ବିଟ୍‌କଏନ୍‌ ଆଗରେ ସୁନାର ଚମକ ଫିକା

ନୂଆଦିଲ୍ଲୀ: ନିବେଶକମାନଙ୍କ ପାଇଁ ସୁନା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିବେଶ ବିକଳ୍ପ ହୋଇ ରହିନାହିଁ। ସୁନାଠାରୁ ଭଲ ରିଟର୍ଣ୍ଣ ଷ୍ଟକ ବଜାରର ଇକ୍ୱିଟି ସେୟାର ପ୍ରଦାନ କରୁଛି। ଏହା ବ୍ୟତୀତ ବିଟ୍‌କଏନ୍‌ ଯେଉଁଭଳି ଅବିଶ୍ୱସନୀୟ ରିଟର୍ଣ୍ଣ ପ୍ରଦାନ କରୁଛି ତାହା ଏବେ ନିବେଶ ଯୋଜନାର ଏକ ମୁଖ୍ୟ ଅଂଶ ପାଲଟିଛି। ସମଗ୍ର ବିଶ୍ୱରେ କାମ କରୁଥିବା ହେଜ୍‌ ଫଣ୍ଡ୍‌୍‌ଗୁଡ଼ିକ ସୁନା ଉପରୁ ମୁହଁ ଫେରାଇବା ଆରମ୍ଭ କଲେଣି। ହେଜ୍‌ ଫଣ୍ଡ୍‌ କୌଣସି ନିର୍ଦିଷ୍ଟ ପ୍ରକାର ନିବେଶ ପାଣ୍ଠି ନୁହେଁ। ହେଜ୍‌ ଫଣ୍ଡ୍‌ଗୁଡ଼ିକ ବିଭିନ୍ନ ନିବେଶକଙ୍କଠାରୁ ପୁଞ୍ଜି ହାସଲ କରି ତାହାକୁ ରିଅଲ ଇଷ୍ଟେଟ୍‌, ସୁନା, ଇକ୍ୱିଟି ବଜାର ଇତ୍ୟାଦିରେ ନିବେଶ କରିଥାନ୍ତି। ସେଥିରୁ ଯେଉଁ ରିଟର୍ଣ୍ଣ ମିଳିଥାଏ ତାହା ନିବେଶକମାନଙ୍କୁ ପ୍ରଦାନ କରିଥାନ୍ତି। ଏହା ମ୍ୟୁଚୁଆଲ୍‌ ଫଣ୍ଡ୍‌ ଭଳି କାମ କରେ। କିଛି ମାସ ହେଲାଣି ହେଜ୍‌ ଫଣ୍ଡ୍‌ଗୁଡ଼ିକ ସୁନାରେ ନିବେଶ ପରିମାଣ କମ୍‌ କରୁଛନ୍ତି। ସୁନା ଯେଉଁ ରିଟର୍ଣ୍ଣ ପ୍ରଦାନ କରୁଛି ତାହା ନିବେଶକମାନଙ୍କୁ ଆକର୍ଷିତ କରିପାରୁନାହିଁ। ଯଦିଓ ସୁନା ପ୍ରଦାନ କରୁଥିବା ରିଟର୍ଣ୍ଣ କିଛି କମ୍‌ ନୁହେଁ, ମାତ୍ର ଇକ୍ୱିଟି ଏବଂ ବିଟ୍‌କଏନ୍‌ ସାମ୍ନାରେ ତାହା ବହୁତ କମ୍‌ ବୋଲି କୁହାଯାଇପାରିବ।

ନ୍ୟୁୟକରେ ଏକ ଫଣ୍ଡ୍‌ ପରିଚାଳନା କରୁଥିବା ଜୋଏ ଫୋଷ୍ଟର୍‌ କହିଛନ୍ତି ଯେ ଏବେ କେହି ସୁନା ବିଷୟରେ ଚିନ୍ତା କରୁନାହାନ୍ତି। ସମସ୍ତେ ଏବେ ବିଟ୍‌କଏନ୍‌ କଥା କହୁଛନ୍ତି। ସୁନା ଭଳି ସୁରକ୍ଷିତ ବିକଳ୍ପକୁ ନିବେଶକମାନେ ଏତେଟା ଗୁରୁତ୍ୱ ଦେଉନାହାନ୍ତି। ଭାରତରେ ମଧ୍ୟ ସୁନାର ଚାହିଦା କମୁଛି। ବିଶ୍ୱର ଦ୍ୱିତୀୟ ବଡ଼ ସୁନା ବଜାର ଭାବେ ବିବେଚିତ ଭାରତରେ ବିଗତ ତିନି ମାସ ହେଲାଣି ସୁନା ଆମଦାନି କମୁଛି। ସବୁଠୁ ଅଧିକ ସୁନା ଖରିଦ କରୁଥିବା ଚୀନ୍‌ର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ଏହାର ସୁନା ଭଣ୍ଡାର ପରିମାଣ ବଢ଼ାଉନାହିଁ। ୨୦୧୬ ଅକ୍ଟୋବର ପରଠାରୁ ଚୀନ୍‌ର ସୁନା ଭଣ୍ଡାର ଏକ ପ୍ରକାର ସ୍ଥିର ରହିଛି। ଯୁକ୍ତରାଷ୍ଟ୍ର ଆମେରିକାରେ ସୁନା କଏନ୍‌ ବିକ୍ରି ବହୁତ କମିଯାଇଛି।

ସମ୍ବନ୍ଧିତ ଖବର