ଚୋର ଗଲା ପରେ ବୁଦ୍ଧି ଆସିଲା, ଋଣ ଖିଲାପୀ ବ୍ୟବସାୟୀଙ୍କ ବିଦେଶ ଯାତ୍ରା ଉପରେ କଟକଣା ଜାରି ପାଇଁ ଯୋଜନା

ନୂଆଦିଲ୍ଲୀ : କଥାରେ ଅଛି ଚୋର ଗଲା ପରେ ବୁଦ୍ଧି ପଛେ । ଆମ ସରକାରଙ୍କ କ୍ଷେତ୍ରରେ ଏକଥା ପ୍ରମାଣିତ ହେବାକୁ ଯାଉଛି । ବିଜୟ ମାଲ୍ୟା, ଲଲିତ ମୋଦି , ନିରବ ମୋଦି ଆଦି ଦେଶର ବଡ଼ ବଡ଼ ବ୍ୟବସାୟୀମାନେ ବିପୁଳ ପରିମାଣରେ ବ୍ୟାଙ୍କ ଋଣ ନେଇ ବିଦେଶ ପଳାଇଯାଉଥିବାରୁ ସରକାରଙ୍କ ଚିନ୍ତା ପସିଛି । ଆଗକୁ ଯେପରି ଏପରି ନ ହୁଏ ସେଥିପାଇଁ କେତେକ ପଦକ୍ଷେପ ନେବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ।
ରିଜର୍ଭ ବ୍ୟାଙ୍କ ଓ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍‌ ସହ ମିଳିତ ଭାବରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ ।

ଜଣାଯାଇଛି ଯେ ବ୍ୟାଙ୍କରୁ ବିପୁଳ ଋଣ ନେଇ ସୁଝୁନଥିବା ବିଭିନ୍ନ କମ୍ପାନିର ପ୍ରମୋଟର ମାନେ ଦେଶ ଛାଡ଼ି ଯିବା ପାଇଁ ବହୁ ପୂର୍ବରୁ ଯୋଜନା କରନ୍ତି । ଅତି କମରେ ଛଅ ମାସ ଆଗରୁ ପ୍ଲାନିଂ ହୁଏ । ଏହି ସମୟରେ ହଠାତ୍‌ ବିଦେଶରେ ସେହି କମ୍ପାନି ମାନଙ୍କର କାରବାର ବଢିଯାଏ । ହଓ୍ଵାଲା ମାଧ୍ୟମରେ ନିଜ ପାଖରେ ଥିବା ବିପୁଳ ଟଙ୍କା ପଠାଯାଏ । ପୁଣି ରହିବା ପାଇଁ ଏପରି ଦେଶ ସ୍ଥିର କରାଯାଏ ଯେଉଁ ଦେଶସହ ଭାରତର ପ୍ରତ୍ୟାର୍ପଣ ସନ୍ଧି ନାହିଁ । ଏସବୁ ପରେ ସମୟ ସୁବିଧା ଦେଖି ଖସି ଯାଆନ୍ତି । ଅଧିକାଂଶ ସମୟରେ ସେମାନେ ଦେଶରୁ ଖସିଯିବାପରେ ହିଁ ଠକେଇ ବା ଅନାଦେୟ ଋଣ କଥା ଜଣାପଡେ ।

ସରକାର କରୁଥିବା ଯୋଜନା ଅନୁସାରେ ବିଭିନ୍ନ କମ୍ପାନିର ବିଦେଶୀ କାରବାର ଉପରେ ନଜର ରଖାଯିବ । ରିଜର୍ଭ ବ୍ୟାଙ୍କ ଓ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍‌ ଏସବୁ କାରବାର ଉପରେ ନଜର ରଖିବେ ଓ ସଂଦେହ ହେଲେ ସରକାରଙ୍କୁ ସତର୍କ କରାଇଦେବେ । ଅଧିକ ସଂଦେହ ହେଲେ ସେମାନଙ୍କ ପାସପୋର୍ଟକୁ ଜବତ କରିଦିଆଯିବ ।

ସମ୍ବନ୍ଧିତ ଖବର