାର ୧ ବର୍ଷ ୫ ମାସ ବିତିଯାଇଥିଲେ ମଧ୍ୟ ଏହା ଗଠନ ହୋଇପାରିନାହିଁ। ଆଡ୍‌ ହକ୍‌ ଭିତ୍ତିରେ ମନି ଲଣ୍ଡରିଂ ମାମଲାଗୁଡ଼ିକର ଶୁଣାଣି କରୁଥିବା କର୍ତୃପକ୍ଷଙ୍କୁ ବେନାମି ସମ୍ପତ୍ତି ମାମଲାଗୁଡ଼ିକର ବିଚାର କରିବାକୁ କୁହାଯାଇଛି। ଏହି ସଂସ୍ଥା ପାଖରେ ଆବଶ୍ୟକ ଷ୍ଟାଫ୍‌ ନାହାନ୍ତି। ଏହା ବ୍ୟତୀତ ମନି ଲଣ୍ଡରିଂକୁ ନେଇ ବିପୁଳ ମାମଲା ଦାୟର ହୋଇଥିବାରୁ ସେଗୁଡ଼ିକର ଶୁଣାଣି ଠିକ୍‌ ସମୟରେ କରିବା ଏହି ସଂସ୍ଥା ପାଇଁ ସମ୍ଭବପର ହେଉନାହିଁ। ଏହା ଉପରେ ବେନାମି ସମ୍ପତ୍ତି ମାମଲାର ଚାପ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ବେନାମି ସମ୍ପତ୍ତି ସମ୍ପର୍କିତ ନୂଆ ମାମଲାଗୁଡ଼ିକ ନପଠାଇବା ପାଇଁ ପିଏମ୍‌ଏଲ୍‌ଏର ସଂସ୍ଥା ରାଜସ୍ୱ ବିଭାଗ ଓ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)କୁ ଅନୁରୋଧ କରିଛି। ନୂଆ ବେନାମି ନିୟମରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ଏକ ଦୁଇ ଜଣିଆ ଖଣ୍ଡପୀଠରେ ସବୁ ମାମଲାଗୁଡ଼ିକର ବିଚାର ହେବା ଦରକାର। ଉଲ୍ଲେଖଯୋଗ୍ୟ, ଆୟକର ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୨୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେନାମି ସମ୍ପତ୍ତି ଜବତ କରାଯାଇଛି। ୫୩୦ଟି ନୋଟିସ୍‌ ମଧ୍ୟ ଜାରି କରାଯାଇଛି। ଯେଉଁ ସମ୍ପତ୍ତିଗୁଡ଼ିକର ପ୍ରକୃତ ମାଲିକଙ୍କ ନାମ ଗୋପନ ରହିଛି ସେଗୁଡ଼ିକ ବେନାମି ସମ୍ପତ୍ତି କୁହାଯାଉଛି।

ସ୍ୱିସ୍‌ ବ୍ୟାଙ୍କରେ କଳାଟଙ୍କା ରଖିବା କଷ୍ଟକର ହେବ
ବର୍ନ/ନୂଆଦିଲ୍ଲୀ: ସ୍ୱିସ୍‌ ବ୍ୟାଙ୍କରେ କଳା ଟଙ୍କା ରଖିବା ଆଗାମୀ ଦିନରେ ଭାରତ ସମେତ ଅନ୍ୟ ଦେଶର ନାଗରିକଙ୍କ ପାଇଁ ଆଉ ସହଜ ହେବନାହିଁ। ସ୍ୱିଜରଲାଣ୍ଡ ସରକାର ଏହାର ଆଣ୍ଟି ମନି ଲଣ୍ଡରିଂ ଆଇନରେ ସଂଶୋଧନ ଆଣିବାକୁ ଯାଉଛି। ଏହି ଆଇନରେ ସଂଶୋଧନ ଆସିଲେ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ଟଙ୍କା ଜମା ରଖୁଥିବା ବ୍ୟକ୍ତିଙ୍କ ସୂଚନାକୁ ଯାଞ୍ଚ କରିବ। ବ୍ୟାଙ୍କିଙ୍ଗ୍‌ ଗୋପନୀୟତା ପାଇଁ ବିଶ୍ୱରେ ସ୍ୱିଜରଲାଣ୍ଡ ବେଶ ଜଣାଶୁଣା। ତେବେ ଭାରତ ସମେତ ବିଭିନ୍ନ ଦେଶ ପକ୍ଷରୁ ସ୍ୱିଜରଲାଣ୍ଡ ଉପରେ କଳାଟଙ୍କା ବିରୋଧୀ ପଦକ୍ଷେପ ନେବା ଲାଗି ପ୍ରବଳ ଚାପ ସୃଷ୍ଟି କରାଯାଇ ଆସୁଛି। ଦେଶର ଆଣ୍ଟି ମନି ଲଣ୍ଡରିଂ ଆଇନରେ ସଂଶୋଧନ ଆଣିବା ଲାଗି ସ୍ୱିସ୍‌ ଫେଡେରାଲ କାଉନ୍‌ସିଲ୍‌ ଏବେ ବିଚାରବିମର୍ଶ ଆରମ୍ଭ କରିଦେଇଛି। ଦେଶକୁ ଆସୁଥିବା ବେଆଇନ ପାଣ୍ଠିକୁ ଅଟକାଇବା ଲାଗି ଏହା କରାଯାଉଛି। ଜମାକାରୀଙ୍କ ତଥ୍ୟ ଅପ୍‌ ଟୁ ଡେଟ୍‌ ଥିବା ବିଷୟକୁ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ନିୟମିତ ବ୍ୟବଧାନରେ ଯାଞ୍ଚ କରିବେ।

ସମ୍ବନ୍ଧିତ ଖବର