ଫ୍ଲିପ୍‌କାର୍ଟ ହାତ ଛାଡ଼ିପାରେ ୱାଲ୍‌ମାର୍ଟ

ନୂଆଦିଲ୍ଲୀ: ନୂଆ ଇ-କମର୍ସ ନୀତି ବିଦେଶୀ କଂପାନିଗୁଡ଼ିକର ନିଦ ହଜାଇ ଦେଇଛି। ଯେଉଁ ଆଶା ନେଇ ସେମା‌ନେ ଭାରତ ଆସିଥିଲେ ତାହା ମଉଳିବାରେ ଲାଗିଛି। ଦୁଇ ବିଶ୍ବସ୍ତରୀୟ କଂପାନି ଆମାଜନ୍ ଓ ୱାଲ୍‌ମାର୍ଟ ଭାରତର ଇ-କମର୍ସ ବଜାରରେ ବିପୁଳ ପରିମାଣର ନିବେଶ କରିଛନ୍ତି। ଆମାଜନ୍ ନିଜସ୍ବ ଦମ୍‌ରେ ଆଗକୁ ମାଡ଼ି ଚାଲିଥିବା ବେଳେ ନିକଟରେ ଫ୍ଲିପ୍‌କାର୍ଟରେ ୧୬ ବିଲିଅନ୍‌ ଡଲାରର ପୁଞ୍ଜିନିବେଶ କରି ୱାଲମାର୍ଟ ପ୍ରତିଯୋଗିତାରେ ଦୌଡ଼ିବା ଆରମ୍ଭ କରିଥିଲା। କିଛି ପାଦ ଆଗକୁ ବଢ଼ିନଥିବା ବେଳେ ଭାରତ ସରକାର ନୂଆ ଇ-କମର୍ସ ନୀତି ଜାରି କରି ୱାଲ୍‌ମାର୍ଟକୁ ବଡ଼ ଝଟ୍‌କା ଦେଇଛନ୍ତି। ଏହି ନିୟମ ଯୋଗୁ ବିଦେଶୀ କଂପାନିଗୁଡ଼ିକ ନିମନ୍ତେ ଭାରତ ଏକ କଷ୍ଟକର ବଜାର ହୋଇପଡ଼ିଛି। ୱାଲ୍‌ମାର୍ଟ ପାଇଁ ଭାରତରେ କାରବାର କରିବା ସହଜ ହେବନାହିଁ ବୋଲି ‘ମର୍ଗାନ୍ ଷ୍ଟାନ୍‌ଲି’ ନାମକ ସଂସ୍ଥା ଆକଳନ କରିଛି। ଭାରତୀୟ ବଜାରରୁ ଓହରିଯିବା କଂପାନି ପାଇଁ ବେଶି ଭଲ ହେବ ବୋଲି ଏହା ୱାଲ୍‌ମାର୍ଟକୁ ପରାମର୍ଶ ଦେଇଛି। ଯଦି ମର୍ଗାନ ଷ୍ଟାନ୍‌ଲି କଥାକୁ ୱାଲ୍‌ମାର୍ଟ ମାନିବ ତେବେ ଫ୍ଲିପ୍‌କାର୍ଟରେ ତାହାର ଯେଉଁ ୭୭% ଅଂଶଧନ ରହିଛି ତାହାକୁ ବିକ୍ରି କରିବାକୁ ପଡ଼ିବ। ଏଭଳି ହେଲେ ଫ୍ଲିପ୍‌କାର୍ଟ ପୁଣି ଥରେ ବିକ୍ରି ହୋଇଯିବ। କିଛି ବର୍ଷ ପୂର୍ବେ ଚୀନ୍‌ରେ ଆମାଜନ୍‌କୁ ଯେଉଁ ଦଶା ଭୋଗିବାକୁ ପଡ଼ିଥିଲା ଭାରତରେ ୱାଲ୍‌ମାର୍ଟର ଅବସ୍ଥା ସେଭଳି ହୋଇଯିବ। ଚୀନ୍‌ରେ କାରବାର କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିବା ପରେ ଆମାଜନ୍‌ ସେଠାରୁ ଓହରିଯାଇଥିଲା।

ସମ୍ବନ୍ଧିତ ଖବର