ବିକାଶ କାହାଣୀକୁ ଗ୍ରହଣ କରିପାରୁନି ଫିଚ୍‌, ରେଟିଂ ବଢ଼ାଇବାକୁ ମନା କଲା

‘ନିର୍ବାଚନରେ କାହାକୁ ବଡ଼ ଧରଣର ବହୁମତ ମିଳିବନି’

ନୂଆଦିଲ୍ଲୀ: ବିଶ୍ବର ଅଗ୍ରଣୀ ରେଟିଂ ଏଜେନ୍ସି ଫିଚ୍‌ ଭାରତର ବିକାଶ କାହାଣୀକୁ ସହଜରେ ଗ୍ରହଣ କରିପାରୁନାହିଁ। ସେଥିପାଇଁ ଏହା ଭାରତର ରେଟିଂ ବଢ଼ାଇବାକୁ ମନା କରିଦେଇଛି। ଶେଷ ଥର ପାଇଁ ଏହି ସଂସ୍ଥା ୨୦୦୬ରେ ଭାରତର ରେଟିଂକୁ ‘ବିବିବି-’ ପର୍ଯ୍ୟନ୍ତ ବଢ଼ାଇଥିଲା। ଇତି ମଧ୍ୟରେ ୧୩ ବର୍ଷ ବିତିଯାଇଥିଲେ ମଧ୍ୟ ରେଟିଂରେ ଉନ୍ନତି ଆଣିବାକୁ ଫିଚ୍‌ ଆଗ୍ରହ ଦେଖାଉନାହିଁ।
ଭାରତରେ ଥିବା ସମସ୍ୟା ବିଷୟରେ ଫିଚ୍‌ ଏହାର ରିପୋର୍ଟରେ ଜଣାଇଛି ଯେ, ଋଣ ପରିମାଣ ଉଚ୍ଚ ସ୍ତରରେ ଥିବା ବେଳେ ଆର୍ଥିକ କ୍ଷେତ୍ର ଦୁର୍ବଳ ରହିଛି। ‌ଅନେକ ଢାଞ୍ଚାଗତ ସମସ୍ୟା ସହିତ ବିଦେଶୀ ପୁଞ୍ଜି ଭଣ୍ଡାର ଉପରେ ମଧ୍ୟ ଚାପ ରହିଛି। ଆନ୍ତର୍ଜାତିକ ସ୍ତରରେ ଘଟୁଥିବା ଘଟଣାଗୁଡ଼ିକର ପ୍ରଭାବ ପଡ଼ିବା ବିପଦ ମଧ୍ୟ ଭାରତ ଉପରେ ରହିଛି। ବିଦେଶୀ ପୁଞ୍ଜିନିବେଶ ନିୟମ କୋହଳ ହେବା ଏବଂ ନାଲିଫିତା ସମସ୍ୟା କିଛିଟା ଦୂର ହୋଇଥିଲେ ମଧ୍ୟ ଏବେବି ଭାରତରେ ବ୍ୟବସା‌ୟ କରିବା ଏକ କଷ୍ଟକର ବ୍ୟପାର ହୋଇ ରହିଛି। ଦେଶକୁ ବିଦେଶୀ ପୁଞ୍ଜିନିବେଶ ଆଗମନ ହ୍ରାସ ପାଇଛି ବୋଲି ଫିଚ୍‌ କହିଛି। ଲୋକସଭା ନିର୍ବାଚନକୁ ନେଇ ମଧ୍ୟ ଫିଚ୍‌ ବଡ଼ ଆକଳନ କରିଛି। ଏଥର ନିର୍ବାଚନରେ କୌଣସି ଦଳକୁ ବଡ଼ ଧରଣର ବହୁମତ ମିଳିବ ନାହିଁ। ଜିଏସ୍‌ଟି ଭଳି ସଂସ୍କାର ପାଇଁ ସମର୍ଥନ ଜୁଟାଇବା ବର୍ତ୍ତମାନର ସରକାରଙ୍କ ପାଇଁ କଷ୍ଟକର ହୋଇପଡ଼ିବ ବୋଲି ଫିଚ୍‌ ଜଣାଇଛି।

ଗ୍ରାମାଞ୍ଚଳରେ ସଙ୍କଟ, ବେକାରୀ ବଢ଼ିଛି
ଦେଶରେ ମାନୁଫାକ୍‌ଚରିଂ କ୍ଷେତ୍ରର ଦୁର୍ବଳ ପ୍ରଦର୍ଶନ ଏବଂ ଚାଷୀଙ୍କ ଆୟ କମିଥିବାରୁ ଅଭିବୃଦ୍ଧି ହାର ହ୍ରାସ ପାଉଛି। ବେକାରୀ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗ୍ରାମାଞ୍ଚଳରେ ଲୋକମାନେ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି। ଫିଚ୍‌ ନିଜ ରିପୋର୍ଟରେ ଏହା ଜଣାଇଛି। ଫିଚ୍‌ ଆକଳନ କରିଛି ଯେ ୨୦୧୯-୨୦ରେ ଭାରତର ଅଭିବୃଦ୍ଧି ହାର ୬.୮%ଭଳି ନିମ୍ନ ସ୍ତରକୁ ଖସିବ। ଦେଶ ଭିତରେ ଉତ୍ପାଦନ କ୍ଷେତ୍ରର ‌ପ୍ରଦର୍ଶନ ନୈରାଶ୍ୟଜନକ ରହିଥିବା ବେଳେ ଖାଦ୍ୟ ସାମଗ୍ରୀ ଦର କମ୍ ରହୁଥିବାରୁ ଚାଷୀଙ୍କ ଆୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ନିଯୁକ୍ତିକୁ ନେଇ ମଧ୍ୟ ଦେଶରେ ବିଶେଷ ସୁଯୋଗ ନାହିଁ। ଦେଶରେ ବେରୋଜଗାର ପରିମାଣ ବଢ଼ିଥିବାର ଅନେକ ସଙ୍କେତ ଦେଖିବାକୁ ମିଳୁଥିବା ଫିଚ୍‌ କହିଛି। ରିଜର୍ଭ ବ୍ୟାଙ୍କ ମଧ୍ୟ ଆଜି ମୁଦ୍ରାନୀତି ସମୀକ୍ଷା ରିପୋର୍ଟରେ ଜଣାଇଛି ଯେ, ଖାଦ୍ୟ ସାମଗ୍ରୀ ଦର ଆବଶ୍ୟକତା ଠାରୁ ନିମ୍ନ ସ୍ତରରେ ରହିବା ଅର୍ଥନୀତି ପାଇଁ ଭଲ ନୁହେଁ। ଗତ ଫେବ୍ରୁଆରିରେ ପନିପରିବା, ଚିନି, ଡାଲି ଓ ଫଳ ଦର ବହୁତ କମ୍ ରହିଥିଲା। ଏହା ଦ୍ବାରା ଗ୍ରାମାଞ୍ଚଳରେ ଆର୍ଥିକ ସଙ୍କଟ ଦେଖାଦେବ। ଚାଷୀଙ୍କ ଆୟ କମ୍ ରହିବ। ଫଳରେ ଗ୍ରାମାଞ୍ଚଳରେ ଚାହିଦା ହ୍ରାସ ପାଇବ ଓ ତାହା ଦେଶର ଅର୍ଥନୀତିକୁ ଦୁର୍ବଳ କରିଦେବ ବୋଲି ରିଜର୍ଭ ବ୍ୟାଙ୍କ ଏହାର ରିପୋର୍ଟରେ କହିଛି।

ସମ୍ବନ୍ଧିତ ଖବର