ପାଉଞ୍ଜି : ରୁପାରୁ ସ୍ପଟିକ ପର୍ଯ୍ୟନ୍ତ

ଭାରତରେ ଝିଅ ଓ ମହିଳାମାନେ ସାଧାରଣତଃ ପାଉଞ୍ଜି ପିନ୍ଧିଥାନ୍ତି। ପାଦରେ ପିନ୍ଧାଯାଉଥିବା ଏହି ଅଳଙ୍କାରରେ ଘୁଙ୍ଗୁର ଲାଗିଥାଏ। ଯାହାଦ୍ୱାରା ଶ୍ରୁତିମଧୁର ଶବ୍ଦ କାନକୁ ଶୁଣାଯାଇଥାଏ। ସୁନା, ରୁପା ସମେତ ମାଳିରେ ମଧ୍ୟ ପାଉଞ୍ଜି ନିର୍ମାଣ ହୋଇଥିବା ଦେଖିବାକୁ ମିଳିଥାଏ। ଏତଦ୍‌ବ୍ୟତୀତ ଆଜିକାଲି ରୁପା ଭଳି ଦେଖାଯାଉଥିବା ଇମିଟେସନ୍‌ ପାଉଞ୍ଜି ମଧ୍ୟ ବଜାରରେ କମ୍‌ ମୂଲ୍ୟରେ ମିିଳିଯାଉଛି। କେବଳ ଉତ୍ସବ ଆଦିରେ ନୁହେଁ ମହିଳାମାନେ ସବୁଦିନେ ପାଦରେ ଏହି ଅଳଙ୍କାର ପିନ୍ଧିଥିବା ଦେଖାଯାଇଥାଏ। ପାଉଞ୍ଜିକୁ ନେଇ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା
ପୂର୍ବଭଳି କେବଳ ରୁପା ଧାତୁରେ ପାଉଞ୍ଜି ମିଳୁନାହିଁ। ରୁପା ସମେତ ସୁନା, ଅନ୍ୟାନ୍ୟ ମିଶ୍ର ଧାତୁ, ମାଳି ଏବଂ ସ୍ପଟିକ ଆଦିର ପାଉଞ୍ଜି ମିଳିଯାଉଛି। ଫଳରେ ମହିଳାମାନେ ସେମାନଙ୍କ ମନପସନ୍ଦ ଧାତୁର ପାଉଞ୍ଜି କିଣିବା ସୁଯୋଗ ପାଇ ପାରୁଛନ୍ତି।
୫୦୦ ଟଙ୍କାରୁ ଆରମ୍ଭ
ବଜାରରେ ପାଉଞ୍ଜିର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ ହେଉଛି। ୧୦ ଗ୍ରାମରୁ ଆରମ୍ଭ କରି ୬୦୦ ଗ୍ରାମ ପର୍ଯ୍ୟନ୍ତ ଓଜନ ବିଶିଷ୍ଟ ହୀରାରେ ପାଉଞ୍ଜି ପ୍ରସ୍ତୁତ ହେଉଛି। ତେଣୁ ପାଉଞ୍ଜିର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ ହୋଇ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଅଧିକାଂଶ ଗ୍ରାହକ ୩୦ ଗ୍ରାମରୁ ୧୦୦ ଗ୍ରାମ ଓଜନ ମଧ୍ୟରେ ପାଉଞ୍ଜି କିଣିବାକୁ ପସନ୍ଦ କରୁଛନ୍ତି। ତେଣୁ ଦେଢ଼ ହଜାର ଟଙ୍କାରୁ ୫ ହଜାର ଟଙ୍କା ମଧ୍ୟରେ ଅଧିକ ସଂଖ୍ୟକ ପାଉଞ୍ଜି ବଜାରରେ ବିକ୍ରି ହେଉଛି।
ହୀରା ଗହଣାର ୬୦% ପାଉଞ୍ଜି
ବଜାରରେ ବିକ୍ରି ହେଉଥିବା ସମୁଦାୟ ହୀରା ଗହଣା ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ହେଉଛି ପାଉଞ୍ଜି। ପାଉଞ୍ଜି ସହିତ ଗୋଡ଼ ମୁଦିର ଅଂଶ ପ୍ରାୟ ୭୦ ପ୍ରତିଶତ ରହୁଥିବା ବେଳେ ପାଉଞ୍ଜିର ଅଂଶ ୬୦ ପ୍ରତିଶତ ବୋଲି ଜଣେ ଗହଣା ବ୍ୟବସାୟୀ ମତ ଦିଅନ୍ତି। ତେବେ ରୁପାର ଅନ୍ୟ ଗହଣା ମଧ୍ୟରେ କାନଫୁଲ, ନାକଫୁଲ ସମେତ ଖାଇବା ପାତ୍ର ଏବଂ ଉପହାର ସାମଗ୍ରୀ ଆଦି ରହିଥାଏ।
ଭିନ୍ନ ଭିନ୍ନ ଷ୍ଟାଇଲ
ମହିଳାମାନେ ସାଧାରଣତଃ ବିଭିନ୍ନ ପ୍ରକାରର ପାଉଞ୍ଜି ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଆଜିକାଲି ଆଧୁନିକ ଷ୍ଟାଇଲର ପାଉଞ୍ଜି ମହିଳା ଓ ଝିଅମାନେ ପିନ୍ଧୁଛନ୍ତି। ପାଦରେ ଥିବା ପାଉଞ୍ଜିର ଗୋଟିଏ ନାଡ଼ ଆଙ୍ଗୁଠି ଆଡ଼କୁ ଲମ୍ବି ରହୁଛି। ସେହିଭଳି ଅନ୍ୟ ଏକ ପ୍ରକାର ପାଉଞ୍ଜି ରହିଛି ଯାହାର ଗୋଟିଏ ନାଡ଼ ଗୋଡ଼ର ମଝି ଆଙ୍ଗୁଠିକୁ ଛନ୍ଦି ରଖୁଛି।
ଫ୍ୟାନ୍‌ସି ପାଉଞ୍ଜି
ବଜାରରେ ଏବେ ରୁପା ପାଉଞ୍ଜି ସମେତ ଅନେକ ଫ୍ୟାନ୍ସି ଓ ଇମିଟେସନ୍‌ ପାଉଞ୍ଜି ମିଳିଯାଉଛି। ମୂଲ୍ୟ ବି ସେତେଟା ଅଧିକ ରହୁନାହିଁ। ଫଳରେ ଫେସନ୍‌ପ୍ରିୟ ମହିଳାମାନେ ଏକାଧିକ ସେଟ୍‌ର ପାଉଞ୍ଜି କ୍ରୟ କରି ପିନ୍ଧୁଛନ୍ତି। ଇମିଟେସନ୍‌ ପାଉଞ୍ଜି ଗ୍ରାହକଙ୍କୁ ୫୦ ଟଙ୍କା ଦାମରେ ବି ମିଳିଯାଉଛି।
ଏକାଧିକ ରଙ୍ଗ
ପାଉଞ୍ଜି କହିଲେ କେବଳ ରୁପେଲି ରଙ୍ଗର ପାଉଞ୍ଜିକୁ ଆଉ ବୁଝାଉନାହିଁ। ରୁପେଲି ସମେତ ସୁନେଲି, ନୀଳ, ନାଲି ଓ ସବୁଜ ରଙ୍ଗର ପାଉଁଜି ବଜାରରେ ମିଳୁଛି। ଝିଅ ଓ ମହିଳାମାନେ ସେମାନଙ୍କ ଡ୍ରେସ୍‌ ଓ ଶାଢ଼ିର ରଙ୍ଗ ଅନୁସାରେ ଆଜିକାଲି ପାଉଞ୍ଜି କିଣୁଛନ୍ତି ଏବଂ ପିନ୍ଧୁଛନ୍ତି।

ଦିନକୁ ୧୦ ଲକ୍ଷ ଟଙ୍କାର ବିକ୍ରି
ରାଜଧାନୀ ଭୁବନେଶ୍ୱରରେ ଦିନକୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ପାଉଞ୍ଜି ବିିକ୍ରି ହେଉଛି ବୋଲି ଜଣେ ଗହଣା ବ୍ୟବସାୟୀ ଆକଳନ କରି କୁହନ୍ତି। ସେହିଭଳି ସାରା ରାଜ୍ୟରେ ଦିନକୁ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପାଉଞ୍ଜି ବିକ୍ରି ହେଉଥିବା ବ୍ୟବସାୟୀମାନେ ମତ ଦିଅନ୍ତି। ବିବାହ ଋତୁ ଏବଂ ପର୍ବ ପର୍ବାଣୀ ସମୟରେ ବିକ୍ରି ସର୍ବାଧିକ ରହୁଛି। ତେବେ ବର୍ଷର ସବୁ ସମୟରେ ପାଉଞ୍ଜି ବିକ୍ରି ହୋଇଥାଏ ବୋଲି ବ୍ୟବସାୟୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର