ଦୀପାବଳି ଉପହାର ବଜାର ସରଗରମ

ଦଶହରା ‌ସରି ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି। ଆଉ କିଛିଦିନ ପରେ ଆସିବ ଦୀପାବଳି। ଲୋକମାନେ ଏହି ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳନ କରିବେ। ପରସ୍ପରକୁ ଅଭିନନ୍ଦନ ଜଣାଇବେ। ଉପହାର ପ୍ରଦାନ କରିବେ। ଗତ କିଛିବର୍ଷ ହେଲା ଓଡ଼ିଶାରେ ଦୀପାବଳିରେ ଅନ୍ୟକୁ ଉପହାର ଦେବା ପରମ୍ପରା ଆରମ୍ଭ ହୋଇଯାଇଛି। କାଜୁ, କିସ୍‌ମିସ୍‌, ଚକ୍‌ଲେଟ୍‌, ପିସ୍ତା, ଖଜୁରି ଆଦିର ପ୍ୟାକେଟ କିଣି ନିଜର ବନ୍ଧୁ, ପରିଜନ ଓ ଅତିଥିମାନଙ୍କୁ ପ୍ରଦାନ କରିବେ। ଗ୍ରାହକଙ୍କ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ରାଜ୍ୟର ପ୍ରମୁଖ ସୋ’ରୁମ୍ ଗୁଡ଼ିକ ପ୍ରସ୍ତୁତ ହୋଇସାରିଲେଣି।

ମନମୋହୁଛି ପ୍ୟାକେଟ୍
ବିଭିନ୍ନ ପ୍ରକାର ଆକର୍ଷଣୀୟ ପ୍ୟାକେଟ, ଡିଜାଇନ ବାକ୍ସ ବା ବାସ୍କେଟ, କାଚ ବାଉଲ ସେଟ୍‌, ହାମ୍ପର ଆଦିରେ ବିଭିନ୍ନ ପ୍ରକାର ଡ୍ରାଏ ଫ୍ରୁଟ୍ସ, ଏଲଇଡି ଲାଇଟକୁ ପ୍ୟାକେଜିଂ କରି ସୋରୁମ ଗୁଡ଼ିକ ବିକ୍ରି କରୁଛନ୍ତି। ଏଗୁଡ଼ିକ ଗ୍ରାହକଙ୍କୁ ଆକର୍ଷିତ କରୁଛି। ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଲାଲଚାନ୍ଦ ଏଣ୍ଟରପ୍ରାଇଜେସ୍‌ର ତତ୍ତ୍ବାବଧାୟକ ମିକି ହଂସ କୁହନ୍ତି, ଗ୍ରାହକମାନେ ସେମାନଙ୍କ ବଜେଟ ଅନୁଯାୟୀ ଉପହାର ପ୍ୟାକେଟ ଦୀପାବଳିରେ କ୍ରୟ କରିଥାନ୍ତି। ପ୍ୟାକେଟ ଗୁଡ଼ିକ ସାଧାରଣତଃ ୪୦୦, ୬୦୦, ୧୦୦୦, ୨୦୦୦, ୪୦୦୦ ଏବଂ ୫୦୦୦ ଟଙ୍କାରେ ବିକ୍ରି କରାଯାଉଛି। ଡ୍ରାଏଫ୍ରୁଟ୍ସ, ଚକ୍‌ଲେଟ୍, ରସଗୋଲା, ଗୋଲାପ ଜାମୁ, କାଜୁ ବର୍ଫି ଓ ସୁନ୍ ପାମ୍ପୁଡି ଭଳି ବିଭିନ୍ନ ପ୍ରକାର ମିଠା ବିକ୍ରି ହେଉଛି। ଏତଦ୍‌ବ୍ୟତୀତ ବିଭିନ୍ନ କମ୍ପାନିର ବାଉଲ, ଡିନରସେଟ୍, ଆପ୍ଲାଏନସେସ୍‌, ନନ୍‌ଷ୍ଟିକ୍ ସେଟ ଓ ଅନ୍ୟାନ୍ୟ ଉପହାର ସେଟ୍ ରହିଛି।

କେଉଁଠୁ ଆସିଥାଏ ସାମଗ୍ରୀ
ଡ୍ରାଏ ଫ୍ରୁଟ୍ସ ଏବଂ ଚକୋଲେଟ ସମେତ ଏଲଇଡି କ୍ୟାଣ୍ଡେଲ୍ ଆଦି ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶା ବଜାରକୁ ଆସିଥାଏ। ଡ୍ରାଏଫ୍ରୁଟ୍ସ ଗୁଡ଼ିକ ଡେନମାର୍କ ଓ ତୁର୍କୀ ଆଦି ଦେଶରୁ ଆସିଥାଏ। ଏଲଇଡି ଲାଇଟ ଚୀନ୍‌ରୁ ଆସୁଛି। ଦେଶବିଦେଶରୁ ଆସୁଥିବା ଡ୍ରାଏ ଫ୍ରୁଟ୍ସ ଗୁଡ଼ିକ ତୁଲସି, ନଟରାଜ, ସାଫାୟାର ଆଦି ବ୍ରାଣ୍ଡ୍‌ରେ ବିକ୍ରି ହେଉଛି। ସେହିଭଳି କାର୍ଡବରି ଓ ସାଫାୟାର ଆଦି ବ୍ରାଣ୍ଡ୍‌ର ଚକୋଲେଟ ମଧ୍ୟ ବିକ୍ରି ହେଉଛି। ମଲ୍‌ ଓ ବଡ଼ ସୋରୁମ ଗୁଡ଼ିକରେ ଚକ୍‌ଲେଲେଟ୍‌ ପ୍ୟାକେଟ ଗୁଡ଼ିକର ମୂଲ୍ୟ ୨୦୦ ଟଙ୍କାରୁ ଏବଂ ଡ୍ରାଏ ଫ୍ରୁଟ୍ସ ପ୍ୟାକେଟ ଗୁଡ଼ିକ ୨୫୦ ଟଙ୍କାରୁ ଆରମ୍ଭ ହୋଇଯାଉଛି।

ରିହାତି ବର୍ଷା
ସହରର ନାମୀଦାମୀ ସୋରୁମ୍ ସହିତ ବିଗ୍ ବଜାର, ରିଲାଏନ୍ସ ଭଳି ମଲ୍‌ରେ ଏବେ ଦୀପାବଳି କର୍ଣ୍ଣର ଖୋଲିଲାଣି। ସେଠାରେ ଦୀପଠାରୁ ଆରମ୍ଭ କରି ଡ୍ରାଏ ଫ୍ରୁଟ୍ସ, ମିଠା ସାମଗ୍ରୀ ଆଦି ଉପଲବ୍ଧ ହେଉଛି। ସୋରୁମ୍ ଗୁଡ଼ିକ ମଧ୍ୟ ଆକର୍ଷଣୀୟ ଅଫର ଗ୍ରାହକଙ୍କ ପାଇଁ‌ ଘୋଷଣା କରିଛନ୍ତି। ସାଧାରଣ ଗ୍ରାହକ ଓ କର୍ପୋରେଟ ଗ୍ରାହକଙ୍କ ପାଇଁ ଭିନ୍ନ ଭିନ୍ନ ହାରର ରିହାତି ପ୍ରଦାନ କରାଯାଉଛି।

କାର୍ଡରେ ଉପହାର
ଡିଜିଟାଲ ଯୁଗରେ ଉପହାର ପ୍ରଦାନ ଧାରାରେ ମଧ୍ୟ ଉନ୍ନତି ଆସିଛି। ରିଲାଏନ୍ସ ଟ୍ରେଣ୍ଡ୍‌ସ ପକ୍ଷରୁ ଗ୍ରାହକଙ୍କ ପାଇଁ ଉପହାର କାର୍ଡ ପ୍ରଦାନର ବ୍ୟବସ୍ଥା ରହିଛି। ଏହି କାର୍ଡରେ ଗ୍ରାହକମାନେ ୫୦୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରଖି ସେମାନଙ୍କ ସମ୍ପର୍କୀୟ ଓ ଅତିଥିଙ୍କୁ ଉପହାର ପ୍ରଦାନ କରିପାରୁଛନ୍ତି। ବର୍ଷକ ମଧ୍ୟରେ ସେହି କାର୍ଡ ଜାରିଆରେ ରିଲାଏନ୍ସ ଟ୍ରେଣ୍ଡ୍‌ସରୁ ସପିଂ କରାଯାଇ ପାରୁଛି।

ବଢ଼ୁଛି ବିକ୍ରି
ଦୀପାବଳୀ ପାଖେଇ ଆସୁଥିବାରୁ ସୋରୁମ୍‌ ଓ ମଲ୍‌ ଗୁଡ଼ିକରେ ବିକ୍ରି ବୃଦ୍ଧି ପାଇବାରେ ଲାଗିଛି। ତେବେ ଆସନ୍ତା ସୋମବାରଠାରୁ ବିକ୍ରି ପରିମାଣ ଅଧିକ ରହିବ ବୋଲି ବ୍ୟବସାୟୀମାନେ ଆଶାବ୍ୟକ୍ତ କରିଛନ୍ତି। ସେହିଭଳି ରସଗୋଲା, ସନ୍ଦେଶ ଓ ଅନ୍ୟ ମିଠା ବିକ୍ରେତାମାନେ ମଧ୍ୟ ଆସନ୍ତା ସପ୍ତାହରୁ ସେମାନଙ୍କ ବିକ୍ରି ବୃଦ୍ଧି ପାଇବ ବୋଲି ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର