୧୨ଟି ଫୁଟବଲ୍‌ ପଡ଼ିଆଠାରୁ ବି ବଡ଼ ଫ୍ଲିପ୍‌କାର୍ଟ ଅଫିସ୍‌

ବେଙ୍ଗାଲୁରୁ: ଗୁଗୁଲ୍‌, ଫେସବୁକ୍‌, ଆପଲ୍‌ ଓ ଟ୍ଵିଟର୍‌ ଭଳି ବିଶ୍ୱ ସ୍ତରୀୟ କଂପାନି ନିଜର କାରବାରକୁ ନେଇ ସବୁ ବେଳେ ଚର୍ଚାରେ ରହିଥାନ୍ତି। ଏହି କଂପାନିଗୁଡ଼ିକ ଭିତରେ ଥିବା ଅନ୍ୟ ଏକ ସମାନତା ହେଉଛି ସେମାନଙ୍କର ବୃହତ ଆକାର କାର୍ଯ୍ୟ୍ୟାଳୟ। ଏହି କଂପାନିଗୁଡ଼ିକ ଢ଼ାଞ୍ଚାକୁ ଅନୁସରଣ କରି ଭାରତର ବଡ଼ ଇ-କମର୍ସ କଂପାନି ଫ୍ଲିପ୍‌କାର୍ଟ ନୂଆ କାର୍ଯ୍ୟାଳୟ ବେଙ୍ଗାଲୁରୁଠାରେ ଖୋଲିଛି। ପୂର୍ବରୁ ସେହି ସହରରେ ଥିବା ୧୧ଟି କାର୍ଯ୍ୟାଳୟ ଜରିଆରେ ଫ୍ଲିପ୍‌କାର୍ଟ କାମ କରୁଥିଲା। ଏବେ ସବୁ କାମ ନୂଆ କାର୍ଯ୍ୟାଳୟରେ ହେବ। କାର୍ଯ୍ୟାଳୟ ପରିସରରେ ତିନିଟି ବଡ଼ ବଡ଼ କୋଠା ରହିଛି। ଏହାକୁ ୮ ଲକ୍ଷ ୩୦ ହଜାର ବର୍ଗଫୁଟ ଜମିରେ ନିର୍ମାଣ କରାଯାଇଛି। କାର୍ଯ୍ୟାଳୟ ପରିସର ୧୨ଟି ଫୁଟବଲ୍‌ ପଡ଼ିଆଠାରୁ ବଡ଼ ହେବ। ବେଙ୍ଗାଲୁରୁର ଆଉଟର୍‌ ରିଙ୍ଗ୍‌ ରୋଡ୍‌ରେ ଥିବା ଏମ୍ବାସି ଟେକ୍‌ ଭିଲେଜ୍‌ରେ ଫ୍ଲିପ୍‌କାର୍ଟର ଏହି ନୂଆ କାର୍ଯ୍ୟାଳୟ ନିର୍ମାଣ କରାଯାଇଛି। ଚଳିତ ବର୍ଷ ମାର୍ଚ ୩୧ରେ ଏହି କାର୍ଯ୍ୟାଳୟକୁ ଉଦ୍‌ଘାଟନ କରାଯାଇଥିଲା। ତିନିଟି କୋଠା ମଧ୍ୟରୁ ଗୋଟିଏ କୋଠାର ଛାତରେ ଏକ ବାସ୍କେଟ୍‌ ବଲ୍‌ ପଡ଼ିଆ ରହିଛି। କୋଠାଗୁଡ଼ିକର ନାମ ଏ, ବି ଓ ସି ଦିଆଯାଇଛି। କୋଠାଗୁଡ଼ିକୁ ପରଷ୍ପର ସହିତ ସଂଯୋଗ କରିବା ପାଇଁ ବ୍ରିଜ୍‌ (ପୋଲ) ନିର୍ମାଣ କରାଯାଇଛି। କୋଠାଗୁଡ଼ିକ ୩୦ ମହଲା ବିଶିଷ୍ଟ। ଏହି କାର୍ଯ୍ୟାଳୟରେ ଏକକାଳୀନ ୭୩୦୦ରୁ ଅଧିକ ଲୋକ ଏକାଠି ବସି କାମ କରିପାରିବେ। ‘ୟୁରୋପିଆନ୍‌ ଟାଉନ୍‌’ ଢ଼ାଞ୍ଚାରେ କାର୍ଯ୍ୟାଳୟଟିକୁୁ ନିର୍ମାଣ କରାଯାଇଛି। ସେଥିରେ ଜିମ୍‌, ଫୁଡ୍‌ କୋର୍ଡ ଓ ଡେ କେୟାର ସୁବିଧା ରହିଛି। ଶାନ୍ତ ଅଞ୍ଚଳ (ସାଇଲେନ୍ସ ଜୋନ୍‌) ରହିଛି। ଫ୍ଲିପ୍‌କାର୍ଟର କାର୍ଯ୍ୟାଳୟକୁ ନିର୍ମାଣ କରିବା ପାଇଁ ଇସ୍ପାତ, କଙ୍କ୍ରିଟ୍‌, କାଚ ଓ କାଠକୁ ବ୍ୟବହାର କରାଯାଇଛି। ସବୁଜିମାକୁ ଗୁରୁତ୍ୱ ଦିଆଯାଇଛି। ସ୍ୱତନ୍ତ୍ର ପାଦଚଲା ରାସ୍ତା ମଧ୍ୟ ରହିଛି।

ସମ୍ବନ୍ଧିତ ଖବର