ଦକ୍ଷତା ବିକାଶ ପାଇଁ ୫ ସଂସ୍ଥା ସହ ଏମଓୟୁ

ଆଇଟିଆଇ ଓ ଡିପ୍ଲୋମା ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ଓ ତାଲିମ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଓଏସଡିଏ ଓ ୫ଟି ରାଜ୍ୟ ବାହାରର ସଂସ୍ଥା ସହିତ ଆଜି ଏମଓୟୁ ସ୍ବାକ୍ଷର କରିଛନ୍ତି। ଯେଉଁସବୁ ସଂସ୍ଥା ଗୁଡ଼ିକ ସହ ଏମଓୟୁ ହୋଇଛି ସେଗୁଡ଼ିକ ହେଲା
ଫିକି: ଫିକି ଓ ଓଏସଡିଏ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଉକ୍ତ ସଂସ୍ଥା ଆପ୍ରେଣ୍ଟିସ ଟ୍ରେନିଂ ଉପରେ ଗୁରୁତ୍ବ ଦେବ ଏବଂ ଟ୍ରେନରମାନଙ୍କୁ ଟ୍ରେନିଂ ଦେବା ପାଇଁ ସ୍କିଲଡ ମାଷ୍ଟର ଟ୍ରେନର ଭାବେ ପ୍ରସ୍ତୁତ କରିବ। ଏହାସହିତ କ୍ୟାରିଅର କାଉନସେଲିଂ ଉପରେ ମଧ୍ୟ ଏମାନେ ଗୁରୁତ୍ବ ଦେବେ।
ସ୍ନାଇଡର୍‌ ଇଲେକ୍ଟ୍ରିକ ଇଣ୍ଡିଆ ଫାଉଣ୍ଡେସନ: ସ୍ନାଇଡର ଇଲେକ୍ଟ୍ରିକ ଇଣ୍ଡିଆ ଫାଉଣ୍ଡେସନ ବେଙ୍ଗାଲୁରୁ ସହିତ ଏକ ବୁଝାମଣାପତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି। ରାଜ୍ୟର ସରକାରୀ ଆଇଟିଆଇ ଗୁଡ଼ିକରେ ‌ଇଲେକ୍ଟ୍ରିକାଲ ଟ୍ରେଡରେ ଶିକ୍ଷାଲାଭ କରୁଥିବା ଛାତ୍ରମାନଙ୍କୁ କୁଶଳୀ କରିବା ପାଇଁ ଭିତ୍ତିଭୂମି ଏହି ସଂସ୍ଥା ସ୍ଥାପନ କରିବ। ପ୍ରଥମ ପର୍ଯ୍ୟାୟରେ ସରକାରୀ ଆଇଟିଆଇ-କଟକରେ ଏକ ଅତ୍ୟାଧୁନିକ ଇଲେକ୍ଟ୍ରିକାଲ ଲାବ୍ ସ୍ଥାପନ ହେବ। ଏହାଦ୍ବାରା ଇଲେକ୍ଟ୍ରିସିଆନ ଟ୍ରେଡରେ ଶିକ୍ଷାଲାଭ କରୁଥିବା ୪୪୧ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ। ପର୍ଯ୍ୟାୟକ୍ରମେ ଏଭଳି ସୁବିଧା ବ୍ରହ୍ମପୁର ଓ ହିରାକୁଦସ୍ଥିତ ସରକାରୀ ଆଇଟିଆଇରେ ଉପଲବ୍ଧ କରାଯିବ।
ୟେସ୍ କନସଲଟାଣ୍ଟସ, ଦିଲ୍ଲୀ: ରାଜ୍ୟର ପ୍ରମୁଖ ଆଇଟି ଓ ଡିପ୍ଲୋମା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ଉତ୍ତମ ପ୍ଲେସମେଣ୍ଟ ଦେବା ପାଇଁ ରାଜ୍ୟ ସରକାର ଦିଲ୍ଲୀର ପ୍ଲେସମେଣ୍ଟ ପରାମର୍ଶଦାତା ସଂସ୍ଥା ୟେସ କନସଲଟାଣ୍ଟସ ସହିତ ଏମଓୟୁ ସ୍ବାକ୍ଷର କରିଛନ୍ତି। ଏହି ସଂସ୍ଥା ରାଜ୍ୟ ସରକାରଙ୍କ ଡିଟିଇ ଆଣ୍ଡ ଟିର କେନ୍ଦ୍ରୀୟ ପ୍ଲେସମେଣ୍ଟ ସେଲ୍ ସହିତ ମିଶି ଛାତ୍ରଛାତ୍ରୀଙ୍କ ପ୍ଲେସମେଣ୍ଟ ପାଇଁ କାର୍ଯ୍ୟ କରିବ।
ଟେକ୍ ମହିନ୍ଦ୍ରା ଲିମିଟେଡ, ପୁନେ: ସେହିଭଳି ରାଜ୍ୟରେ ଡିପ୍ଲୋମା ଓ ଆଇଟିଇ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ପ୍ଲେସମେଣ୍ଟ ଲାଗି ରାଜ୍ୟ ସରକାର ପୁନେର ଟେକ୍ ମହିନ୍ଦ୍ରା ଲିମିଟେଡ ସହିତ ଏମଓୟୁ ସ୍ବାକ୍ଷର କରିଛନ୍ତି।
ଏମ୍ଲଇବିଲିଟି ବ୍ରିଜ୍/ସର୍ଜଫୋର୍ଥ ଟେକ୍ନୋଲୋଜିଜ୍ ପ୍ରାଇଭେଟ ଲିମିଟେଡ, ଚେନ୍ନାଇ: ସେହିଭଳି ରାଜ୍ୟରେ ଡିପ୍ଲୋମା ଓ ଆଇଟିଇ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ପ୍ଲେସମେଣ୍ଟ ସୁବିଧା ଯୋଗାଇବା ଲାଗି ରାଜ୍ୟ ସରକାର ଏମ୍ଲଇବିଲିଟି ବ୍ରିଜ୍/ସର୍ଜଫୋର୍ଥ ଟେକ୍ନୋଲୋଜିଜ୍ ପ୍ରାଇଭେଟ ଲିମିଟେଡ, ଚେନ୍ନାଇ ସହିତ ଏମଓୟୁ ସ୍ବାକ୍ଷର କରିଛନ୍ତି। ବୁଝାମଣାପତ୍ର ସ୍ବାକ୍ଷର ଅବସରରେ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଉଷା ଦେବୀ, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚି, ବିଭାଗୀୟ ସଚିବ ସଞ୍ଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର