ବ୍ୟବସାୟୀଙ୍କ ପାଇଁ କୋହଳ ହେଲେ ସରକାର

ଆଉ ୩ ମାସ ଷ୍ଟିକର ଲଗାଇ ବିକିପାରିବେ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବାର ବେଶ୍‌ କିଛି ଦିନ ପରେ ସରକାର ବ୍ୟବସାୟୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିଛନ୍ତି। ଜିଏସ୍‌ଟି ପୂର୍ବରୁ ପ୍ରସ୍ତୁତ ସାମଗ୍ରୀ ଗୁଡ଼ିକରେ ସଂଶୋଧିତ ଏମ୍‌ଆର୍‌ପି( ସର୍ବାଧିକ ଖୁଚୁରା ମୂଲ୍ୟ) ଷ୍ଟିକର ମାରି କମ୍ପାନି ଗୁଡ଼ିକ ଆସନ୍ତାବର୍ଷ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ବିକ୍ରି କରିପାରିବେ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ରାମବିଳାସ ପାଶ୍ୱାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଜିଏସ୍‌ଟିର ପରିଷଦର ଗତ ବୈଠକରେ ପ୍ରାୟ ୨୦୦ ସାମଗ୍ରୀର ମୂଲ୍ୟ ସଂଶୋଧନ ହୋଇଛି। ଏଥିସହିତ ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ପ୍ରସ୍ତୁତ ହୋଇଥିବା ସାମଗ୍ରୀ ଗୁଡ଼ିକ ଉପରେ ମଧ୍ୟ ସଂଶୋଧିତ ଏମ୍‌ଆର୍‌ପି ଷ୍ଟିକର ଲଗାଇ ଆସନ୍ତାବର୍ଷ ମାର୍ଚ ଶେଷ ପର୍ଯ୍ୟନ୍ତ ବିକ୍ରି କରିବାକୁ ଅନୁମତି ପ୍ରଦାନ କରାଯାଇଛି ବୋଲି ପାଶ୍ୱାନ ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି। ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ନିର୍ମିତ ସାମଗ୍ରୀଗୁଡ଼ିକୁ ସଂଶୋଧିତ ଏମ୍‌ଆର୍‌ପି ଷ୍ଟିକର ଲଗାଇ ଚଳିତବର୍ଷ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବିକ୍ରି କରିବାକୁ ସରକାର ପୂର୍ବରୁ ଅନୁମତି ଦେଇଥିଲେ। ଏବେ ଏହାକୁ ଆଉ ୩ ମାସ ଅର୍ଥାତ୍‌ ୨୦୧୮ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ଜୁଲାଇ ପହିଲାରେ ଜିଏସ୍‌ଟି ଲାଗୁ ହେବା ପରେ ସରକାର ପ୍ରଥମେ ୩ ମାସ ପାଇଁ ଅର୍ଥାତ ୨୦୧୭ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଜିଏସ୍‌ଟି ପୂର୍ବରୁ ନିର୍ମିତ ସାମଗ୍ରୀ ଉପରେ ସଂଶୋଧିତ ଷ୍ଟିକର ଲଗାଇ ସାମଗ୍ରୀ ବିକ୍ରି କରିବାକୁ ଅନୁମତି ଦେଇଥିଲେ। ପରେ ଏହାକୁ ପୁଣି ଆଉ ୩ ମାସ ଅର୍ଥାତ୍‌ ୨୦୧୭ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ଏବେ ଏହାକୁ ଆଉ ୩ ମାସ ବଢ଼ାଇ ଦିଆଯାଇଛି। ଜିଏସ୍‌ଟିରେ ସଂଶୋଧିତ ଟିକସର ଲାଭ ଯେପରି ଗ୍ରାହକଙ୍କୁ ମିଳେ ତାହା ଉପରେ କଡ଼ ନଜର ରଖିବାକୁ ନିକଟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଶ୍ୱାନ ରାଜ୍ୟର ମାପ ଓ ଓଜନ ବିଭାଗ ଗୁଡ଼ିକୁ କଡ଼ା ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର