ଓଡ଼ିଶାରେ ଫକ୍ସକନ୍‌ କାରଖାନା ଆଶା ଉଜ୍ଜୀବିତ

ଚେନ୍ନାଇ କାରଖାନାକୁ ଅନୁଧ୍ୟାନ ପାଇଁ ଯ‌ିବେ ସରକାରୀ ଅଧିକାରୀ

ଭୁବନେଶ୍ବର: ବିଶ୍ବର ସର୍ବବୃହତ୍ ଠିକା ଇଲେ‌କ୍‌ଟ୍ରୋନିକ୍ସ ସାମଗ୍ରୀ ନିର୍ମାତା ଫକ୍ସକନ୍ ଓଡ଼ିଶାରେ ଏହାର ନିର୍ମାଣ ୟୁନିଟ ସ୍ଥାପନ କରିପାରେ। ଏ ସଂକ୍ରାନ୍ତରେ କମ୍ପାନି ୨ ବର୍ଷ ତଳେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ କୌଣସି ଅଗ୍ରଗତି ହୋଇ ପାରି ନଥିଲା। କମ୍ପାନି ଏ ନେଇ ରାଜ୍ୟର ସରକାରୀ ଅଧିକାରୀଙ୍କ ସହିତ କୌଣସି ଆଲୋଚନା ମଧ୍ୟ କରି ନଥିଲା। ଏବେ କିନ୍ତୁ କମ୍ପାନି ମହାରାଷ୍ଟ୍ରରେ ବସାଇବାକୁ ଥିବା କାରଖାନା ନିର୍ମାଣ ନେଇ କୌଣସି ଅଗ୍ରଗତି ‌ନ ହେବାରୁ ଓଡ଼ିଶାରେ କାରଖାନା ସ୍ଥାପନ ଯୋଜନାକୁ ବାସ୍ତବ ରୂପ ଦେବା ଲାଗି ଆଗ୍ରହ ପ୍ରକାଶ କରିଛି। ମହାରାଷ୍ଟ୍ର ସରକାରଙ୍କ ସହ କାରଖାନା ସ୍ଥାପନ ଲାଗି ତାଇୱାନର ଏହି କମ୍ପାନି ୫ ବିଲିଅନ ଡଲାରର ଚୁକ୍ତି ୨୦୧୫ ଅଗଷ୍ଟରେ ସ୍ବାକ୍ଷର କରିଥିଲା। ଏହି କାରଖାନାରୁ କମ୍ପାନି ଆପଲ୍‌ର ଆଇଫୋନ ନିର୍ମାଣ ଯୋଜନା ରଖିଥିଲା। ଏହି ପ୍ରକଳ୍ପ ତୃଣମୂଳ ସ୍ତରରେ ସେତେ‌ଟା ଅଗ୍ରଗତି ହୋଇପାରି ନାହିଁ।

ଏକ ସୂଚନା ଅନୁଯାୟୀ, ୨୦୧୬ ଜୁନରେ ଫକ୍ସକନ ଓଡ଼ିଶାର ଉପକୂଳ ଜିଲ୍ଲାରେ ମୋବାଇଲ ହ୍ୟାଣ୍ଡସେଟ କାରଖାନା ସ୍ଥାପନ ନେଇ ଆଗ୍ରହ ଦେଖାଇଥିଲା। ତେବେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହିତ ଏ ନେଇ କୌଣସି ଆଲୋଚନା ନକରିବାରୁ ଏହା କେବଳ ଯୋଜନା ଭିତରେ ହିଁ ସୀମିତ ରହିଯାଇଥିଲା। କିନ୍ତୁ ନିକଟରେ ଫକ୍ସକନର ଭାରତ ମୁଖ୍ୟ ଜୋସ୍ ଫୋଗଲର ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ଭେଟିଥିବା ଜଣାଯାଇଛି। ଓଡ଼ିଶାରେ ଇଲେକଟ୍ରୋନିକ ସିଷ୍ଟମ ଡିଜାଇନ ଓ ମାନୁଫାକଚରିଂ (ଇଏସଡିଏମ) କ୍ଷେତ୍ର ଓ ଶିଳ୍ପ ଅନୁକୂଳ ନୀତି ଉପରେ ଫୋଗଲରଙ୍କୁ ଅଧିକାରୀମାନେ ବିସ୍ତୃତ ସୂଚନା ଦେଇଥିଲେ। ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଜୋସ ଫୋଗଲର ଭେଟିଥିବା କୁହାଯାଉଛି।

ଏପରିକି ଏହି ଆଲୋଚନା ପରେ ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ମଣ୍ଡଳୀ ଫକ୍ସକନର ଚେନ୍ନାଇସ୍ଥିତ କାରଖାନାକୁ ବୁଲିଯିବାର ସମ୍ଭାବନା ରହିଛି। ଏହି ଅବସରରେ ଓଡ଼ିଶା ପକ୍ଷରୁ କ’ଣ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ପାରିବ ସେ ନେଇ କମ୍ପାନିର ଅଧିକାରୀମାନଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ଅଧକାରୀମାନେ ଅବଗତ କରାଇବେ। ତେବେ ଫକ୍ସକନ କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟ‌ରେ କାରଖାନା ସ୍ଥାପନର ବିକଳ୍ପ ସମ୍ପର୍କରେ ଅନୁଧ୍ୟାନ ଚଳାଇଛି ବୋଲି ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାମାସ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ଆୟୋଜନ କରାଯାଇଛି। ଏହି ଅବସରରେ କେତେକ ଇଲେକଟ୍ରୋନିକ୍ସ କମ୍ପାନି ସେମାନଙ୍କ ନିବେଶ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ଭାରତରେ ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡ଼ୁରେ ଫକ୍ସକନର ଦୁଇଟି ପ୍ଲାଣ୍ଟ ରହିଛି। ଆନ୍ଧ୍ର ପ୍ରଦେଶରୁ କମ୍ପାନି ସାଓମି ଏବଂ ତାମିଲନାଡ଼ୁରୁ ନୋକିଆ ଫୋନ ନିର୍ମାଣ କରୁଛି।

ସମ୍ବନ୍ଧିତ ଖବର