ସୁନା ଦର ଅକ୍ଷୟ ତୃତୀୟାରେ ଉଚ୍ଚା ରହିବ

ନୂଆଦିଲ୍ଲୀ/ଅହମ୍ମଦାବାଦ: ଆଉ ଦିନ କେତେଟା ପରେ ଅକ୍ଷୟ ତୃତୀୟା ପର୍ବ। ଏହି ଦିନ ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ ଲୋକଙ୍କ ମଧ୍ୟରେ ରହିଛି। ଏହାକୁ ଦୃଷ୍ଟିରେ ରଖି ସୁନା ଦୋକାନ ଗୁଡ଼ିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ନୂଆ କଲେକ୍ସନର ଗହଣା ସମ୍ଭାର ଉପଲବ୍ଧ କରାଇବା ସହିତ ଲୋଭନୀୟ ଅଫର୍‌ ମାନ ଘୋଷଣା କରିଛନ୍ତି।

ତେବେ ବଜାରରେ ଏବେ ସୁନା ଦର ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ରହିଛି। ସିରିୟାରେ ଆମେରିକାର ଆକ୍ରମଣକୁ ନେଇ ବିଶ୍ୱରେ ରାଜନୈତିକ ଉତ୍ତେଜନା ଲାଗି ରହିଥିବାରୁ ଆଗାମୀ ଅକ୍ଷୟ ତୃତୀୟା ବେଳକୁ ଦର ବଢ଼ିବା ଜାରି ରହିବ। ଚଳିତବର୍ଷର ଅକ୍ଷୟ ତୃତୀୟାରେ ସୁନା ବଜାର ସବୁଠାରୁ ମହଙ୍ଗା ରହିବ ବୋଲି ଅନୁମାନ କରାଯାଉଛି। ତେଣୁ ଯେଉଁ ଗ୍ରାହକ ଚଳିତବର୍ଷ ଅକ୍ଷୟ ତୃତୀୟାରେ ସୁନା କିଣିବେ ସେମାନଙ୍କୁ କିଛିଟା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।

ଅହମ୍ମଦାବାଦରେ ଶନିବାର ୧୦ ଗ୍ରାମ ପିଛା ସୁନା ଦର ୩ ପ୍ରତିଶତ ଜିଏସ୍‌ଟି ସମେତ ୩୨,୩୦୦ ଟଙ୍କା ରହିଛି। ଗତ କିଛିବର୍ଷର ଇତିହାସକୁ ଦେଖିଲେ ଅକ୍ଷୟ ତୃତୀୟା ସମୟରେ ସୁନାର ଏହା ହେଉଛି ସର୍ବାଧିକ ଦର। ପୂର୍ବରୁ ୨୦୧୬ର ଅକ୍ଷୟ ତୃତୀୟାରେ ସୁନା ଦର ସର୍ବାଧିକ ୨୯,୮୬୦ ଟଙ୍କା ରହିଥିଲା। ଚଳିତବର୍ଷ ଯଦି ସୁନା ଦର ବର୍ତମାନ ସ୍ତରରେ ରହେ ବା ବୃଦ୍ଧି ଘଟେ ତା’ହେଲେ ଅକ୍ଷୟ ତୃତୀୟାରେ ମୂଲ୍ୟ ରେକର୍ଡ ସ୍ତରରେ ରହିବ। ଆମେରିକା ଓ ଚୀନ୍‌ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ସୁନା ଦର ଗତ କିଛିଦିନ ହେଲା ଉଚ୍ଚା ରହିଛି। ସିରିୟା ପ୍ରସଙ୍ଗକୁ ନେଇ ଏବେ ଉତ୍ତେଜନା ଦେଖାଦେଇଥିବାରୁ ସୋମବାର ବଜାର ଖୋଲିଲେ ସୁନା ଦର ଆହୁରି ବଢ଼ିଯିବ ବୋଲି ବୁଲିଅନ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର ସେକ୍ରେଟାରି ହରେଶ ଆଚାର୍ଯ୍ୟ କହିଛନ୍ତି।

ବିକ୍ରି ବି ଜମିବ

ଅକ୍ଷୟ ତୃତୀୟାରେ ସୁନାର ଉଚ୍ଚା ଦର ସତ୍ତ୍ୱେ ବ୍ୟବସାୟ ଭଲ ରହିବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି। ବିଶ୍ୱରେ ଉତ୍ତେଜନା ଲାଗି ରହିଥିବାରୁ ଅକ୍ଷୟ ତୃତୀୟା ପରେ ସୁନା ଦର ଆହୁରି ଉଚ୍ଚକୁ ଯିବାର ସମ୍ଭାବନା ରହିଛି। ତେଣୁ ସୁନାରେ ନିବେଶ କରି ଅଧିକ ରିଟର୍ଣ୍ଣ ପାଇବା ଆଶା ଗ୍ରାହକଙ୍କ ମଧ୍ୟରେ ଜନ୍ମିବ। ଏଥିଯୋଗୁଁ ଅକ୍ଷୟ ତୃତୀୟାରେ ବିକ୍ରି ଭଲ ରହିବ ବୋଲି ଅହମ୍ମଦାବାଦର ଜଣେ ପ୍ରମୁଖ ସୁନା ବ୍ୟବସାୟୀ ମତ ଦେଇଛନ୍ତି। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଅକ୍ଷୟ ତୃତୀୟାରେ ସୁନା ବିକ୍ରି ୨୦ ପ୍ରତିଶତ ଅଧିକ ରହିବ ବୋଲି ସର୍ବଭାରତୀୟ ଜେମ୍ସ ଆଣ୍ଡ ଜୁଏଲାରି ଡୋମେଷ୍ଟିକ୍‌ କାଉନ୍‌ସିଲ୍‌ର ଅଧ୍ୟକ୍ଷ ନିତିନ ଖଣ୍ଡେଲଓ୍ଵାଲା ମତ ଦେଇଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରରେ ରବିବାର ସୁନା ମୂଲ୍ୟ ୩୧୪୩୦ ଟଙ୍କା ରହିଛି। କେତେକ ଗ୍ରାହକ ମଧ୍ୟ ମଧ୍ୟ ଅକ୍ଷୟ ତୃତୀୟାରେ ସୁନା କିଣିବା ପାଇଁ ଗହଣା ଦୋକାନୀଙ୍କୁ ଅଗ୍ରିମ ଦେଇ ସାରିଲେଣି। ଗତ କିଛି ଦିନ ହେଲା ସୋ’ରୁମ୍‌କୁ ଗ୍ରାହକମାନେ ଅଧିକ ସଂଖ୍ୟାରେ ଆସିବା ସହିତ ବର୍ତମାନ ବଜାରର ସମ୍ପୂର୍ଣ୍ଣ ଲାଭ ଉଠାଉଛନ୍ତି। ଗଢ଼ା ମଜୁରିରେ ରିହାତି ଓ ଅନ୍ୟାନ୍ୟ ଅଫର୍‌ ଯୋଗୁଁ ଗ୍ରାହକମାନେ ସୁନା କିଣିବା ଜାରି ରଖିବେ ବୋଲି ଅନ୍ୟ ଜଣେ ବ୍ୟବସାୟୀ କହିଛନ୍ତି।  ସେହିଭଳି ଚଳିତବର୍ଷ ଅକ୍ଷୟ ତୃତୀୟାରେ ସୁନା ବିକ୍ରି ଭଲ ରହିବା ନେଇ ଆଶା ରଖାଯାଇଛି ବୋଲି ଇଣ୍ଡିଆନ୍‌ ବୁଲିଅନ୍‌ ଆଣ୍ଡ ଜୁଏଲର୍ସ ଆସୋସିଏସନ୍‌ର ଜାତୀୟ ସମ୍ପାଦକ ସୁରେନ୍ଦ୍ର ମେହେଟ୍ଟା କହିଛନ୍ତି।

ସମ୍ବନ୍ଧିତ ଖବର