ହୋଟେଲ୍‌ ପାଇଁ ସ୍ବର୍ଣ୍ଣ ତ୍ରିଭୁଜ ଅଧିକ ପସନ୍ଦ

ଭୁବନେଶ୍ବର,: ରାଜ୍ୟରେ ହୋଟେଲ ଶିଳ୍ପ ସମୃଦ୍ଧ ହେବ। କିନ୍ତୁ ରାଜ୍ୟ ସରକାର ଯେଉଁଭଳି ସ୍ବର୍ଣ୍ଣ ତ୍ରିଭୁଜ (ଭୁବନେଶ୍ବର- ପୁରୀ- କୋଣାର୍କ)ରେ ପର୍ଯ୍ୟଟନ ଭିତ୍ତିିଭୂମି ସୁଦୃଢ଼ କରିଛନ୍ତି ତାହାକୁ ନଜରରେ ରଖି ଦେଶର ବଡ଼ ବଡ଼ ହୋଟେଲ୍‌ସ ଗ୍ରୁପ୍ ଏହି ସ୍ବର୍ଣ୍ଣ ତ୍ରିଭୁଜରେ ହିଁ ପୁଞ୍ଜିନିବେଶ କରିବାକୁ ମନ ବଳାଇଛନ୍ତି। ମେକ୍ ଇନ୍ ଓଡ଼ିଶା‌ କାର୍ଯ୍ୟକ୍ରମରେ ଯୋଗଦେଇଥିବା ‌ହୋଟେଲ ଉଦ୍ୟୋଗୀମାନେ ସେମାନଙ୍କର ବ୍ଲୁ ପ୍ରିଣ୍ଟ ଉପସ୍ଥାପନ କରିଛନ୍ତି। କିପରି ହୋଟେଲ ଶିଳ୍ପ ପାଇଁ ସୁବିଧାରେ ଜମି ଯୋଗାଇ ଦିଆଯିବ ଏବଂ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇବେ ସେନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
ସାତପଡ଼ାରେ ମେ’ ଫେୟାର ହୋଟେଲ୍‌ସ ଏକ ପଞ୍ଚତାରକା ହୋଟେଲ ନିର୍ମାଣ କରିବ ସହ ଏଠାରେ ଗଲ୍ଫ କୋର୍ସ, ବିଶ୍ବଶ୍ରେଣୀୟ କନଭେନସନ୍ ସେଣ୍ଟର କରିବ। ଏଠାରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ଆରାମଦାୟକ ୨୫୦ଟି ରୁମ୍ କରିବାକୁ ଯୋଜନା ଅଛି। ଏହାବାଦ୍ ମେ’ ଫେୟାର ହୋଟେଲ୍‌ସ କେତୋଟି ପାନ୍ଥନିବାସକୁ ଲିଜ୍‌ରେ ନେଇ ଏହାକୁ ପରିବେଶ ପର୍ଯ୍ୟଟନ ଭାବେ ଉନ୍ନତିକରଣ କରିବାକୁ ଲକ୍ଷ୍ୟ ରଖିଛି। ଏଠାରେ କଟେଜ୍‌ରେ ବି ରହିବାର ସୁବିଧା ଉପଲବ୍ଧ ହେବ। ମ୍ୟାଙ୍ଗୋ ବ୍ରାଣ୍ଡ୍ ଚେନ୍‌ରେ ଗ୍ରାଣ୍ଡ ମାର୍କ ଇନଫ୍ରାଷ୍ଟ୍ରକଚର୍‌ସ ସହଭାଗିତାରେ ହୋଟେଲ ଚଲାଉଥିବା ଇଣ୍ଟେଲିଷ୍ଟେ ହୋଟେଲ୍‌ସ ଭୁବନେଶ୍ବର ଓ କୋଣାର୍କରେ ଦୁଇ ତାରକା ବିଶିଷ୍ଟ ହୋଟେଲ କରିବ। ପ୍ରାୟ ୧୦୦କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖିଛି। ଏଥିରେ ଭୁବନେଶ୍ବରରେ ୨୫୦ଟି ରୁମ୍ ଏବଂ କୋଣାର୍କରେ ୫୫ଟି ରୁମ୍‌ ହେବ। ଏହାସହ ଏହି ହୋଟେଲଗୁଡ଼ିକରେ ବିଭିନ୍ନ ପ୍ରକାରର ବୈଠକ, ସମ୍ମିଳନୀ ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରିବାର ସୁବିଧା ରହିବ। ଭୁବନେଶ୍ବର ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଏକ ନମ୍ବର ହେବା ପରେ ଏବଂ ଏଠାକର ଭିତ୍ତିଭୂମିକୁ ଦେଖି ଆଗାମୀ ଦିନରେ ବହୁ ପଞ୍ଚ ତାରକା ହୋଟେଲ ଖୋଲିବାକୁ ଯୋଜନା କ‌ରିଛନ୍ତି। ତାଜ୍‌ର ଭିଭାନ୍ତ, ୱିନ୍ଧମ ହୋଟେଲ୍‌ସର ରାମଦା ଚେନ୍ ଆସନ୍ତା ବର୍ଷ ଶେଷ ଆଡ଼କୁ ହୋଟେଲ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ରାଜଧାନୀରେ ଲେମନ୍ ଟ୍ରି ଗ୍ରୁପ୍, ଲଜିଂ ରିଅଲଇଷ୍ଟେଟ୍ ଫାର୍ମ ସାମ୍‌ହି ହୋଟେଲ୍‌ସ ବି ପୁଞ୍ଜିନିବେଶ କରିବ। ପୁରୁଣା ଭୁବନେଶ୍ବରରେ ହେଉଥିବା ଐତିହ୍ୟ ପଦଯାତ୍ରାର ସଫଳତାକୁ ନଜରରେ ରଖି କବାନି ଟୁର୍‌ସ ହୋମ୍‌ ଷ୍ଟେ, କ୍ୟାମ୍ପ ସାଇଟ୍‌ସ ଆଦି କରିବ।
ଭୁବନେଶ୍ବର, ପୁରୀ, କୋଣାର୍କରେ ଏବେ ହୋଟେଲ ଚଳାଉଥିବା କାମାତ୍‌ ଗ୍ରୁପ୍ ପରିବେଶ ପର୍ଯ୍ୟଟନ ସୁବିଧା ଥିବା ତିନିଟି ହୋଟେଲ ଖୋଲିବ ବୋଲି ଘୋଷଣା କରିଛି। ଟାଟା ଗ୍ରୁପ୍‌ର ତାଜ୍‌ ହୋଟେଲ୍‌ସ ଯାଜପୁରର କଳିଙ୍ଗ ନଗରରେ ଜିଞ୍ଜର ନାମରେ ବି ହୋଟେଲ ଖୋଲିବ।

ସାତପଡ଼ାରେ ମେ’ଫେୟାର କରିବ ପଞ୍ଚତାରକା ହୋଟେଲ
ଇଣ୍ଟେଲି ଷ୍ଟେ ହୋଟେଲ ୧୦୦କୋଟି ଖଟାଇବ
ରାଜଧାନୀରେ ଖୋଲିବ ତାଜ୍ ଭିଭାନ୍ତ, ୱିନ୍ଧମ ହୋଟେଲ୍‌ସ, ଲେମନ୍ ଟ୍ରି, ସାମ୍‌ହି ହୋଟେଲ୍‌ସ
କଳିଙ୍ଗ ନଗରରେ ଜିଞ୍ଜର ହୋଟେଲ୍‌
କାମାତ ହୋଟେଲ୍‌ସ ଆଉ ତିନି ହେ‌ାଟେଲ ଖୋଲିବ
ହୋମ୍‌ ଷ୍ଟେ ମଜା ଦେବ କବାନି ଟୁର୍‌ସ

ସମ୍ବନ୍ଧିତ ଖବର