ମାଲ୍ୟାଙ୍କୁ ‘ପଳାତକ’ କୁହାଯାଇପାରିବ

ଲଣ୍ଡନ: ଭାରତରେ ବିଭିନ୍ନ ବ୍ୟାଙ୍କଠାରୁ ୯୦୦୦ କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ‘ନ୍ୟାୟଠାରୁ ପଳାତକ’ ଘୋଷଣା କରାଯାଇପାରିବ ବୋଲି ବ୍ରିଟେନ୍‌ର ଏକ ହାଇକୋର୍ଟ କହିଛନ୍ତି।ଗତକାଲି ମାଲ୍ୟାଙ୍କୁ କୋର୍ଟ ବଡ଼ ଧରଣର ଝଟ୍‌କା ଦେଇଛନ୍ତି। ନିଜ ଅର୍ଥରାଶି ଫେରିପାଇବା ପାଇଁ ଭାରତୀୟ ବ୍ୟାଙ୍କଗୁଡ଼ିମ ମାଲ୍ୟାଙ୍କର ବିଦେଶରେ ଥିବା ସମ୍ପତ୍ତିଗୁଡ଼ିକୁ ନିଲାମ କରିପାରିବେ ବୋଲି କୋର୍ଟ କହିଛନ୍ତି। ଶୁଣାଣି ସମୟରେ ବିଚାରପତି କହିଥିଲେ ଯେ ସବୁ ବିଷୟ ବିଚାରକୁ ନେବା ପରେ  ଏହା କୁହାଯାଇପାରିବ ଯେ ମାଲ୍ୟା ହେଉଛନ୍ତି ‘ନ୍ୟାୟଠାରୁ ପଳାତକ’। ମାଲ୍ୟା ଯୁକ୍ତି ଉପସ୍ଥାପନ କରିଥିଲେ ଯେ ୧୯୮୮ ପରଠାରୁ ସେ ପ୍ରବାସୀ ଭାରତୀୟ ହୋଇଯାଇଛନ୍ତି ଏବଂ ୧୯୯୨ଠାରୁ ବ୍ରିଟେନ୍‌ରେ ବାସ କରୁଛନ୍ତି। ତାଙ୍କ ଯୁକ୍ତିକୁ କିନ୍ତୁ ବିଚାରପତି ଗ୍ରହଣ କରିନଥିଲେ।  କୋର୍ଟ କହିଥିଲେ ଯେ ୨୦୧୬ ମାର୍ଚ ପୂର୍ବରୁ ମାଲ୍ୟା ନିୟମିତ ଭାବେ ଭାରତ ଓ ବ୍ରିଟେନ୍‌ ମଧ୍ୟରେ ଯାତାୟାତ କରୁଥିଲେ। ବ୍ୟବସାୟ ଓ ରାଜନୈତିକ କାରଣ ପାଇଁ ସେ ଯିବାଆସିବା କରୁଥିଲେ। ତାଙ୍କର ଅଧିକାଂଶ ବ୍ୟବସାୟ ଭାରତ ସହିତ ଜଡ଼ିତ ରହିଛି। ବିଶେଷ କରି ୟୁନାଇଟେଡ୍‌ ବ୍ରିେଓ୍ଵରିଜ୍‌ ଓ କିଙ୍ଗଫିସର୍‌ ଏୟାରଲାଇନ୍ସ କଥା କୋର୍ଟ କହିଥିଲେ। ୨୦୦୩ ମସିହାରେ ମାଲ୍ୟା ଏକ ନିଲାମରେ ହାସଲ କରିଥିବା ଟିପୁ ସୁଲତାନଙ୍କ ଖଣ୍ଡାକୁ ଅନ୍ୟ କାହାକୁ ଦେଇଦେବା କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ଖୋଲାଖୋଲି ଉଲ୍ଲଘଂନ ବୋଲି ବ୍ରିଟେନ୍‌ର ଏହି ହାଇକୋର୍ଟ କହିଛନ୍ତି। ଟିପୁ ସୁଲ୍‌ତାନଙ୍କ ଖଣ୍ଡା ହେଉଛି ଇତିହାସ ସହିତ ଜଡ଼ିତ ଥିବା ଏକ ସାମଗ୍ରୀ। ତାହାକୁ ଅନ୍ୟ କାହାକୁ ଦେବା ଠିକ୍‌ ନୁହେଁ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର