ବୈଠକ ବସିଲା, ସହମତି ହେଲାନି, ଅଧିକ ସମୟ ଲୋଡ଼ିଲେ ଗଭର୍ଣ୍ଣର

ମୁମ୍ବାଇ: ପୂର୍ବ ନିର୍ଧାରିତ ତାରିଖ ଅନୁଯାୟୀ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ବହୁ ପତୀକ୍ଷିତ ବୋର୍ଡ ବୈଠକ ବସିଥିଲା। ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଦୀର୍ଘ ଚାରି ଘଣ୍ଟା ଧରି ଆଲୋଚନା ହୋଇଥିଲା। କିନ୍ତୁ କେତେକ ପ୍ରସଙ୍ଗରେ ସଦସ୍ୟଙ୍କ ଭିତରେ ସହମତି ହୋଇପାରିନଥିଲା। ବିଶେଷ କରି ରିଜର୍ଭ ବ୍ୟାଙ୍କର ପରିଚାଳନା ରୂପରେଖ(ଗଭର୍ଣ୍ଣାସ୍‌ ଫ୍ରେମ୍‌ୱର୍କ) ଓ ପୁଞ୍ଜି ଭଣ୍ଡାରକୁ ନେଇ ସହମତି ହୋଇପାରିନାହିଁ। ଏହା ଉପରେ ଆଗକୁ ଆହୁରି ଆଲୋଚନା କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଜଟିଳ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଶକ୍ତିକାନ୍ତ ଅଧିକ ସମୟ ଲୋଡ଼ିଛନ୍ତି। ଶକ୍ତିକାନ୍ତଙ୍କ ପାଖରେ ଆଜି ବଡ଼ ପଦକ୍ଷେପ ଘୋଷଣା କରିବାର ବିଶେଷ ସୁଯୋଗ ନଥିଲା। ଏକଥା ସେ ପୂର୍ବରୁ ମଧ୍ୟ ସ୍ପଷ୍ଟ କରିଦେଇଥିଲେ। ଆଜିର ବୈଠକରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ତାହା ଉପରେ ନିୟନ୍ତ୍ରଣ ରଖିବା ଥିଲା ତାଙ୍କର ପ୍ରଥମ କାମ। ସେହି କାମ କରିବାରେ ସେ ସଫଳ ହୋଇଛନ୍ତି। ସରକାରଙ୍କ ଦାବିକୁ ଯଦି ଆଜି ସେ ମାନି ନେଇଥାନ୍ତେ ତେବେ ରିଜର୍ଭ ବ୍ୟାଙ୍କର ସ୍ବାଧୀନତା ହରଣ ହୋଇଗଲା ବୋଲି ଚର୍ଚା ହୋଇଥାନ୍ତା। ଦେଶର କ୍ରେଡିଟ୍‌ ରେଟିଂକୁ ମଧ୍ୟ ତାହା ପ୍ରଭାବିତ କରିଥାନ୍ତା। ଜଟିଳ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଅଧିକ ସମୟ ଲୋଡ଼ି ଶକ୍ତିକାନ୍ତ ପରିସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବାରେ ସଫଳ ହୋଇଛନ୍ତି।

ସରକାରଙ୍କ ସହ ମତଭେଦ ଯୋଗୁ ଗତ ସୋମବାର ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲ୍‌ ହଠାତ୍‌ ଇସ୍ତଫା ଦେବା ପରେ ଏହି ବୈଠକ ବସିବ ନା ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ମାତ୍ର ନୂତନ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତଙ୍କୁ ନିଯୁକ୍ତି ମିଳିବା ପରେ ବୈଠକ ପୂର୍ବ ନିର୍ଧାରିତ ତାରିଖରେ ହିଁ ଅନୁଷ୍ଠିତ ହୋଇଛି। ରିଜର୍ଭ ବ୍ୟାଙ୍କ ବୋର୍ଡର ୧୮ ଜଣ ସଦସ୍ୟ ଆଜି ବ୍ୟାଙ୍କିଙ୍ଗ ଶିଳ୍ପ, ଦେଶ ଓ ବିଦେଶର ଅର୍ଥନୀତି ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହା ପୂର୍ବରୁ ଗତ ନଭେମ୍ବର ମାସ ୧୯ ତାରିଖରେ ରିଜର୍ଭ ବ୍ୟାଙ୍କ ବୋର୍ଡର ବୈଠକ ବସିଥିଲା। କ୍ଷୁଦ୍ର ବ୍ୟବସାୟୀଙ୍କ ଋଣ ସଙ୍କଟ ଦୂର କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଆଜିର ବୈଠକରେ କିନ୍ତୁ କୌଣସି ବଡ଼ ଧରଣର ନିଷ୍ପତ୍ତି ନିଆଯାଇନାହିଁ। ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଥିବା ୯ ଲକ୍ଷ କୋଟିରୁ ଅଧିକ ଟଙ୍କାର ଭାଗବଣ୍ଟାକୁ ନେଇ ଏକ କମିଟି ଗଠନ କରାଯିବ ବୋଲି ଗତ ବୈଠକରେ ନିଷ୍ପତ୍ତି ହୋଇଥିଲା। ରିଜର୍ଭ ବ୍ୟାଙ୍କ ଓ ସରକାର ଯୁଗ୍ମ ଭାବେ କମିଟିର ମୁଖ୍ୟ ଓ ସଦସ୍ୟଙ୍କ ନାମ ଘୋଷଣା କରିବେ ବୋଲି କହିଥିଲେ। ଆଜି ଏହି ପ୍ରସଙ୍ଗରେ କ’ଣ ଆଲୋଚନା ହେଲା ତାହା ସାର୍ବଜନୀନ ହୋଇନାହିଁ।

ସମ୍ବନ୍ଧିତ ଖବର