ବ୍ୟାଙ୍କକୁ ୧୧ ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଇବେ ସରକାର

ନୂଆଦିଲ୍ଲୀ: ଦେଶରେ ସରକାରୀ ବ୍ୟାଙ୍କର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଠକେଇ ସମେତ ଲୋକମାନେ ଋଣ ପରିଶୋଧ କରୁ ନଥିବାରୁ ଗୋଟିଏ ପଟେ ବ୍ୟାଙ୍କର ଅନାଦାୟ ଋଣ ବା ଏନ୍‌ପିଏ ବଢ଼ିବାରେ ଲାଗିଛି। ଅନ୍ୟପଟେ ଏନ୍‌ପିଏ ବାବଦରେ ବ୍ୟାଙ୍କ ଗୁଡ଼ିକୁ ଅଧିକ ଅର୍ଥର ବରାଦ (ପ୍ରୋଭିଜନିଂ) କରିବାକୁ ପଡ଼ୁଥିବାରୁ ସେମାନଙ୍କ କ୍ଷତି ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଗୁଡ଼ିକୁ ୨ ଲକ୍ଷ ୧୧ ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଇ ଦେବାକୁ ଗତବର୍ଷ ସରକାର ଘୋଷଣା କରିଥିଲେ।

ଏହିକ୍ରମରେ ୫ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ସରକାର ଖୁବ୍‌ଶୀଘ୍ର ୧୧,୩୩୬ କୋଟି ଟଙ୍କାର ପୁଞ୍ଜି ଯୋଗାଇଦେବେ। ସେହି ବ୍ୟାଙ୍କ ଗୁଡ଼ିକ ହେଲେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କର୍ପୋରେସନ୍‌ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ ଏବଂ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ। ଅର୍ଥମନ୍ତ୍ରାଳୟ ଚଳିତ ପର୍ଯ୍ୟାୟର ଏହି ପୁଞ୍ଜି ପ୍ରଦାନକୁ ମଞ୍ଜୁରି ପ୍ରଦାନ କରିଛି। ନିରବ ମୋଦି ଠକେଇର ଶିକାର ହୋଇଥିବା ପିଏନ୍‌ବିକୁ ସର୍ବାଧିକ ୨୮୧୬ କୋଟି ଟଙ୍କା ଦିଆଯିବ। କର୍ପୋରେସନ୍‌ ବ୍ୟାଙ୍କ ୨୫୫୫ କୋଟି ଟଙ୍କା, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କକୁ ୨୧୫୭ କୋଟି ଟଙ୍କା, ଆନ୍ଧ୍ର ବ୍ୟାଙ୍କକୁ ୨୦୧୯ କୋଟି ଟଙ୍କା ଏବଂ ଆହ୍ଲାବାଦ ବ୍ୟାଙ୍କକୁ ୧୭୯୦ କୋଟି ଟଙ୍କା ମିଳିବ।

ସମ୍ବନ୍ଧିତ ଖବର