ପ୍ରତି ଲୋକଙ୍କୁ ମାସକୁ ୧୦୦୦ ଟଙ୍କା ଦିଅ: ଅଭିଜିତ

ନୂଆଦିଲ୍ଲୀ: କରୋନା ସଙ୍କଟ ଦ୍ବାରା ସୃଷ୍ଟି ହୋଇଥିବା ସ୍ଥିତିର ମୁକାବିଲା ଲାଗି ତୁରନ୍ତ ପ୍ରତି ଭାରତୀୟଙ୍କ ପାଖକୁ ମାସକୁ ୧୦୦୦ ଟଙ୍କା ଲେଖାଏଁ ପଠାଇବା ପ୍ରକ୍ରିୟା ଆରମ୍ଭ କରିବାକୁ ନୋବେଲ୍ ବିଜେତା ଅର୍ଥନୀତିଜ୍ଞ ପତିପତ୍ନୀ ଅଭିଜିତ ବାନାର୍ଜୀ ଓ ଇସ୍ଥର୍‌ ଡଫ୍‌ଲୋ ପରାମର୍ଶ ଦେଇଛନ୍ତି। ଜୟପୁର ସାହିତ୍ୟ ଉତ୍ସବକୁ ନେଇ ଆୟୋଜନ କରାଯାଇଥିବା ଏକ ଭର୍ଚୁଆଲ ଆଲୋଚନା ସମୟରେ ଅଭିଜିତ କହିଛନ୍ତି ଯେ, ସାର୍ବଜନୀନ ମୌଳିକ ଆୟ (ୟୁବିଆଇ) ସ୍କିମ୍ ଅଧୀନରେ ତୁରନ୍ତ ପ୍ରତି ଲୋକଙ୍କୁ ସରକାର ୧୦୦୦ ଟଙ୍କା ଲେଖାଏଁ ଦେବା ଦରକାର। ଏହା ସହିତ ‘ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ’ ସ୍କିମ୍‌କୁ ମଧ୍ୟ ସରକାର ତୁରନ୍ତ ଲାଗୁ କରିବା ଦରକାର। ପ୍ରତି ବ୍ୟକ୍ତିଙ୍କୁ ମାସକୁ ୧୦୦୦ ଟଙ୍କା ଦେବା ଦ୍ବାରା ବହୁତ ବଡ଼ ପରିବର୍ତ୍ତନ ଆସିପାରିବ। ଯଦି ୫୦୦ ଟଙ୍କା ଲେଖାଏଁ ଦିଆଯିବ ତେବେ ଏକ ପାଞ୍ଚ ଜଣିଆ ପରିବାରକୁ ୨୫୦୦ ଟଙ୍କା ମିଳିବ। ସେହି ଟଙ୍କାରେ ସେମାନେ ଅନେକ ଜରୁରୀ କାର୍ଯ୍ୟ କରିପାରିବେ। ଭାରତରେ ଚାହିଦାରେ ବଡ଼ ଧରଣର ହ୍ରାସ ଘଟିଛି। ଅର୍ଥନୀତିକୁ ବଞ୍ଚାଇବାକୁ ହେ‌ଲେ ଲୋକଙ୍କ ପାଖକୁ ଟଙ୍କା ପହଞ୍ଚାଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ତାଙ୍କ ପତ୍ନୀ ଡଫ୍‌ଲୋ କହିଛନ୍ତି ଯେ, ସାର୍ବଜନୀନ ମୌଳିକ ଆୟ ସ୍କିମ୍‌କୁ ଭାରତ ଅତି ସହଜରେ ଲାଗୁ କରିପାରିବ। କାରଣ ଭାରତ ପାଖରେ ଜନଧନ ଖାତା-ଆଧାର ଏବଂ ମୋବାଇଲ୍‌ ବ୍ୟବସ୍ଥା ରହିଛି। ଅନୁଦାନ ଓ ସହାୟତା ରାଶି ଉପେକ୍ଷୀତ ଗରିବଙ୍କ ପାଖରେ ପହଞ୍ଚିବ ନାହିଁ ବୋଲି ସରକାରଙ୍କ ଯେଉଁ ଭାବନା ରହିଛି ତାହା ବଦଳିବା ଦରକାର ବୋଲି ସେ କହିଛନ୍ତି। କରୋନା ସଙ୍କଟ ଦ୍ବାରା ଅନେକ ଲୋକ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଥିବାରୁ ସେମାନଙ୍କ ପାଇଁ ସାର୍ବଜନୀନ ଆୟ ସ୍କିମ୍ (ୟୁବିଆଇ) ବିଶେଷ ସହାୟକ ହେବ। ଏହି ସଙ୍କଟ ଟଳିଯିବା ପରେ ମଧ୍ୟ କିଛି ଲୋକଙ୍କ ପାଇଁ ଏହି ସ୍କିମ୍‌ର ପ୍ରାସଙ୍ଗିକତା ରହିବ ବୋଲି ସେ କହିଛନ୍ତି।

କରୋନା ଟିକା ସମ୍ପର୍କରେ ଏହି ଅର୍ଥନୀତିଜ୍ଞ ପତିପତ୍ନୀ କହିଛନ୍ତି ଯେ, ଯଦି ଟିକା ବିକଶିତ ହେବ ତେବେ ଭାରତକୁ ବିପୁଳ ପରିମାଣର ଟିକା ଉତ୍ପାଦନ କରିବାକୁ ପଡ଼ିବ। ଟିକା ନଆସିଲେ ଭାରତକୁ ପୁଣି ଥରେ ଲକ୍‌ଡାଉନ୍ ଆଡ଼କୁ ଯିବାକୁ ପଡ଼ିପାରେ ବୋଲି ଅଭିଜିତ ସତର୍କ କରାଇ ଦେଇଛନ୍ତି। କାରଣ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା ବଦଳରେ ବଢ଼ୁଛି। କିଛିଦିନ ତଳେ ହଫ୍‌ପୋଷ୍ଟ୍‌କୁ ଏକ ସାକ୍ଷାତକାର ଦେଇ ଅଭିଜିତ କହିଥିଲେ ଯେ କରୋନା ସଙ୍କଟ ଭାରତ ପାଇଁ ୧୯୯୧ର ଅର୍ଥନୈତିକ ସଙ୍କଟ ଠାରୁ ବି ବଡ଼ ଜଟିଳ ସ୍ଥିତି। ଏହାର ମୁକାବିଲା କରିବା ଲାଗି ସରକାରଙ୍କୁ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ବ୍ୟତୀତ ବିତ୍ତୀୟ ହିସାବକୁ ଭୁଲି ଅଧିକ ନୋଟ୍‌ ଛପାଇ ଲୋକଙ୍କ ହାତରେ ପହଞ୍ଚାଇବାକୁ ପଡ଼ିବ। ଏହା ହେଲେ ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦା ବଜାୟ ରହିବ। ଯେହେତୁ ଚାହିଦା ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ତେଣୁ ଏହା ବଜାୟ ରହିଲେ ଅର୍ଥନୀତିରେ ଦ୍ରୁତ ସୁଧାର ହୋଇପାରିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର