ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବା ନାଁ ଧରୁନାହିଁ। ଗତ ୨୬ ତାରିଖରେ ବ୍ୟାଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ କଡ଼ା ସମାଲୋଚନା କରିବା ପରେ ଏହାକୁ ନେଇ ଦେଶବ୍ୟାପୀ ବିତର୍କ ଆରମ୍ଭ ହୋଇଯାଇଥିଲା। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ରିଜର୍ଭ ବ୍ୟାଙ୍କର ନୀତିକୁ ସମାଲୋଚନା କରିଥିଲେ। ୨୦୦୮ରୁ ୨୦୧୪ ମଧ୍ୟରେ ବ୍ୟାଙ୍କ ଗୁଡ଼ିକ ମନଇଚ୍ଛା ଋଣ ଦେଉଥିବା ବେଳେ ରିଜର୍ଭ ବ୍ୟାଙ୍କ କରୁଥିଲା କ’ଣ ବୋଲି ପ୍ରଶ୍ନ କରିଥିଲେ। ଏପରିକି ସରକାରଙ୍କ ପକ୍ଷରୁ ରିଜର୍ଭ ବ୍ୟାଙ୍କ ଆଇନର ଧାରା ୭ ପ୍ରୟୋଗ କରି ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ଗୁଳାରେ ପକାଇବାର ପ୍ରଚେଷ୍ଟା କରୁଛନ୍ତି ବୋଲି କୁହାଯାଇଥିଲା। ଏହି ଆଲୋଚନା ବନ୍ଦ ହୋଇ ନଥିବା ବେଳେ ରିଜର୍ଭ ବ୍ୟାଙ୍କର ଅନ୍ୟ ଜଣେ ଡେପୁଟି ଗଭର୍ଣ୍ଣରଙ୍କ ବକ୍ତବ୍ୟ ଏହି ବିବାଦକୁ ଆହୁରି ରୋଚକ କରିଦେଇଛି। ଡେପୁଟି ଗଭର୍ଣ୍ଣର ଏନଏସ ବିଶ୍ବନାଥନ୍ କହିଛନ୍ତି, ଋଣ ନେଉଥିବା ବ୍ୟକ୍ତି ବା ସଂସ୍ଥା ଗୁଡ଼ିକ େଯତେବେଳେ ଅଡ଼ୁଆରେ ପଡ଼ୁଛନ୍ତି ସେମାନଙ୍କୁ ଉଦ୍ଧାର କରିବା ରିଜର୍ଭ ବ୍ୟାଙ୍କର କାର୍ଯ୍ୟନୁହେଁ। ବରଂ ବ୍ୟାଙ୍କ ଗୁଡ଼ିକର ମୂଳ ପ୍ରତିଶ୍ରୁତିବଦ୍ଧତା ଜମାକାରୀଙ୍କ ପ୍ରତି ରହିବା ଉଚିତ ବୋଲି ସେ ମତ ଦେଇଛନ୍ତି। ବ୍ୟାଙ୍କ ପାଖରେ ପାଣ୍ଠିର ଭଣ୍ଡାର ନାହିଁ। ତାଙ୍କ ପାଖରେ ଯାହା ଅଛି ସବୁ ଜମାକାରୀଙ୍କ ଟଙ୍କା ଯାହାକୁ ସେମାନେ ଋଣ ଦେବାରେ ବ୍ୟବହାର କରୁଛନ୍ତି। ଋଣ ପ୍ରଦାନ ନିୟମ କୋହଳ କରିବା ପାଇଁ ସରକାର ପକାଉଥିବା ଚାପକୁ ନଜରରେର ରଖି ବିଶ୍ବନାଥନ ଏହା କହିଚନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ ପ୍ରତିଷ୍ଠାନ (ଏନବିଏଫସି) ଗୁଡ଼ିକ ନଗଦ ଅର୍ଥ ସମସ୍ୟାର ସମ୍ମୁଖୀନ ଏବେ ହେଉଛନ୍ତି। ଏଗୁଡ଼ିକୁ ଋଣ ଦେବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାଙ୍କ ଗୁଡ଼ିକ ଉପରେ ଏକପ୍ରକାର ଚାପ ପଡ଼ୁଥିବା ବେଳେ ରିଜର୍ଭ ବ୍ୟାଙ୍କ ଏହାକୁ ବିରୋଧ କରିଆସୁଛି। ଏତଦ୍ୟବ୍ୟତୀତ ବ୍ୟାଙ୍କ ଗୁଡ଼ିକ ପାଇଁ ରିଜର୍ଭ ବ୍ୟାଙ୍କ ଋଣ ପୁନର୍ଗଠନ ନିୟମକୁ କଡ଼ାକଡ଼ି କରିବା ଲାଗି ଚଳିତବର୍ଷ ଫେବ୍ରୁଆରି ୧୨ ତାରିଖରେ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ସର୍କୁଲାରକୁ ମଧ୍ୟ ଶ୍ରୀ ବିଶ୍ବନାଥନ ସମର୍ଥନ କରିଛନ୍ତି। ବ୍ୟାଙ୍କ ଗୁଡ଼ିକ ଯେଉଁ ଋଣ ଆଦାୟ କରିବା ପାଇଁ ଯେଉଁ ପ୍ରଚେଷ୍ଟା କରୁଛନ୍ତି ତାହା ଜମାକାରୀଙ୍କ ଅର୍ଥ ବୋଲି ସମସ୍ତେ ଜାଣିବା ଉଚିତ। ଚାପଗ୍ରସ୍ତ ସମ୍ପତ୍ତି ପୁନର୍ଗଠନ ପାଇଁ ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ କରିଥିବା ନୂଆ ଢାଞ୍ଚାର ମୂଳ ଲକ୍ଷ୍ୟ ହେଲା ବ୍ୟାଙ୍କ ଗୁଡ଼ିକୁ ଅଧିକ କ୍ଷମତା ପ୍ରଦାନ କରିବା ବୋଲି ସେ କହିଛନ୍ତି।