ମୁମ୍ବାଇ: ପ୍ରତିଷ୍ଠାତାଙ୍କ ଅଂଶଧନକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଦେଶର ଅନ୍ୟତମ ଘରୋଇ ବ୍ୟାଙ୍କ-କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ମୁହାଁମୁହିଁ ହୋଇଛନ୍ତି। ବ୍ୟାଙ୍କରେ ପ୍ରତିଷ୍ଠାତାଙ୍କ ଅଂଶଧନକୁ ଏକ ନିର୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଖସାଇ ପାଇଁ ରିଜର୍ଭ ବ୍ୟାଙ୍କ ଚାପ ପକାଉଛି। କିନ୍ତୁ, ପ୍ରତିଷ୍ଠାତା ତାହା ଚାହୁଁନାହାନ୍ତି। ଦୁଇ ପକ୍ଷ ମଧ୍ୟରେ ମତଭେଦ ରହିବାରୁ ମାମଲା ବମ୍ବେ ହାଇକୋର୍ଟରେ ପହଞ୍ଚିଛି। କୋର୍ଟରେ ମାମଲାର ଶୁଣାଣି ଜାରି ରହିଛି। ଏହି ମାମଲାର ରାୟ ଭାରତୀୟ ବ୍ୟାଙ୍କ ଶିଳ୍ପ ପାଇଁ ବେଶ ଗୁରୁତ୍ବ ରଖୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମାମଲାଟି ହେଉଛି ଏହିଭଳି। କୋଟାକ୍ ମହିନ୍ଦ୍ରା ବ୍ୟାଙ୍କରେ ଏହାର ପ୍ରତିଷ୍ଠାତା ପରିବାର ୩୦% ଅଂଶଧନ ରହିଛି। ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ ବ୍ୟାଙ୍କରେ ପ୍ରତିଷ୍ଠାତାଙ୍କ ଅଂଶଧନ ଏତେ ଅଧିକ ରହିପାରିବ ନାହିଁ। ଚାରି ବର୍ଷ ପୂର୍ବେ ରିଜର୍ଭ ବ୍ୟାଙ୍କ ଏହି ନିୟମ ଲାଗୁ କରିଥିଲା ଏବଂ କୋଟାକ୍ ମହିନ୍ଦ୍ରାର ପ୍ରତିଷ୍ଠାତାଙ୍କୁ ସେମାନଙ୍କ ଅଂଶଧନ ପରିମାଣକୁ ପର୍ଯ୍ୟାୟକ୍ରମେ ୧୦% ପର୍ଯ୍ୟନ୍ତ ହ୍ରାସ କରିବାକୁ ନିର୍ଦେଶ ଦେଇଥିଲା। ୨୦୨୦ ପୂର୍ବରୁ ଅଂଶଧନକୁ ୨୦% ପର୍ଯ୍ୟନ୍ତ ଖସାଇବାକୁ କୋଟାକ୍କୁ କୁହାଯାଇଛି। କୋଟାକ୍ ଏହାକୁ ନେଇ ଦୁଇ ପ୍ରକାର ପ୍ରସ୍ତାବ ଦେଇସାରିଲାଣି। ପ୍ରଥମେ କୋଟାକ୍ ପରିବାର କହିଥିଲେ ଯେ ଆମେ ଅଂଶଧନ ପରିମାଣ ହ୍ରାସ କରିବୁ କିନ୍ତୁ ବୋର୍ଡରେ ଥିବା ଭୋଟିଂ ଅଧିକାରକୁ ଛାଡ଼ିବୁ ନାହିଁ। ସେହି ପ୍ରସ୍ତାବକୁ ରିଜର୍ଭ ବ୍ୟାଙ୍କ ପ୍ରତ୍ୟାଖ୍ୟାନ କରିଦେଇଥିଲା। ରିଜର୍ଭ ବ୍ୟାଙ୍କର ଯୁକ୍ତି ହେଉଛି ଯେ, ଯେହେତୁ ଦେଶର ଅର୍ଥନୀତି ପ୍ରତି ବ୍ୟାଙ୍କ ଶିଳ୍ପ ଅନେକ ଗୁରୁତ୍ବ ରଖୁଛି, ତେଣୁ କୌଣସି ବ୍ୟାଙ୍କ କିଛି ହାତଗଣତି ପ୍ରଭାବଶାଳୀ ଲୋକଙ୍କ କବ୍ଜାରେ ରହିବା ଅନୁଚିତ। ରିଜର୍ଭ ବ୍ୟାଙ୍କ ଚାହୁଛି ଏକ ବ୍ୟାଙ୍କ ବିବିଧ ମାଲିକାନା ଥିବା ବ୍ୟବସ୍ଥାରେ ପରିଚାଳିତ ହେଉ। ପ୍ରଥମ ପ୍ରସ୍ତାବକୁ ରିଜର୍ଭ ବ୍ୟାଙ୍କ ପ୍ରତ୍ୟାଖ୍ୟାନ କରିବା ପରେ କୋଟାକ୍ ପରିବାର ଆଉ ଏକ ପ୍ରସ୍ତାବ ଦେଇଥିଲା। ତାହା ହେଉଛି ପୂର୍ବଭଳି ସେମାନଙ୍କ ଅଂଶଧନ ୩୦% ରହିବ, କିନ୍ତୁ ଭୋଟିଂ ଅଧିକାରୀ ୨୦% ଅଂଶଧନ ସ୍ତରକୁ ଖସିଯିବ। ରିଜର୍ଭ ବ୍ୟାଙ୍କକୁ କୋଟାକ୍ ପରିବାର ଦୁଇଟି ବିକଳ୍ପ ପ୍ରଦାନ କରିଛି। ତାହା ହେଉଛି ଅଂଶଧନ କମାଇବୁ, ନଚେତ୍ ଭୋଟିଂ ଅଧିକାର। ଏହି ଦୁଇଟି ବିକଳ୍ପ ମଧ୍ୟରୁ ଯେକୌଣସି ଗୋଟିଏକୁ ରିଜର୍ଭ ବ୍ୟାଙ୍କ ଗ୍ରହଣ କରୁ ବୋଲି ସେମାନେ ଚାହୁଛନ୍ତି। ରିଜର୍ଭ ବ୍ୟାଙ୍କ କୌଣସି ଗୋଟିଏ ବିକଳ୍ପକୁ ଗ୍ରହଣ କରିପାରୁନାହିଁ। ଗତ ମାର୍ଚରେ ହୋଇଥିବା ଶୁଣାଣି ବେଳେ ରିଜର୍ଭ ବ୍ୟାଙ୍କର ଆଇନଜୀବୀ ଯୁକ୍ତି କରିଥିଲେ ଯେ ଯଦି କୋଟାକ୍ର କୌଣସି ପ୍ରସ୍ତାବ ଗ୍ରହଣ କରାଯିବ ତାହା ରିଜର୍ଭ ବ୍ୟାଙ୍କର ସ୍ବାଧୀନତାରେ ହସ୍ତକ୍ଷେପ ଭଳି କାମ ହେବ।
ଏହି ମାମଲାରେ ରିଜର୍ଭ ବ୍ୟାଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ‘ବ୍ୟାଙ୍କିଙ୍ଗ୍ ନିୟାମକ ନିୟମ। ସେଥିରେ ସ୍ପଷ୍ଟ ଭାବେ ଉଲ୍ଳେଖ ରହିଛି ଯେ ଇକ୍ବିଟି ଓ ପ୍ରିଫରେନ୍ସିଆଲ୍ ସେୟାର ପରିମାଣ କମାଇବାକୁ ହେବ। କୌଣସି ସ୍ଥାନରେ ଭୋଟିଂ ଅଧିକାର ବିଷୟରେ ଉଲ୍ଲେଖ କରାଯାଇନାହିଁ। ଏବେ ହାଇକୋର୍ଟ ହିଁ ବିଚାର କରିବେ ରିଜର୍ଭ ବ୍ୟାଙ୍କ ଓ କୋଟାକ୍ ପାଇଁ କ’ଣ ଭଲ ହେବ।
ରିଜର୍ଭ ବ୍ୟାଙ୍କ ପାଇଁ ସମସ୍ୟା
ଏହି ମାମଲାରେ ରିଜର୍ଭ ବ୍ୟାଙ୍କ ପାଇଁ ସମସ୍ୟା ହେଉଛି ବ୍ୟାଙ୍କିଙ୍ଗ୍ ନିୟାମକ ନିୟମ। ସେଥିରେ କେବଳ ଇକ୍ବିଟି ଓ ପ୍ରିଫରେନ୍ସିଆଲ୍ ସେୟାର କମ୍ କରିବାକୁ କୁହାଯାଇଛି। ଭୋଟିଂ ଅଧିକାର ବିଷୟରେ କିଛି କଥା ଉଲ୍ଲେଖ ନାହିଁ।
କୋଟାକ୍ର ପ୍ରସ୍ତାବ
୧-ଅଂଶଧନ କମାଇବୁ, ଭୋଟିଂ ଅଧିକାର ଛାଡ଼ିବୁନି
୨-ଭୋଟିଂ ଅଧିକାର ଛାଡ଼ିବୁ, ଅଂଶଧନ କମାଇବୁନି
କୌଣସି ପ୍ରସ୍ତାବକୁ ରିଜର୍ଭ ବ୍ୟାଙ୍କ ଗ୍ରହଣ କରିପାରୁନାହିଁ।