ଦୁର୍ବଳ ଚାହିଦା, ସୁନାଦର ୧୦ ଗ୍ରାମ ପିଛା ୩୨ ହଜାର ତଳକୁ ଖସିଲା

ନୂଆଦିଲ୍ଲୀ : ଦେଶରେ ସୁନାଦର ହ୍ରାସ ପାଇ ୧୦ ଗ୍ରାମ ପିଛା ୩୨ ହଜାର ଟଙ୍କା ତଳକୁ ଖସିଯାଇଛି । ବିଶ୍ୱ ବଜାରର ପ୍ରଭାବ ଓ ଘରୋଇ ବଜାରରେ ସୁନା ଚାହିଦା ହ୍ରାସ ପାଇବା ଫଳରେ ଏହା ହୋଇଛି ବୋଲି କୁହାଯାଉଛି । ଆଜି ନୂଆଦିଲ୍ଲୀରେ ସୁନା ୧୦ ଗ୍ରାମ ପିଛା ୧୦୦ ଟଙ୍କା ହ୍ରାସ ପାଇ ୩୧,୯୦୦କୁ ଖସିଆସିଛି । ଦେଶରେ ଏବ ବିବାହ ଋତୁ ଶେଷହୋଇଯାଇଛି ଓ ମଳମାସ ଚାଲିଛି, ଏହି କାରଣରୁ ସୁନା ଅଳଙ୍କାର ତାହିଦା ହ୍ରାସ ପାଇଛି । ଏହା କାରଣରୁ ଦର ହ୍ରାସ ପାଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ରୁପାଦର ମଧ୍ୟ ହ୍ରାସ ପାଇଛି । ରୁପା କିଲୋଗ୍ରାମ ପିଛା ୪୫୦ ଟଙ୍କା ହ୍ରାସ ପାଇ ୪୧ ହଜାର ତଳକୁ ଖସିବା ସହ ୪୦,୬୦୦ ଟଙ୍କାରେ ପହଞ୍ଚିଛି । ଶିଳ୍ପ ସଂସ୍ଥା ଓ କଏନ ଉତ୍ପାଦନକାରୀଙ୍କ ଦ୍ୱାରା କମ ରୁପା କ୍ରୟ ଯୋଗୁଁ ଏହା ହୋଇଛି । ଭାରତୀୟ ବଜାରରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୧୦୦ ଟଙ୍କା ଲେଖାଏଁ ହ୍ରାସ ପାଇ ଯଥାକ୍ରମେ ୩୧,୯୦୦ ଓ ୩୧,୭୫୦ ଟଙ୍କାକୁ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନାଦର ହ୍ରାସ ପାଇଥିବାରୁ ତାହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୦.୨୩% ହ୍ରାସ ପାଇ ୧୨୯୭ ଡଲାରରେ ପହଞ୍ଚିଛି ଓ ରୁପା ୦.୫୮ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୧୬.୩୯ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

ସମ୍ବନ୍ଧିତ ଖବର