ଏଥର ଧନତେରସରେ ୫୦ ପ୍ରତିଶତ କମିଯାଇପାରେ ସୁନା ବିକ୍ରି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଏଥର ଧନତେରସରେ କମିଯାଇପାରେ ସୁନା ଗହଣା ବିକ୍ରି, କିଛି ଏଭଳି ଆଶଙ୍କା ପ୍ରକାଶ କରିଛି ଭାରତୀୟ ଗହଣା ଆସୋସିଏସନ | ଏହାର ଜାତୀୟ ସମ୍ପାଦକ ସୁରେନ୍ଦ୍ର ମେହେଟା କହିଛନ୍ତି ଯେ ଏହି ବର୍ଷ ଭାରତୀୟଙ୍କର ସୁନା ପ୍ରତି ଆଗ୍ରହ କମିବା ହେତୁ ସୁନା ବିକ୍ରି ୫୦ ପ୍ରତିଶତ କମିଯାଇପାରେ | ଏଠାରେ ସୂଚନା ଥାଉ କି ଧନତେରସରେ ଭାରତରେ ପାଖାପାଖି ୪୦ ଟନ ସୁନା ବିକ୍ରି ହୋଇଥାଏ | ସୁରେନ୍ଦ୍ର କହିଛନ୍ତି ଯେ ସୁନାର ଉଚ୍ଚ ମୂଲ୍ୟ ସହ ଆମଦାନୀ ଶୁଳ୍କ ବୃଦ୍ଧି ଘଟିବା ଯୋଗୁଁ ସେପ୍ଟେମ୍ବର ମାସରେ ସମୁଦାୟ ୨୬ ଟନ ସୁନା ହିଁ ଆମଦାନୀ କରାଯାଇଛି |

ଗତବର୍ଷ ସେପ୍ଟେମ୍ବର ମାସରେ ୮୧ ଟନ ସୁନା ଆମଦାନୀ କରାଯାଇଥିଲା | ଗତବର୍ଷ ତୁଳନାରେ ସୁନା ଆମଦାନୀ ପାଖାପାଖି ୬୮ ପ୍ରତିଶତ କମିଯାଇଛି | ଏଠାରେ ସୂଚନା ଥାଉ କି ଜୁଲାଇ ମାସରେ ବଜେଟରେ ସୁନା ଭଳି ଧାତୁ ଉପରେ ୧୦ ପ୍ରତିଶତ ଶୁଳ୍କ ବଦଳରେ ୧୨.୫ ପ୍ରତିଶତ ଆମଦାନୀ ଶୁଳ୍କ ନିଆଯିବାକୁ ଘୋଷଣା କରାଯାଇଥିଲା |

ଯାହାର ସିଧାସଳଖ ପ୍ରଭାବ ପଡିଛି | ବର୍ତ୍ତମାନ ସୁନାର ୨୨ କ୍ୟାରେଟର ୧୦ ଗ୍ରାମ ପିଛା ମୂଲ୍ୟ ୩୯ ହଜାର ୧୯୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୩୯ହଜାର ୩୪୦ ଟଙ୍କା ରହିଛି | ସୁନାର ମୂଲ୍ୟ ବଢିଥିବା ଯୋଗୁଁ ପ୍ରାୟ ଲୋକ ଏଥିରେ ନିବେଶ କରିବାକୁ ଚାଁହୁନାହାନ୍ତି |

ସମ୍ବନ୍ଧିତ ଖବର