ସବୁ ଭୁଲ୍‌ ଗୁଗୁଲ୍‌ର ଫୋନ୍‌ରେ ଆଧାର ଟୋଲ୍‌ ଫ୍ରି ନମ୍ବର

ଲୋକଙ୍କ ଅଜାଣତରେ ‘ୟୁଆଇଡିଏଆଇ’ ନାମରେ ସେଭ୍‌ ହୋଇଛି

ନୂଆଦିଲ୍ଲୀ: ଅନେକ ଲୋକଙ୍କ ଫୋନ୍‌ରେ ଆଧାରର ହେଲ୍‌ପଲାଇନ୍‌ ନମ୍ବର ସେଭ୍‌ ହୋଇଛି ଯାହାକୁ ନେଇ ଆଜି ଦିନସାରା ଚର୍ଚା ଲାଗିରହିଥିଲା। ଲୋକଙ୍କ ଅଜାଣତରେ ଏହି ନମ୍ବର ସେଭ୍‌ ହୋଇଛି। ଏହାକୁ ନେଇ ସୋସିଆଲ୍‌ ମିଡିଆରେ ଲୋକମାନେ ତୀବ୍ର ଅସନ୍ତୋଷ ଜାହିର କରିବା ସହିତ ତାହାକୁ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ ସହିତ ତୁଳନା କରିଛନ୍ତି। ଏହି ଭୁଲ ପାଇଁ ଦାୟୀ କିଏ ବୋଲି ଦିନ ସାରା ଲୋକମାନେ ପ୍ରଶ୍ନ କରିଥିଲେ। ତାହାର ଉତ୍ତର ରାତିରେ ମିଳିଥିଲା। ଏହି ଭୁଲ୍‌ ପାଇଁ ଗୁଗୁଲ୍‌ ନିଜକୁ ଦାୟୀ କରିଛି ଓ ସେଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଛି। ଅଜାଣତରେ ଏହି ନମ୍ବର ଆଣ୍ଡ୍ରଏଡ୍‌ର ସେଟ୍‌ଅପ୍‌ ଓ୍ଵିଜାର୍ଡ୍‌ରେ ରହିଯାଇଥିଲା। ସେଥିପାଇଁ ଏହି ସମସ୍ୟା ହୋଇଥିବା କଂପାନି ପକ୍ଷରୁ କୁହାଯାଇଛି। ୨୦୧୪ରେ କଂପାନି ପକ୍ଷରୁ ୟୁଏଆଇଡିଏଆଇର ଥିବା ପୁରୁଣା ହେଲ୍‌ପଲାଇନ୍‌ ନମ୍ବର ୧୮୦୦୩୦୦୧୯୪୭ ଓ ଜରୁରୀକାଳୀନ ନମ୍ବର ୧୧୨କୁ ଆଣ୍ଡ୍ରଏଡ୍‌ର ସେଟ୍‌ ଅପ୍‌ ଓ୍ଵିଜାର୍ଡରେ ବ୍ୟବହାର କରାଯାଇଥିଲା। କଂପାନି ପକ୍ଷରୁ ବିଭିନ୍ନ ହ୍ୟାଣ୍ଡସେଟ୍‌ ନିର୍ମାତାଙ୍କୁ ଆଣ୍ଡ୍ରଏଡ୍‌ର ସେହି ଭର୍ସନ ପ୍ରଦାନ କରାଯାଇଥିଲା। ଭାରତରେ ବିକ୍ରି ପାଇଁ ହ୍ୟାଣ୍ଡସେଟ୍‌ ନିର୍ମାଣ କରୁଥିବା କଂପାନିଗୁଡ଼ିକୁ ଗୁଗୁଲ୍‌ ସେହି ସମୟରେ ତାହା ପ୍ରଦାନ କରିଥିଲା ଓ ସେହିଦିନଠାରୁ ସେଟ୍‌ ଅପ୍‌ ଓ୍ଵିଜାର୍ଡରେ ଏହି ନମ୍ବର ରହିଯାଇଛି। ଯେହେତୁ ଏହି ନମ୍ବର ଗ୍ରାହକଙ୍କ ଫୋନ୍‌ବୁକ୍‌ରେ ରହିଥାଏ, ତେଣୁ ଯେ କୌଣସି ନୂଆ ଫୋନ୍‌କୁ ତାହା ସହଜରେ ସ୍ଥାନାନ୍ତରିତ ହୋଇଯାଉଛି। ତେବେ ଏହା ଜରିଆରେ ଆମେ ଗ୍ରାହକଙ୍କ ଆଣ୍ଡ୍ରଏଡ୍‌ ଫୋନ୍‌ରେ ବେଆଇନ ଭାବେ ପ୍ରବେଶ କରିନାହୁଁ। ଗ୍ରାହକମାନେ ଚାହିଁଲେ ସେହି ନମ୍ବରକୁ ନିଜ ଫୋନ୍‌ରୁ ଡିଲିଟ୍‌ କରିଦେଇପାରିବେ। ଆଗାମୀ ଦିନରେ ସେଟ୍‌ଅପ୍‌ ଓ୍ଵିଜାର୍ଡରେ ଥିବା ଏହି ସମସ୍ୟାକୁ ସମାଧାନ କରାଯିବ ବୋଲି ଗୁଗୁଲ୍‌ ପକ୍ଷରୁ କୁହାଯାଇଛି।

ଏ ସଂପର୍କରେ ଆଜି ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ (ୟୁଆଇଡିଏଆଇ) ପକ୍ଷରୁ ପ୍ରଥମେ ସ୍ପଷ୍ଟୀକରଣ ଦିଆଯାଇଥିଲା। ଏହି ନମ୍ବର ଆମର ପୁରୁଣା ହେଲ୍‌ପ୍‌ଲାଇନ୍‌ ନମ୍ବର। ଆମର ନୂଆ ନମ୍ବର ହେଉଛି ୧୯୪୭ ଓ ଏହା ଦୁଇ ବର୍ଷ ହେଲାଣି କାମ କରୁଛି। ହ୍ୟାଣ୍ଡସେଟ୍‌ଗୁଡ଼ିକର ଡିଫଲ୍‌ଟ ଫୋନ୍‌ବୁକ୍‌ରେ କୌଣସି ନମ୍ବର ସେଭ୍‌ କରିବା ପାଇଁ ଆମେ କାହାକୁ କହିନାହୁଁ ବୋଲି ୟୁଆଇଡିଏଆଇ ସ୍ପଷ୍ଟ କରିଦେଇଥିଲା।

କିଭଳି ଜଣାପଡ଼ିଲା?
ଏଲିଅଟ୍‌ ଆଲ୍‌ଡର୍‌ସନ୍‌ ନାମକ ଫ୍ରାନ୍ସର ଜଣେ ନିରାପତ୍ତା ଗବେଷକ ୟୁଆଇଡିଏଆଇର ଟ୍ଵିଟର୍‌ ହ୍ୟାଣ୍ଡେଲ୍‌ରେ କରିଥିବା ଟ୍ଵିଟ୍‌ରୁ ଚର୍ଚା ଆରମ୍ଭ ହୋଇଥିଲା। ଏଲିଅଟ୍‌ ଟ୍ଵିଟ୍‌ କରି ପ୍ରଶ୍ନ କରିଥିଲେ ଯେ, ଭିନ୍ନ ଭିନ୍ନ ଟେଲିକମ୍‌ କଂପାନିର ଗ୍ରାହକଙ୍କ ଫୋନ୍‌ରେ ସେମାନଙ୍କ ଅଜାଣତରେ ଆଧାର ଫୋନ୍‌ ନମ୍ବର ସେଭ୍‌ ହୋଇଛି। ସେମାନଙ୍କ ପାଖରେ ଆଧାର କାର୍ଡ ନାହିଁ। ସେମାନଙ୍କ ଫୋନ୍‌୍‌ରେ ଏମ୍‌ଆଧାର ଆପ୍‌ ଇନଷ୍ଟଲ୍‌ ହୋଇନାହିଁ। ଏହା କିଭଳି ହେଲା ଆପଣ ଜଣାଇବେ କି? ଏହା ପରେ ଅନେକ ଲୋକ ଏହି ନମ୍ବର ଥିବା ସ୍କ୍ରିନ୍‌ ସଟ୍‌କୁ ଟ୍ଵିଟର୍‌ରେ ସେୟାର କରିଥିଲେ। ଅନେକ ଲୋକ ଏହି ଫୋନ୍‌ ନମ୍ବର କେଉଁଠୁ ଆସିଲା ତାହା ଜାଣିବାକୁ ଚାହିଁଥିଲେ। ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଏହି ନମ୍ବରକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର