ଖୁଚୁରା ବଜାର ଉପରେ ଗୁଗୁଲ୍‌ର ନଜର:ଫ୍ୟୁଚର ଗ୍ରୁପ୍‌ରେ ୪୦୦୦ କୋଟି ନିବେଶ ଯୋଜନା

*ପେଟିଏମ୍‌ ମଲ୍‌ ସହ ହାତ ମିଳାଇପାରେ *୭ରୁ ୧୦% ପର୍ଯ୍ୟନ୍ତ ଅଂଶଧନ କିଣିପାରନ୍ତି

ମୁମ୍ବାଇ/ନୂଆଦିଲ୍ଲୀ: ଭାରତର ଖୁଚୁରା ବଜାର ଏବେ ବିଦେଶୀ କମ୍ପାନିଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ନିକଟରେ ଇ-କମର୍ସ କମ୍ପାନି ଫ୍ଲିପ୍‌କାର୍ଟର ୭୭ ପ୍ରତିଶତ ଅଂଶଧନକୁ ଆମେରିକାର ଓ୍ଵାଲମାର୍ଟ କିଣିନେଇଛି। ଫ୍ଲିପକାର୍ଟରେ ଅଂଶଧନ କଣିବାକୁ ଆମେରିକାର ଇ-କମର୍ସ କମ୍ପାନି ଆମାଜନ୍‌ ଖୁବ୍‌ ଆଗ୍ରହୀ ଥିଲେ ମଧ୍ୟ ଓ୍ଵାଲମାର୍ଟ ବାଜିମାରି ନେଇଛି। ଫ୍ଲିପକାର୍ଟ ହାତଛଡ଼ା ହେବା ପରେ ଏବେ ଅନ୍ୟ କମ୍ପାନି ମାଧ୍ୟମରେ ଆମାଜନ୍‌ ସମେତ ଗୁଗୁଲ୍‌ ଭଳି କମ୍ପାନି ଭାରତର ଖୁଚୁରା ବଜାରରେ ପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଭାରତର ଅନ୍ୟତମ ଇ-କମର୍ସ କମ୍ପାନି ପେଟିଏମ୍‌ ମଲ୍‌ ସହିତ ହାତ ମିଳାଇ ଗୁଗୁଲ୍‌ କିଶୋର ବିୟାନିଙ୍କ ଫ୍ୟୁଚର୍‌ ରିଟେଲ ଲିମିଟେଡରେ ଅଂଶଧନ କିଣିବା ଲାଗି ଉଦ୍ୟମ ଚଳାଇଛି। ଗୁଗୁଲ୍‌ ଏବଂ ପେଟିଏମ୍‌ ମଲ୍‌ ଏକ କମ୍ପାନି ଗଠନ କରି ଫ୍ୟୁଚର ରିଟେଲ୍‌ର ୭ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନକୁ ୩୫୦୦ରୁ ୪୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥରେ କିଣିବାକୁ ଆଗ୍ରହୀ ଥିବା ଜଣାଯାଇଛି। ଅତୀତରେ ଫ୍ୟୁଚର ଗ୍ରୁପ୍‌ ମୁଖ୍ୟ କିଶୋର ବିୟାନି ମଧ୍ୟ ତାଙ୍କ କମ୍ପାନିର ଅଂଶଧନ ବିକିବା ଲାଗି ଆମେରିକାରେ ଆମାଜନ୍‌ ମୁଖ୍ୟ ଜେଫ୍‌ ବେଜୋସ୍‌ ଏବଂ ଚୀନ୍‌ରେ ଆଲିବାବାର ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଥିଲେ। ଖୁଚୁରା ବ୍ୟବସାୟକୁ ଅଧିକ ପ୍ରଭାବୀ କରିବା ସହିତ ରିଲାଏନ୍ସ ରିଟେଲ ଏବଂ ଅନ୍ୟ ବଡ଼ କମ୍ପାନିଙ୍କ ସହିତ ସଫଳତାର ସହ ପ୍ରତିଯୋଗିତା କରିବା ଲାଗି ବିୟାନି ଏହି ଉଦ୍ୟମ ଚଳାଇଛନ୍ତି। ଏତଦ୍‌ବ୍ୟତୀତ କମ୍ପାନିର ଋଣ ବୋଝ କମାଇବା ମଧ୍ୟ ଅଂଶଧନ ବିକ୍ରିର ଅନ୍ୟତମ ଲକ୍ଷ୍ୟ ବୋଲି କୁହାଯାଉଛି। ନିକଟ ଅତୀତରେ କିଶୋର ବିୟାନି କହିଥିଲେ ୨ ମାସ ମଧ୍ୟରେ ବିଦେଶୀ କମ୍ପାନିଙ୍କ ସହିତ ଫ୍ୟୁଚର ଗ୍ରୁପ୍‌ ଏକ ରାଜିନାମାରେ ପହଞ୍ଚିବ। ତେବେ ଭାରତର ଖୁଚୁରା ବଜାରରେ ପ୍ରବେଶ ପାଇଁ ଏବେ ଗୁଗୁଲ୍‌ ଏବଂ ଆଲିବାବା ମଧ୍ୟରେ କମ୍ପାନି ଗଠନ ନେଇ ଚାଲିଥିବା ଉଦ୍ୟମ ସମ୍ପର୍କରେ ସେ କିଛି ଜାଣନ୍ତି ନାହିଁ ବୋଲି ବିୟାନି କହିଛନ୍ତି। ସେହିଭଳି ପେଟିଏମ୍‌, ଆଲିବାବା ଏବଂ ଗୁଗୁଲ୍‌ର ପ୍ରବକ୍ତା ମଧ୍ୟ ଏହା ଉପରେ ମତାମତ ଦେବାକୁ ମନା କରିଦେଇଛନ୍ତି।
ଭାରତ କାହିଁକି?
ଭାରତରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ହୋଇଥିବା ବେଳେ ସରକାର ଡିଜିଟାଲ କାରବାର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଫଳରେ ଆସନ୍ତା ୨୦୨୫ ମସିହା ସୁଦ୍ଧା ଭାରତର ଡିଜିଟାଲ ଅର୍ଥନୀତି ୧ ଲକ୍ଷ କୋଟି ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଇ-କମର୍ସର ବଜାର ବଢ଼ୁଥିବାରୁ ଅଧିକରୁ ଅଧିକ କମ୍ପାନି ବାଣିଜ୍ୟିକ କାରବାର ସହିତ ଡିଜିଟାଲ ପେମେଣ୍ଟକୁ ଯୋଡ଼ୁଛନ୍ତି। ଏଥିଯୋଗୁ ଗୁଗୁଲ୍‌ ଭଳି କମ୍ପାନିଙ୍କ ପାଇଁ ଭାରତରେ ବ୍ୟବସାୟ ସୁଯୋଗ ସୃଷ୍ଟି ହେଉଛି। ଏଥିପାଇଁ ଗୁଗୁଲ୍‌, ଆମାଜନ୍‌ ଏବଂ ଆଲିବାବା ଭଳି କମ୍ପାନି ଭାରତୀୟ ବଜାରରେ ବ୍ୟବସାୟ ବଢ଼ାଇବା ସୁଯୋଗ ଖୋଜୁଛନ୍ତି।
୨୫୫ ସହରରେ ୧୦୩୫ ଷ୍ଟୋର୍‌
ଭାରତର ପ୍ରାୟ ୨୫୫ଟି ସହରରେ ଫ୍ୟୁଚର ରିଟେଲ୍‌ର ଏବେ ୧୦୩୫ଟି ଷ୍ଟୋର ରହିଛି। ଏସବୁ ଷ୍ଟୋର୍‌ରେ ୧୪.୫ ବର୍ଗଫୁଟ ପରିିମିତ ସ୍ଥାନରେ ଏହି କମ୍ପାନି ବ୍ୟବସାୟ କରୁଛି। ପ୍ରତିବର୍ଷ ଏହି କମ୍ପାନିର ଷ୍ଟୋରକୁ ୫୦ କୋଟି ଗ୍ରାହକ ଆସୁଛନ୍ତି। ତେଣୁ ଏହି କମ୍ପାନି ଉପରେ ବିଦେଶୀ କମ୍ପାନିଙ୍କ ନଜର ପଡ଼ିବା ସ୍ୱାଭାବିକ। ବିଗ୍‌ ବଜାର, ଫେସନ୍‌ ବିଗ୍‌ ବଜାର, ସେଣ୍ଟ୍ରାଲ ଏବଂ ବ୍ରାଣ୍ଡ୍‌ ଫ୍ୟାକ୍ଟି୍ରି ଭଳି ନାମରେ ଫ୍ୟୁଚର ଗ୍ରୁପ୍‌ର ଷ୍ଟୋର ଗୁଡ଼ିକ ପରିଚାଳିତ ହେଉଛି।

ସମ୍ବନ୍ଧିତ ଖବର