ଟ୍ରେନ୍‌ରେ ଅଧିକ ବ୍ୟାଗ୍‌ ନେଲେ ଲାଗିବ ଜରିମାନା

ନୂଆଦିଲ୍ଲୀ: ବିମାନରେ ଯାତ୍ରା ସମୟରେ ଯାତ୍ରୀମାନେ ଏକ ନିର୍ଦିଷ୍ଟ ଓଜନର ବ୍ୟାଗ୍‌କୁ ମାଗଣାରେ ନେଇପାରୁଛନ୍ତି। ଧାର୍ଯ୍ୟ ସୀମାଠାରୁ ବ୍ୟାଗ୍‌ର ଓଜନ ଅଧିକ ହେଲେ ଯାତ୍ରୀମାନେ ସେଥିପାଇଁ ଅଧିକ ଟଙ୍କା ଗଣୁଛନ୍ତି। ସେଭଳି ବ୍ୟବସ୍ଥା ରେଳ ଯାତ୍ରୀଙ୍କ ପାଇଁ ଲାଗୁ କରାଯିବ। ରେଳ ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ, ଶୟନ ଶ୍ରେଣୀର ଯାତ୍ରୀମାନେ ୪୦ କେଜି ଓ ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନେ ୩୫ କେଜିର ବ୍ୟାଗ୍‌ ମାଗଣାରେ ନେଇପାରିବେ। ଯେଉଁ ଯାତ୍ରୀମାନେ ଏହି ସୀମାଠାରୁ ଅଧିକ ଓଜନର ବ୍ୟାଗ୍‌ ନେଇ ଯାତ୍ରା କରିବେ ସେମାନଙ୍କୁ ସେଥିପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ। ଅଧିକ ଓଜନର ବ୍ୟାଗ୍‌ଗୁଡ଼ିକ ପାଇଁ ସେମାନଙ୍କୁ ଆଗୁଆ ବୁକିଙ୍ଗ କରିବାକୁ ହେବ। ବଡ଼ ବଡ଼ ବ୍ୟାଗ୍‌ଗୁଡ଼ିକର ଲଗେଜ୍‌ ଭ୍ୟାନ୍‌ରେ ପଠାଇବାର ବ୍ୟବସ୍ଥା କରାଯିବ। ଯାତ୍ରୀମାନେ ପାର୍ସଲ୍‌ କାର୍ଯ୍ୟାଳୟରେ ନିଜର ଅତିରିକ୍ତ ବ୍ୟାଗ୍‌ଗୁଡ଼ିକର ବୁକିଙ୍ଗ୍‌ କରିପାରିବେ। ଯେଉଁଯାତ୍ରୀମାନେ ଅଧିକ ଓଜନର ବ୍ୟାଗ୍‌ ନେଇ ଯାତ୍ରା କରୁଥିବେ ଯଦି ସେମାନେ ଧରାପଡ଼ିବେ ତାଙ୍କଠାରୁ ୬ ଗୁଣା ଅର୍ଥ ଜରିମାନା ବାବଦରେ ଆଦାୟ କରାଯିବ। ବିମାନର ଯାତ୍ରୀଙ୍କ ବ୍ୟାଗ୍‌୍‌ଗୁଡ଼ିକୁ ଯାତ୍ରା ପୂର୍ବରୁ ଓଜନ କରାଯାଇଥାଏ। ରେଳ ଯାତ୍ରୀଙ୍କ କ୍ଷେତ୍ରରେ ସେଭଳି ବ୍ୟବସ୍ଥା ଗ୍ରହଣ କରାଯିବ ନାହିଁ। ରେଳବାଇର ଅଧିକାରୀମାନେ ସମୟ ସମୟରେ ଯାଞ୍ଚ କରିବେ। ଯେଉଁ ଯାତ୍ରୀମାନଙ୍କ ପାଖରେ ଅଧିକ ଓଜନର ବ୍ୟାଗ୍‌ ମିଳିବ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ରେଳ ଯାତ୍ରୀମାନେ ନିଜ ସହିତ ନିର୍ଦିଷ୍ଟ ଆକାର ଓ ଆକୃତିର ଟ୍ରଙ୍କ, ସୁଟ୍‌କେସ୍‌ ଓ ବାକ୍ସ ନେଇପାରିବେ। ଯଦି ସେଗୁଡ଼ିକର ଆକାର ଧାର୍ଯ୍ୟ ସୀମାଠାରୁ ବଡ଼ ହୋଇଥିବ ତେବେ ସେଗୁଡ଼ିକୁ ଲଗେଜ୍‌ ଭ୍ୟାନ୍‌ରେ ଭର୍ତି କରାଯିବ। ଏହି ନୀତିକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ରେଳବାଇ ପକ୍ଷରୁ ଜୁନ୍‌ ୧ରୁ ୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଜୋନ୍‌ରେ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯିବ।

କେତେ ଜରିମାନା ଲାଗିବ?
ଜଣେ ବ୍ୟକ୍ତି ଶୟନ ଶ୍ରେଣୀରେ ୪୦ କିଲୋର ବ୍ୟାଗ୍‌ ମାଗଣାରେ ନେଇପାରିବେ। ଯଦି ତାଙ୍କ ପାଖରେ ୮୦ କିଲୋର ବ୍ୟାଗ୍‌ ଥିବ ତେବେ ୧୦୯ ଟଙ୍କା ଦେଇ ସେ ଅତିରିକ୍ତ ୪୦ କେଜି ବ୍ୟାଗ୍‌ର ଆଗୁଆ ବୁକିଙ୍ଗ୍‌ କରିପାରିବେ। ଯଦି ସେ ତାହା କରିନଥିବେ ଓ ରେଳବାଇ ଅଧିକାରୀଙ୍କ ଯାଞ୍ଚ ବେଳେ ଧରାପଡ଼ିବେ ତେବେ ତାଙ୍କଠାରୁ ୬୫୪ ଟଙ୍କାର ଜରିମାନା ଆଦାୟ କରାଯିବ। ସେହିପରି ଏସି ପ୍ରଥମ ଶ୍ରେଣୀର ଯାତ୍ରୀ ନିଜ ସହିତ ୭୦ କେଜିର ବ୍ୟାଗ୍‌ ମାଗଣାରେ ଓ ଅତିରିକ୍ତ ଚାର୍ଜ ଦେଇ ସର୍ବାଧିକ ୧୫୦ କେଜିର ବ୍ୟାଗ୍‌ ନେଇପାରିବେ। ଏସି ଟାୟାର-୨ର ଯାତ୍ରୀମାନେ ମାଗଣାରେ ୫୦ କେଜି ଓ ସର୍ବାଧିକ ୧୦୦ କେଜିର ବ୍ୟାଗ୍‌ ନିଜ ସାଙ୍ଗରେ ନେଇପାରିବେ। ଅତିରିକ୍ତ ୫୦ କେଜି ବ୍ୟାଗ୍‌ ପାଇଁ ତାଙ୍କୁ ଆଗୁଆ ବୁକିଙ୍ଗ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର