ସୁନାଦର ୧୩୦ ଟଙ୍କା ବୃଦ୍ଧି ପାଇ ୩୮,୯୬୦ ଟଙ୍କାରେ ପହଞ୍ଚିଲା

ନୂଆଦିଲ୍ଲୀ : ସୁନାଦର ଆଜି ୧୦ ଗ୍ରାମ ପିଛା ୧୩୦ ଟଙ୍କା ବୃଦ୍ଧି ପାଇ ୩୮,୯୬୦ ଟଙ୍କାରେ ପହଞ୍ଚିଛି । ସେହିପରି ରୁପାଦର କିଲୋଗ୍ରାମ ପିଛା ୯୦୦ ଟଙ୍କା ବୃଦ୍ଧି ପାଇ ୪୭,୯୯୦ ଟଙ୍କାରେ ପହଞ୍ଚିଛି । ଗତ ଶନିବାରଦିନ ମଧ୍ୟ ନୂଆଦିଲ୍ଲୀ ବଜାରରେ ସୁନାଦର ୧୦ ଗ୍ରାମ ପିଛା ୩୮,୫୬୦ ଟଙ୍କାରେ ବନ୍ଦ ହୋଇଥିଲା । ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଓ ଅନ୍ତର୍ଜାତୀୟ ବଜାରରେ ପ୍ରଭାବରୁ ସୁନାଦର ବୃଦ୍ଧି ପାଇଥିବା ଜଣାଯାଇଛି ।

ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୫୧୮ ଡଲାରକୁ ବୃଦ୍ଧି ପାଇଛି । ସେହିପରି ରୁପା ଦର ଆଉନ୍ସ ପିଛା ୧୭.୮୭ ଡଲାରରେ ପହଞ୍ଚିଛି । ଏହାର ପ୍ରଭାବରୁ ଭାରତୀୟ ବଜାରରେ ସୁନା ଓ ରୁପାଦର ବୃଦ୍ଧି ପାଇଛି । ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ ଫଳରେ ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ପାଉଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ । ବିଶ୍ୱରେ ବଢିଚାଲିଥିବା ଅଶୋଧିତ ତେଲଦର ଯୋଗୁଁ ଭାରତୀୟ ଟଙ୍କା ଟିକିଏ ଦୁର୍ବଳ ହୋଇଛି । ଟଙ୍କା ମୂଲ୍ୟ ହ୍ରାସ ପାଇବା ଯୋଗୁଁ ସୁନା ଆମଦାନୀ ମହଙ୍ଗା ହୋଇଛି । ଏହି କାରଣରୁ ଆଗକୁ ଆହୁରି ଦର ବଢିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର