ନୂଆଦିଲ୍ଲୀ: ଦେଶରେ ଚାଷୀମାନେ କେତେ ଦୁଃଖରେ ଅଛନ୍ତି ତାହା ଜାଣିବାକୁ କେନ୍ଦ୍ର ସରକାର ଚଳିତ ବର୍ଷ ଏକ ସର୍ଭେ କରିବେ। ଏହି ସର୍ଭେରେ ଚାଷୀଙ୍କ ଆୟ କେତେ ଓ ସେମାନଙ୍କ ଉପରେ କେତେ ପରିମାଣର ଋଣ ବୋଝ ରହିଛି ତାହା ଜାଣିବାକୁ ପ୍ରୟାସ କରାଯିବ।
ଆଜି ଲୋକସଭାରେ ଲିଖିତ ଉତ୍ତର ଦେଇ କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ କହିଛନ୍ତି ଯେ, ଚଳିତ କ୍ୟାଲେଣ୍ଡର୍ ବର୍ଷରେ ଜାତୀୟ ନୁମାନ ସର୍ବେକ୍ଷଣର ୭୭ତମ ପର୍ଯ୍ୟାୟରେ ‘ଚାଷୀ ପରିବାରର ସ୍ଥିତି ଅନୁଧ୍ୟାନ’ ସର୍ଭେ କରାଯିବ। ଏହି ସର୍ଭେରେ ଚାଷୀ ପରିବାରର ଆୟ, ବ୍ୟୟ ଓ ଋଣର ଚିତ୍ର ରହିବ। ଶେଷ ଥର ପାଇଁ ୨୦୧୨-୧୩କୁ ସନ୍ଦର୍ଭ ବର୍ଷ ଭାବେ ଗ୍ରହଣ କରି ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନ୍ଏସ୍ଏସ୍ଓ) ତରଫରୁ ଏକ ସର୍ଭେ କରାଯାଇଥିଲା। ଏହା ପରେ ଆଉ ସେଭଳି ସର୍ଭେ କରାଯାଇନାହିଁ। ତେଣୁ ୨୦୧୪ରିୁ ୨୦୧୮ ଭିତରେ ଚାଷୀମାନଙ୍କ ଆୟ କେତେ ବଢ଼ିଛି ତାହାର କୌଣସି ସରକାରୀ ହିସାବ ମିଳୁନାହିଁ। ଶ୍ରୀ ଶେଖାୱତ୍ କହିଛନ୍ତି ଯେ, ମନ୍ତ୍ରଣାଳୟର ଆବଶ୍ୟକତା, ତଥ୍ୟ ଓ ସମ୍ବଳର ଉପଲବ୍ଧତା ଓ ସରକାରଙ୍କ ବିକାଶ ପ୍ରାଥମିକତା ଆଧାରରେ କୃଷି ପରିବାର ସର୍ଭେର ଭାଗ୍ୟ ନିର୍ଭର କରିଥାଏ। ଭାରତ ଏକ ବହୁତ ବଡ଼ ଦେଶ ହୋଇଥିବାରୁ ଏବଂ ସର୍ଭେ ପାଇଁ ବିପୁଳ ସମ୍ବଳର ଆବଶ୍ୟକତା ହେଉଥିବା ବିଷୟକୁ ଦୃଷ୍ଟିରେ ରଖି ଏନ୍ଏସ୍ଏସ୍ଓ ପକ୍ଷରୁ ସାଧାରଣ ପରିବାରର ଖର୍ଚ ଓ ନିଯୁକ୍ତ ସଂପର୍କିତ ସର୍ଭେ ପ୍ରତି ପାଞ୍ଚ ବର୍ଷ ବ୍ୟବଧାନରେ କରାଯାଉଛି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର