ଜିଡିପି ତଥ୍ୟରେ ବି ଜାଲିଆତି!

୨୦୧୧ରୁ ୨୦୧୭ ପର୍ଯ୍ୟନ୍ତ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରାଯାଇଛି: ଅରବିନ୍ଦ

ନୂଆଦିଲ୍ଲୀ: ଦେଶର ଜିଡିପି ବା ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି ହାର ନେଇ ବଡ଼ ପ୍ରଶ୍ନ ଉଠାଇଛନ୍ତି ମୋଦୀ ସରକାରଙ୍କ ପୂର୍ବତନ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍। ଉଭୟ ଉପା-୨ ସରକାର ଏବଂ ମୋଦୀ-୧ ସରକାର ଅମଳରେ ଜିଡିପି ତଥ୍ୟକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରାଯାଇଛି। ଏନଡିଏ ଏବଂ ୟୁପିଏ ସରକାରଙ୍କ ଅବଧିର ୨୦୧୧-୧୨ରୁ ୨୦୧୬-୧୭ ପର୍ଯ୍ୟନ୍ତ ଜିଡିପି ଅଭିବୃଦ୍ଧିକୁ ବାସ୍ତବତାଠାରୁ ୨.୫ ପ୍ରତିଶତ ଅଧିକ ଦର୍ଶାଯାଇଛି। ଇଂରାଜୀ ସମ୍ବାଦପତ୍ର ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ସ୍ତମ୍ଭରେ ଶ୍ରୀ ସୁବ୍ରମଣ୍ୟନ୍ ଏଭଳି ଅଭିଯୋଗ ଆଣିଛନ୍ତି। ଉପରୋକ୍ତ ସମୟ ମଧ୍ୟରେ ଦେଶର ଜିଡିପି ଅଭିବୃଦ୍ଧି ପ୍ରକୃତରେ ୪.୫ ପ୍ରତିଶତ ରହିଥିଲା, ୭ ପ୍ରତିଶତ ନୁହେଁ ବୋଲି ସେ କହିଛନ୍ତି।
୨୦୧୧ରୁ ୨୦୧୭ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି ୬.୯ ପ୍ରତିଶତ ହାରରେ ଆଗକୁ ବଢ଼ୁଥିବା ଦାବି କରାଯାଇଥିଲା। କିନ୍ତୁ ଏହି ସମୟ ମଧ୍ୟରେ ଜିଡିପି ଅଭିବୃଦ୍ଧି ହାର ୩.୫ ପ୍ରତିଶତରୁ ୫.୫ ପ୍ରତିଶତ ରହିଥିଲା। ସୁବ୍ରମଣ୍ୟନ୍ ଏ ସମ୍ପର୍କରେ ଲେଖିଛନ୍ତି, ଭାରତୀୟ ନୀତିର ଗାଡ଼ି ଗଡ଼ବଡ଼ ଏବଂ ସମ୍ଭବତଃ ଭାଙ୍ଗି ଯାଇଥିବା ସ୍ପିଡୋମିଟରରେ ଆଗକୁ ବଢ଼ୁଥିଲା।
ସୁବ୍ରମଣ୍ୟନ୍ ଏହା ମଧ୍ୟ କହିଛନ୍ତି, ୨୦୧୧ ପୂର୍ବରୁ ଦେଶରେ ଜିଡିପି ଆକଳନ ‌ବେଳେ ମ୍ୟାନୁଫାକଚରିଂ ମୂଲ୍ୟରେ ଯାହା ଯୋଡ଼ା ଯାଉଥିଲା ଶିଳ୍ପ ଉତ୍ପାଦନ ସୂଚକାଙ୍କ ଏବଂ ବିନିର୍ମାଣ ରପ୍ତାନି ସହିତ ସିଧା ସିଧା ତାଳମେଳ ରହୁଥିଲା। କିନ୍ତୁ ଏହା ପରେ ଏକ ପ୍ରମୁଖ ପ୍ରଣାଳୀଗତ ପରିବର୍ତ୍ତନ ଅଣାଗଲା ଯାହାଦ୍ବାରା ବିନିର୍ମାଣ କ୍ଷେତ୍ର ଏବଂ ଶିଳ୍ପ ଉତ୍ପାଦନ ସୂଚୀ ମଧ୍ୟରେ ତାଳମେଳ ଠିକ୍ ରହିଲା ନାହିଁ। ଫଳରେ ଜିଡିପି ମାପ ପ୍ରଭାବିତ ହେଲା ବୋଲି କୁହାଯାଇଛି।
ତେବେ ଜିଡିପି ଅଭିବୃଦ୍ଧି ତଥ୍ୟକୁ ବଢ଼ାଇ ଚଢ଼ାଇ ଦର୍ଶାଇବା ପଛରେ କୌଣସି ରାଜନୈତିକ ପ୍ରତ୍ୟାଶା ନଥିବା ସେ କହିଛନ୍ତି। ସେହିଭଳି ନିକଟରେ ଜିଡିପି ସଂଖ୍ୟା ପରିବର୍ତ୍ତନ ନେଇ ସୃଷ୍ଟି ହୋଇଥିବା ବିବାଦ ସହିତ ମଧ୍ୟ ଏହାର କୌଣସି ସମ୍ପର୍କ ନାହିଁ। ତେବେ ଏହି କାର୍ଯ୍ୟର ପ୍ରମୁଖ ଭାବ ପ୍ରଯୁକ୍ତି ବିଶାରଦମାନଙ୍କ ଦ୍ବାରା ଏବଂ ଅଧିକତଃ ଉପା-୨ ସରକାର ଅମଳରେ ହୋଇଥିଲା। ଏ ନେଇ ଯେଉଁ ଉଦ୍ୟମ କରାଯାଇଥିଲା ସେଥିରେ କୌଣସି ଖରାପ ଉଦ୍ଦେଶ୍ୟ ନଥିଲେ ମଧ୍ୟ ବ୍ୟବହୃତ ପଦ୍ଧତିଟି ମୁଖ୍ୟତଃ ପ୍ରଯୁକ୍ତିଗତ ଦୃଷ୍ଟିରୁ ଆଗୁଆ ଏବଂ ଅଧିକ ଚଳତଶୀଳ ଅର୍ଥନୀତି ପାଇଁ ଅଧିକ ଉପଯୁକ୍ତ ଥିଲା ବୋଲି ସୁବ୍ରମଣ୍ୟନ୍ କହିଛନ୍ତି। ସୁବ୍ରମଣ୍ୟନ୍ ମୋଦୀ ସରକାରଙ୍କ ଅମଳରେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଦେଶର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ରହିଥିଲେ।

ସମ୍ବନ୍ଧିତ ଖବର