ଧନତେରସରେ ସୁନା କିଣିବା ପାଇଁ ଜୁଏଲାରୀ ଦୋକାନ ଆଗରେ ଅସମ୍ଭବ ପ୍ରକାର ଭିଡ

ଭୁବନେଶ୍ୱର : ଆଜି ପବିତ୍ର ଧନତ୍ରୟୋଦଶୀ ବା ଲୋକମତରେ ଧନତେରସ । ବିଶ୍ୱାସ ଅଛି ଯେ ଆଜି ଦିନରେ ସୁନା କିଣିଲେ ମହାଲକ୍ଷ୍ମୀ ଘରକୁ ଆସନ୍ତି । ପୌରାଣିକ ମତରେ ଆଜି ଦିନରେ ସମୁଦ୍ର ମନ୍ଥନରୁ ମା ମହାଲକ୍ଷ୍ମୀ, ଧନଦେବତା କୁବେର ଓ ଆୟୁର୍ବେଦର ସ୍ରଷ୍ଟା ଭଗବାନ ଧନ୍ଵନ୍ତରୀ ପ୍ରକଟ ହୋଇଥିଲେ । ଏଣୁ ଆଜି ଓଡ଼ିଶା ସମେତ ସାରା ଦେଶରେ ସୁନା କିଣିବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ରାଜଧାନୀ ଭୁବନେଶ୍ୱରର ପ୍ରାୟ ସବୁ ସୁନାଗହଣା ଦୋକାନରେ ଅସମ୍ଭବ ପ୍ରକାରର ଭୀଡ ହୋଇଛି । ଲୋକମାନେ ସୁନା ଦୋକାନ ଆଗରେ ଲାଇନ ଲଗାଇଥିବା ଦେଖାଯାଇଛି । ଅନ୍ୟପକ୍ଷରେ ଏସବୁ ଗହଳି ମଧ୍ୟରେ ସୁନା ବେପାର ଉପରେ ମାପ ଓ ଓଜନ ବିଭାଗ ଓ ଆୟକର ବିଭାଗ ମଧ୍ୟ ତୀକ୍ଷଣ ନଜର ରଖିଛି । ଆଜି ମଧ୍ୟ ସୁନା ଚାହିଦା ବଢିଯାଇଥିବାରୁ ସୁନା ଦର ମଧ୍ୟ ବୃଦ୍ଧି ପାଇ ଗତ ୬ ବର୍ଷର ସର୍ବୋଚ୍ଚ ସ୍ତର ୩୨,୬୯୦ ଟଙ୍କାରେ ପହଞ୍ଚିଛି । ତେବେ ବଜାର ବିଶେଷଜ୍ଞଙ୍କ ମତରେ ଆଗକୁ ସୁନାଦର ଆହୁରି ବଢିବାର ସମ୍ଭାବନା ରହିଛି । ଏହାର କାରଣ ହେଉଛି ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇବା । ଯଦି ଆଗକୁ ଟଙ୍କା ମୂଲ୍ୟ ସୁଦୃଢ ନହୁଏ ତେବେ ସୁନା ଦର ବିଶେଷ ହ୍ରାସ ପାଇବାର ସମ୍ଭାବନା କମ ।

ସମ୍ବନ୍ଧିତ ଖବର