କ୍ରିକେଟ ବ୍ୟାଟ୍‌ ବଦଳରେ ଜ୍ୟାକେଟ୍‌ ଦେଇଥିବାରୁ ୧ଲକ୍ଷ ଟଙ୍କାର ଜରିମାନା ଦେବ ଫ୍ଲିପ୍‌କାର୍ଟ

ଶିବାମୋଗ୍ଗା : ଆଜିକାଲି ଅନ୍‌ଲାଇନ୍‌ ଜିନିଷ କିଣିବାକୁ ଲୋକେ ଅଧିକ ପ୍ରାଧାନ୍ୟ ଦେଲେଣି । କିନ୍ତୁ ବେଳେ ବେଳେ ଭୁଲ ଜିନିଷ ଡେଲିଭର ହେଉଥିବାରୁ କିଛି ଲୋକେ ଅନ୍‌ଲାଇନ୍‌ ଜିନିଷ କିଣିବା ପାଇଁ ଡ଼ରିଥାନ୍ତି । ପୂର୍ବରୁ ଆମେ ଆପଣଙ୍କୁ ଏଭଳି ଘଟଣା ବିଷୟରେ ଜଣାଇଛୁ । ମୋବାଇଲ ଅର୍ଡର କଲେ ଇଟା ଆସିବା ଭଳି ପୂର୍ବରୁ ଘଟିଥିବା ବେଳେ ଏବେ ସେଭଳି ଭୁଲ କରିବା ଫ୍ଲିପ୍‌କାର୍ଟକୁ ଭାରୀ ପଡ଼ିଛି । କ୍ରିକେଟ ବ୍ୟାଟ୍‌ ବଦଳରେ ଜ୍ୟାକେଟ ଦେଇଥିବାରୁ ଫ୍ଲିପ୍‌କାର୍ଟ ଉପରେ ୧ଲକ୍ଷ ଟଙ୍କା ଜରିମାନା ଲଗାଯାଇଥିବା ଜଣାପଡ଼ିଛି ।

ଫ୍ଲିପ୍‌କାର୍ଟ ଭୁଲ ପ୍ରଡକ୍ଟ ଡେଲିଭର କରିବା ସହ ଏହାକୁ ବଦଳାଇବା ପାଇଁ ମଧ୍ୟ ଅକ୍ଷମ ହୋଇଥିଲା । ଏ ନେଇ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଫୋରମରେ ଅଭିଯୋଗ କରାଯିବା ପରେ ତଦନ୍ତ କରାଯାଇଥିଲା । ଯାହା ପରେ ଫ୍ଲିପ୍‌କାର୍ଟ ଇଣ୍ଟରନେଟ୍‌ ପ୍ରାଇଭେଟ ଲିମିଟେଡ୍‌, ଏହାର ସହ-ସଂସ୍ଥାପକ ଓ କାର୍ଯ୍ୟକାରୀ ନିର୍ଦ୍ଦେଶକ ସଚିନ ବଂଶଲ ଓ ଇ-କାର୍ଟ ଠକେଇ କରିଥିବା ନେଇ ପ୍ରମାଣ ହୋଇଥିଲା । ଦୋଷ ପ୍ରମାଣ ହେବା ପରେ ଏବେ ଫ୍ଲିପ୍‌କାର୍ଟକୁ ୧ଲକ୍ଷ ଟଙ୍କା ଦେବା ପାଇଁ ଆଦେଶ ଦିଆଯାଇଥିବା ଜଣାପଡ଼ିଛି ।

Image result for flipkart
The News Minute

ସୂଚନା ମୁତାବକ, ବଦିରରାଜା ରାଓ ୨୦୧୭ରେ ଏକ କ୍ରିକେଟ ବ୍ୟାଟ୍‌ ଅର୍ଡର କରିଥିଲେ । ଏପ୍ରିଲ ୧୦, ୨୦୧୭ରେ ତାଙ୍କୁ ଇ-କାର୍ଟର ଜଣେ ଡେଲିଭରି ବଏ ଜିନିଷ ଡେଲିଭର କରିବା ସହ ୬,୦୭୪ଟଙ୍କା ନେଇଥିଲେ । ପ୍ୟାକେଟ ଖୋଲିବା ପରେ ଭିତରେ କ୍ରିକେଟ ବ୍ୟାଟ୍‌ ବଦଳରେ କଳା ରଙ୍ଗର ଜ୍ୟାକେଟ ଥିବା ଦେଖିଥିଲେ ବଦିରରାଜା । ଯାହା ପରେ ସେ ଜିନିଷକୁ ବଦଳାଇବା ପାଇଁ ଫ୍ଲିପ୍‌କାର୍ଟ ସହ ସଂପର୍କ କରିଥିଲେ । ଅନେକ ଅନୁରୋଧ ପରେ ମଧ୍ୟ ଫ୍ଲିପ୍‌କାର୍ଟ ଜିନିଷ ବଦଳାଇବାରେ ବିଫଳ ହୋଇଥିଲା ।

ଶେଷରେ ଚଳିତ ବର୍ଷ ମେ’ ୧୩ରେ ବଦିରରାଜା ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଫୋରମରେ ଅଭିଯୋଗ କରିଥିଲେ । ଅଭିଯୋଗ ଉପରେ ଆଲୋଚନା କରାଯିବା ପରେ ବୁଧବାର ଫ୍ଲିପ୍‌କାର୍ଟ ଦୋଷୀ ବୋଲି ଜଣା ପଡ଼ିଥିଲା ।

ସମ୍ବନ୍ଧିତ ଖବର