ଖାଇବା ତେଲ ଆମଦାନୀ ଶୁଳ୍କ ବଢ଼ିଲା

ନୂଆଦିଲ୍ଲୀ: ଦେଶର କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଖାଇବା ତେଲର ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ଅଶୋଧିତ ତାଳ ତେଲର ଆମଦାନୀ ଶୁଳ୍କ ୧୫ ପ୍ରତିଶତ ଥିବାବେଳେ ଏହାକୁ ୩୦ ପ୍ରତିଶତକୁ ବଢ଼ାଇ ଦିଆଯାଇଛି। ସେହିଭଳି ସୋୟାବିନ୍‌, ସୂର୍ଯ୍ୟମୁଖୀ, ସୋରିଷ ତେଲ ଆଦିର ଆମଦାନୀ ଶୁଳ୍କ ମଧ୍ୟ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ବିଭାଗ ପକ୍ଷରୁ ଏ ନେଇ ଶୁକ୍ରବାର ବିଜ୍ଞପ୍ତି କରାଯାଇଛି। ସୋୟାବିନ୍‌ର ଆମଦାନୀ ଶୁଳ୍କ ମଧ୍ୟ ବୃଦ୍ଧି କରାଯାଇଛି। ବିଦେଶରୁ ଶସ୍ତାରେ ଆମଦାନୀ ହେଉଥିବା ଖାଇବା ତେଲ ଉପରେ ରୋକ୍‌ ଲଗାଇବା ଲାଗି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ଏହାଦ୍ୱାରା ଖାଉଟି ଅସୁବିଧାରେ ପଡ଼ିପାରନ୍ତି।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ରାଜୀବ କୁମାରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟି ଦେଶରେ ବିଭିନ୍ନ ପ୍ରକାର ଖାଇବା ତେଲର ମୂଲ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହାପରେ ଖାଇବା ତେଲ ଏବଂ କେତେକ ତୈଳବୀଜର ଆମଦାନୀ ଶୁଳ୍କ ବୃଦ୍ଧି କରିବା ଲାଗି ସୁପାରିସ କରିଥିଲେ। ସିବିଇସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଶୋଧିତ ତାଳ ତେଲ (ପାମ୍‌ ଅଏଲ୍‌)ର ଆମଦାନୀ ଶୁଳ୍କ ଦୁଇଗୁଣ ବୃଦ୍ଧି କରାଯାଇ ୩୦ ପ୍ରତିଶତ ରଖାଯାଇ ଥିବାବେଳେ ରିଫାଇନ୍‌ ତାଳ ତେଲର ଆମଦାନୀ ଶୁଳ୍କ ୨୫ ପ୍ରତିଶତରୁ ୪୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଅଶୋଧିତ ସୋୟାବିନ୍‌ ତେଲର ଆମଦାନୀ ଶୁଳ୍କ ୧୭.୫ ପ୍ରତିଶତରୁ ୩୦ ପ୍ରତିଶତକୁ ବୃଦ୍ଧି କରାଯାଇ ଥିବାବେଳେ ରିଫାଇନ୍‌ ସୋୟାବିନ୍‌ ତେଲର ଆମଦାନୀ ଶୁଳ୍କ ୨୦ ପ୍ରତିଶତରୁ ୩୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଅଶୋଧିତ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଶୁଳ୍କ ୧୨.୫ ପ୍ରତିଶତରୁ ୨୫ ପ୍ରତିଶତକୁ ବୃଦ୍ଧି କରାଯାଇ ଥିବାବେଳେ ରିଫାଇନ୍‌ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଶୁଳ୍କ ୨୦ ପ୍ରତିଶତରୁ ୩୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଅଶୋଧିତ ସୋରିଷ ତେଲର ଆମଦାନୀ ଶୁଳ୍କ ୧୨.୫ ପ୍ରତିଶତରୁ ୨୫ ପ୍ରତିଶତକୁ ବୃଦ୍ଧି କରାଯାଇ ଥିବାବେଳେ ରିଫାଇନ୍‌ ହୋଇଥିବା ସୋରିଷ ତେଲର ଆମଦାନୀ ଶୁଳ୍କ ୨୦ ପ୍ରତିଶତରୁ ୩୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ସୋୟାବିନ୍‌ର ଆମଦାନୀ ଶୁଳ୍କ ୩୦ ପ୍ରତିଶତରୁ ୪୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ବିଭିନ୍ନ ପ୍ରକାର ଖାଇବା ତେଲ ଓ ତୈଳବୀଜ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବା ପାଇଁ ଦାବି କରି ଆସୁଥିବା ଭାରତର ସୋୟାବିନ୍‌ ପ୍ରକ୍ରିୟାକରଣ ସଂଘ (ଏସ୍‌ଓପିଏ) ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି। ସବୁପ୍ରକାର ତୈଳବୀଜର ମୂଲ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ତଳକୁ ହ୍ରାସ ପାଇଥିବାରୁ କୃଷକମାନଙ୍କ ମନରେ ହତାଶାବୋଧ ଖେଳି ଯାଇଥିଲା। ସରକାର ଶେଷରେ ଆମ ଦାବିର ଯଥାର୍ଥତାକୁ ବୁଝି ପାରିଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର