ସରକାରୀ ନେଣଦେଣ କରୁଥିବା ବ୍ୟାଙ୍କ ଶାଖା ରବିବାର ଖୋଲାରହିବ

ଭୁବନେଶ୍ବର: ମାର୍ଚ୍ଚ ୩୧ରେ ସରକାରୀ ନେଣଦେଣ କରୁଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କ ଶାଖା ଗୁଡ଼ିକ ଖୋଲା ରହିବ। ୩୧ ତାରିଖ ରବିବାର ପଡ଼ୁଥିଲେ ମଧ୍ୟ ଏହି ଶାଖା ଗୁଡ଼ିକୁ ଖୋଲା ରଖିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପେ ଏବଂ ଆକାଉଣ୍ଟ କାର୍ଯ୍ୟାଳୟ ଗୁଡ଼ିକ ରବିବାର ଖୋଲା ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ ଏହି କାର୍ଯ୍ୟାଳୟ ଗୁଡ଼ିକ ସହ ଜଡ଼ିତ ବ୍ୟାଙ୍କ ଶାଖା ଗୁଡ଼ିକ ମଧ୍ୟ ଖୋଲା ରହିବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ଅନ୍ୟ ଏକ ନିର୍ଦ୍ଦେଶନାମାରେ କୁହାଯାଇଛି, ଚଳିତ ଆର୍ଥିକ ବର୍ଷର ହିସାବକୁ ହିଁ ଶେଷଦିନରେ ସାରିବାକୁ ସରକାର ଆଗ୍ରହ ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରୀ ନେଣଦେଣ କରୁଥିବା ବ୍ୟାଙ୍କ ଶାଖା ଗୁଡ଼ିକୁ ଉକ୍ତ କାମ ସେହିଦିନ ଶେଷ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ରିଜର୍ଭ ବ୍ୟାଙ୍କ କହିଛି। ମାର୍ଚ୍ଚ ୩୦ ତାରିଖ ଦିନ ସରକାରୀ ନେଣଦେଣ ପାଇଁ ବ୍ୟାଙ୍କ ‌ଗୁଡ଼ିକ ସେମାନଙ୍କ ନିର୍ଦ୍ଦିଷ୍ଟ କାଉଣ୍ଟରକୁ ରାତି ୮ଟା ଏବଂ ୩୧ ତାରିଖରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର