ନୂଆଦିଲ୍ଲୀ: ଆମେରିକାର ରେଟିଂ ଏଜେନ୍ସି ମୁଡିସ୍ ପ୍ରତି ସରକାରଙ୍କ ହଠାତ୍ ପ୍ରୀତିକୁ ବିଦ୍ରୂପ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍। ଗତକାଲି ମୁଡିସ୍ର ରିପୋର୍ଟ ଆସିବା ପରେ ମୋଦି ସରକାର ଏଥିରେ ଉତ୍ସାହିତ ହୋଇପଡ଼ିଛନ୍ତି। କିଛିମାସ ତଳେ ଯେଉଁ ସରକାର ମୁଡିସ୍ର ରେଟିଂ ପଦ୍ଧତିକୁ ତ୍ରୁଟିପୂର୍ଣ୍ଣ ବୋଲି ସମାଲୋଚନା କରିଥିଲା ଏବେ ସେହି ସରକାର ମୁଡିସ୍ର ରେଟିଂ ପ୍ରୀତିରେ ଗଦ୍ଗଦ୍ ହୋଇପଡ଼ିଛନ୍ତି। ମୁଡିସ୍ର ରେଟିଂ ପଦ୍ଧତି ଉପରେ ପ୍ରଶ୍ନ ଉଠାଇ ତତ୍କାଳୀନ ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ଏକ ଲମ୍ବା ଚିଠି ଲେଖିଥିଲେ। ସେହିଭଳି ରେଟିଂରେ ଉନ୍ନତି ପାଇଁ ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧିକୁ ଯାହା ଏକ କାରଣ ଭାବେ ଦର୍ଶାଯାଇଛି ତାହା ଉପରେ ମଧ୍ୟ ଚିଦମ୍ବରମ୍ ଆଙ୍ଗୁଳି ଉଠାଇଛନ୍ତି। ସେ କହିଛନ୍ତି ଯେ ଉଭୟ ମୁଡିସ୍ ଏବଂ ସରକାର ଚଳିତ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ୬.୭ ପ୍ରତିଶତ ରହିବ ବୋଲି ଆକଳନ କରିଛନ୍ତି। ୨୦୧୫-୧୬ରେ ଏହା ୮ ପ୍ରତିଶତ ଥିବାବେଳେ ୨୦୧୬-୧୭ରେ ୬.୭ ପ୍ରତିଶତ ରହିଥିଲା। ତେଣୁ ଅର୍ଥନୈତିକ ଅଭିବୃଦ୍ଧି ଉପରକୁ ଯାଉଛି କି ତଳକୁ ଖସୁଛି ତାହା ଆପଣମାନେ ନିର୍ଣ୍ଣୟ କରନ୍ତୁ ବୋଲି ଚିଦରମ୍ବରମ୍ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅର୍ଥନୀତି ଏବେ ବି ବିପଦମୁକ୍ତ ନୁହେଁ: ମନମୋହନ
କୋଚି: ଆମେରିକାର କ୍ରେଡିଟ୍ ରେଟିଂ ଏଜେନ୍ସି ଗତକାଲି ଭାରତର ରେଟିଂରେ ଉନ୍ନତି ଆଣି ବିଏଏ୨ ରେଟିଂ ପ୍ରଦାନ କରିଛି। ଏହା ଉପରେ ଆଜି ମତ ରଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଏର୍ଣ୍ଣାକୁଲମ୍ର ସେଣ୍ଟ୍ ଟେରେସାସ୍ କଲେଜର ଅର୍ଥନୀତି ବିଭାଗ ପକ୍ଷରୁ ଆୟୋଜିତ ଏକ ସେମିନାରରେ ଯୋଗଦେବା ଅବସରରେ ଶ୍ରୀ ସିଂହ କହିଛନ୍ତି ଯେ ମୁଡିସ୍ ଯାହା କରିବା କଥା ତାହା କରିଛନ୍ତି। ଏଥିରେ ମୁଁ ଖୁସି। କିନ୍ତୁ ଭାରତୀୟ ଅର୍ଥନୀତି ବିପଦମୁକ୍ତ ବୋଲି ଯେଉଁ ମିଥ୍ୟା ବିଶ୍ୱାସ ସୃଷ୍ଟି କରାଯାଉଛି ଆୋlମ ସେଥିପ୍ରତି ପ୍ରଲୋଭିତ ହେବା ଉଚିତ ନୁହେଁ। ୧୦ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧି ହାସଲ ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ସେ ଦିଗରେ ଅଗ୍ରସର ହେବାକୁ ହେଲେ ଦେଶକୁ ଦୃଢ଼ ଏବଂ ଅର୍ଥପୂର୍ଣ୍ଣ ଦିଗ୍ଦର୍ଶନର ଆବଶ୍ୟକତା ରହିଛି ବୋଲି ମନମୋହନ କହିଛନ୍ତି।
ଅନ୍ତଜାର୍ତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ପାଉଥିବାରୁ ଏହା ଦେଶର ବିତ୍ତୀୟ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇପାରେ। କିଛିମାସ ପୂର୍ବେ ଅଶୋଧିତ ତେଲ ମୂଲ୍ୟ ବ୍ୟାରେଲ ପିଛା ୪୦ରୁ ୪୫ ଡଲାର ମଧ୍ୟରେ ରହିଥିବାବେଳେ ଏବେ ଏହା ୬୨ରୁ ୬୪ ଡଲାରରେ ପହଞ୍ଚିଯାଇଛି। ସେହିଭଳି ସେ ଦେଶରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍ଟି)କୁ କିଭଳି କାର୍ଯ୍ୟକାରୀ କରିଥାନ୍ତେ ବୋଲି ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିଂହ କହିଛନ୍ତି ନୂଆ ଟିକସ ବ୍ୟବସ୍ଥାକୁ ଅଯଥା ତରବରିଆ ଭାବେ କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ଉପଯୁକ୍ତ ପ୍ରସ୍ତୁତି କରାଯାଇ ନଥିବାରୁ ସେ ଅମଲାକୁ ଦୋଷ ଦେଇଛନ୍ତି।