‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ନିର୍ମାଣ ପାଇଁ ଟଙ୍କା ଦେଇ ବିବାଦରେ ସରକାରୀ ଉଦ୍ୟୋଗ: ୧୯ ପିଏସ୍‌ୟୁର ସିଏସ୍‌ଆର୍‌ ନାମରେ ୨୫୧.୭୧ କୋଟି ଦାନ

ସିଏଜି ଧରିଲେ କାରସାଦି

ନୂଆଦିଲ୍ଲୀ,: ବିଶ୍ବର ସର୍ବବୃହତ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ର ନିର୍ମାଣ ପାଇଁ ପାଣ୍ଠି ଯୋଗାଇ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗୁଡ଼ିକୁ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) କଡ଼ା ସମାଲୋଚନା କରିଛନ୍ତି। କଂପାନି ସାମାଜିକ ଦାୟିତ୍ବ (ସିଏସ୍‌ଆର୍‌) ପାଣ୍ଠିକୁ କିଭଳି ଏହି ପ୍ରକଳ୍ପ ପାଇଁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଗଲା ସେ ନେଇ ସିଏଜି ପ୍ରଶ୍ନ କରିଛନ୍ତି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ମୃତିରେ ନର୍ମଦା ନଦୀ କୂଳରେ ନିର୍ମାଣ କରାଯାଇଥିବା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ରେ ୩୦୦୦ କୋଟି ଟଙ୍କା ଖର୍ଚ ହୋଇଛି। ସେଥି ମଧ୍ୟ୍ରୁ ୧୪୬.୮୩ କୋଟି ଟଙ୍କା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପ୍ରଦାନ କରିଛନ୍ତି। ସେହି କଂପାନିଗୁଡ଼ିକ ହେଉଛି ଓଏନ୍‌ଜିସି, ଏଚ୍‌ପିସିଏଲ୍‌, ବିପିସିଏଲ୍‌, ଇଣ୍ଡିଆନ୍ ଅଏଲ୍ ଓ ଅଏଲ୍ ଇଣ୍ଡିଆ ଲିମିଟେଡ୍। ଓଏନ୍‌ଜିସି ୫୦ କୋଟି, ଇଣ୍ଡିଆନ୍ ଅଏଲ୍‌ ୨୧.୮୩ କୋଟି, ବିପିସିଏଲ୍‌ ୨୫ କୋଟି, ଏଚ୍‌ପିସିଏଲ୍‌ ୨୫ କୋଟି ଓ ଅଏଲ୍‌ ଇଣ୍ଡିଆ ୨୫ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିଛନ୍ତି। ସେହିପରି ଗୁଜରାଟର ୧୪ଟି ପିଏସ୍‌୍ୟୁ ୧୦୪.୮୮ କୋଟି ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି।
ସଂସଦରେ ସିଏଜି ଉପସ୍ଥାପନ କରିଥିବା ରିପୋର୍ଟ ଜଣାଇଛନ୍ତି ଯେ, ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ପାଇଁ ସ୍ଥାପନ କରାଯାଇଥିବା ଟ୍ରଷ୍ଟ୍‌ ‘ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ଏକତା ଟ୍ରଷ୍ଟ (ଏଚ୍‌ଭିପିଆର୍‌ଇଟି) ପାଇଁ ସରକାରୀ ଉଦ୍ୟୋଗଗୁଡ଼ିକ ଯେଉଁ ପାଣ୍ଠି ପ୍ରଦାନ କରିଛନ୍ତି ତାହାକୁ ସିଏସ୍‌ଆର୍‌ ଖର୍ଚ୍ଚ କୁହାଯାଇପାରିବ ନାହିଁ। କଂପାନି ନିୟମ ୨୦୧୩ର ଧାରା ୭ ଅନୁଯାୟୀ ଏହା ମଞ୍ଜୁର ହୋଇଥିବା ସିଏସ୍‌ଆର୍‌ କାର୍ଯ୍ୟକଳାପ ନୁହେଁ। କଳା, ସଂସ୍କୃତି ଓ ଜାତୀୟ ଐତିହ୍ୟର ସୁରକ୍ଷା ଅଧୀନରେ କଂପାନିଗୁଡ଼ିକ ଏହି ପାଣ୍ଠି ପ୍ରଦାନ କରିଛନ୍ତି। କିନ୍ତୁ ଷ୍ଟାଚ୍ୟୁ ଅଫ୍ ୟୁନିଟି କୌଣସି ଐତିହ୍ୟ ସମ୍ପତ୍ତି ନୁହେଁ ବୋଲି ସିଏଜି ସ୍ପଷ୍ଟ କରିଦେଇଛନ୍ତି।
ସିଏଜି ଜଣାଇଛନ୍ତି ଯେ, ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣ ସମସ୍ତ ଖର୍ଚ ଟ୍ରଷ୍ଟ ବହନ କରିବାର ଥିଲା। ମାତ୍ର ୭୮୦ କୋଟି ଟଙ୍କା ଅଭାବ ପଡ଼ିବାରୁ ସରକାରୀ ଉଦ୍ୟୋଗଗୁଡ଼ିକର ସହାୟତା ଲୋଡ଼ାଗଲା। ଏଲ୍‌ଆଣ୍ଡଟିକୁ ଏହି ପ୍ରତ୍ତିମୂର୍ତି ନିର୍ମାଣ କରିବା କାମ ୨୦୧୪ ଅକ୍ଟୋବରରେ ପ୍ରଦାନ କରାଯାଇଥିଲା ଓ ନିର୍ମାଣ କାମ ୨୦୧୮ ଅକ୍ଟୋବର ସୁଦ୍ଧା ଶେଷ କରିବାକୁ କୁହାଯାଇଥିଲା। ତେବେ ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣ ବାବଦରେ ଦିଆଯାଇଥିବା ପାଣ୍ଠିକୁ ସିଏସ୍‌ଆର୍‌ କାର୍ଯ୍ୟକଳାପ କୁହାଯାଇପାରିବ ନାହିଁ। କଂପାନି ନିୟମ ଅନୁସାରେ ଏହା ସିଏସ୍‌ଆର୍‌ କାର୍ଯ୍ୟ ବର୍ଗରେ ଆସୁନାହିଁ ବୋଲି ସିଏଜି ଜଣାଇଛନ୍ତି।
ପ୍ରାରମ୍ଭିକ ପର୍ଯ୍ୟାୟରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ଖର୍ଚ ୨୦୬୩ କୋଟି ଟଙ୍କା‌ ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ଏଲ୍‌ଆଣ୍ଡଟି ଦାଖଲ କରିଥିବା ୨୯୮୯ କୋଟି ଟଙ୍କାର ବିଡ୍‌କୁ ଗ୍ରହଣ କରାଯାଇଥିଲା, କାରଣ ତାହା ସର୍ବନିମ୍ନ ବିଡ୍ ଥିଲା। ପ୍ରକଳ୍ପର ଡିଜାଇନ୍, ନିର୍ମାଣ ଓ ରକ୍ଷଣାବେକ୍ଷଣ ଭଳି ସବୁ ଖର୍ଚ୍ଚ ଏଥିରେ ସାମିଲ ଥିଲା।

କିଏ କେତେ ଦେଇଛନ୍ତି
କଂପାନି ନାମ କୋଟି ଟଙ୍କା
ଓଏନ୍‌ଜିସି ୫୦
ଆଇଓସିଏଲ୍‌ ୨୧.୮୩
ବିପିସିଏଲ୍‌ ୨୫
ଏଚ୍‌ପିସିଏଲ୍‌ ୨୫
ଅଏଲ୍‌ ଇଣ୍ଡିଆ ୨୫

ସମ୍ବନ୍ଧିତ ଖବର