ସରକାରୀ ବ୍ୟାଙ୍କରେ ବିପୁଳ କ୍ଷତି:୧୧ଟି ବ୍ୟାଙ୍କର କ୍ଷତି ୪୧ ହଜାର କୋଟିରୁ ଅଧିକ

ନୂଆଦିଲ୍ଲୀ: ନନ୍‌ ପର୍‌ଫର୍‌ମିଂ ଆସେଟ୍‌ (ଏନ୍‌ପିଏ) ବୋଝ ସରକାରୀ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଛି। ୨୦୧୭-୧୮ ଆର୍ଥିକ ବର୍ଷର ଶେଷ ତିନି ମାସ (ଜାନୁଆରି-ମାର୍ଚ)ରେ ଅନେକ ସରକାରୀ ବ୍ୟାଙ୍କ ଏଥିପାଇଁ ବିପୁଳ ପରିମାଣର କ୍ଷତି ସହିଛନ୍ତି। ଋଣ ଅର୍ଥ ଆଦାୟ ହୋଇ ନପାରିବାରୁ ଏହି ସବୁ ବ୍ୟାଙ୍କଙ୍କୁ କ୍ଷତି ସହିବାକୁ ପଡ଼ିଛି।
ଦେଶର ୧୧ଟି ପ୍ରମୁଖ ସରକାରୀ ବ୍ୟାଙ୍କର ମୋଟ କ୍ଷତି ପରିମାଣ ଗତ ଜାନୁଆରି-ମାର୍ଚ ଅବଧିରେ ୪୧,୬୬୦ କୋଟି ଟଙ୍କା ହୋଇଛି। ସବୁଠୁ ଅଧିକ କ୍ଷତି ସହିଛି ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)। ଏହି ବ୍ୟାଙ୍କକୁ ଏଥିପାଇଁ ଜାନୁଆରି-ମାର୍ଚରେ କ୍ଷତି ୧୩,୪୧୭ କୋଟି ଟଙ୍କା ହୋଇଛି। ନିରବ ମୋଦି ପିଏନ୍‌ବିରୁ ଜାଲ ଏଲଓୟୁ ହାତେଇ ପ୍ରାୟ ୧୩,୭୦୦ କୋଟି ଟଙ୍କା ଠକି ନେଇଛନ୍ତିି।
ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ୭୭୧୮ କୋଟି ଟଙ୍କାର କ୍ଷତି ସହିଛି। ଆଦାୟ ହୋଇ ନପାରି ଫସି ରହିଥିବା ଋଣ ବାବଦରେ ବ୍ୟାଙ୍କଗୁଡ଼ିକ ଲାଭରୁ ଅର୍ଥ କାଟି ରଖିଥାନ୍ତି। ତାହାକୁ ବ୍ୟାଙ୍କ ଭାଷାରେ ପ୍ରୋଭିଜନିଂ କୁହାଯାଏ। ଏହି ପ୍ରୋଭିଜନିଂ ବାବଦରେ ଅଧିକ ପାଣ୍ଠିର ବ୍ୟବସ୍ଥା କରାଯାଇଥିବାରୁ ବ୍ୟାଙ୍କର କ୍ଷତି ପରିମାଣ ବଢ଼ିଥିବା କୁହାଯାଉଛି।
୨୦୧୬-୧୭ରେ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ୬୧,୨୨୬ କୋଟି ଟଙ୍କା ପ୍ରୋଭିଜନିଂ କରାଯାଇଥିଲା। ୨୦୧୭-୧୮ରେ ଏବାବଦରେ ୬୬,୦୫୮ କୋଟି ଟଙ୍କା ରଖାଯାଇଛି।
କେବଳ ଷ୍ଟେଟ୍‌ ବ୍ୟାଙ୍କ ନୁହେଁ ପ୍ରାୟ ସବୁ ସରକାରୀ ବ୍ୟାଙ୍କ ଏନ୍‌ପିଏ ଜାଲରେ ଛନ୍ଦି ହୋଇଛନ୍ତି। ଏନ୍‌ପିଏ ଏବେ ସରକାରୀ ବ୍ୟାଙ୍କଗୁଡ଼ିକର ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ଯାହାର ସମାଧାନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ୨୦୧୭-୧୮ର ଚତୁର୍ଥ ତ୍ରୟମାସରେ କାନାରା ବ୍ୟାଙ୍କର ୪୫୮୯ କୋଟି ଟଙ୍କାର କ୍ଷତି ହୋଇଛି। ସେହିପରି ଆହ୍ଲାବାଦ ବ୍ୟାଙ୍କର ୩୫୧୦ କୋଟି, ୟୁକୋ ବ୍ୟାଙ୍କର ୨୧୩୪ କୋଟି, ସେଣ୍ଟ୍ରାଲ୍‌ ବ୍ୟାଙ୍କର ୨୧୧୪ କୋଟି, ସିଣ୍ଡିକେଟ୍‌ ବ୍ୟାଙ୍କର ୨୧୯୫ କୋଟି, ୟୁନିଅନ୍‌ ବ୍ୟାଙ୍କର ୨୫୮୩ କୋଟି, ଓରିଏଣ୍ଟାଲ୍‌ ବ୍ୟାଙ୍କ ଅ୍‌ଫ କମର୍ସର ୧୬୫୦ କୋଟି ଓ ଦେନା ବ୍ୟାଙ୍କର ୧୨୨୫ କୋଟି ଟଙ୍କାର କ୍ଷତି ହୋଇଛି। ବିପୁଳ ପରିମାଣର କ୍ଷତି ସରକାରୀ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଉଥିବାରୁ ସେମାନେ ଋଣ ଦେବାରେ ଅସୁବିଧା ସାମ୍ନା କରୁଛନ୍ତି।
କାହାର କେତେ କ୍ଷତି
ବ୍ୟାଙ୍କ ମୂଲ୍ୟ (ଟଙ୍କା)
ଷ୍ଟେଟ୍‌ ବ୍ୟାଙ୍କ ୭୭୧୮ କୋଟି
ୟୁକୋ ବ୍ୟାଙ୍କ ୨୧୩୪ କୋଟି
ଦେନା ବ୍ୟାଙ୍କ ୧୨୨୫ କୋଟି
କାନାରା ବ୍ୟାଙ୍କ ୪୫୮୯ କୋଟି
ଓବିସି ୧୬୫୦ କୋଟି
ଆହ୍ଲାବାଦ ବ୍ୟାଙ୍କ ୩୫୧୦ କୋଟି
ପିଏନ୍‌ବି ୧୩,୪୧୭ କୋଟି
ୟୁନିଅନ୍‌ ବ୍ୟାଙ୍କ ୨୫୮୩ କୋଟି
ସିଣ୍ଡିକେଟ୍‌ ବ୍ୟାଙ୍କ ୨୧୯୫ କୋଟି
ସେଣ୍ଟ୍ରାଲ୍‌ ବ୍ୟାଙ୍କ ୨୧୧୪ କୋଟି

ସମ୍ବନ୍ଧିତ ଖବର