ବନ୍ଦ ହେବ ମାସିକ ଏଲପିଜି ଦରବୃଦ୍ଧି !

ନୂଆଦିଲ୍ଲୀ: ରାଷ୍ଟ୍ରାୟତ ତୈଳ କମ୍ପାନିମାନେ ମାସିକ ଏଲପିଜି ଗ୍ୟାସ ମୂଲ୍ୟ ବଢାଇବା ପ୍ରକ୍ରିୟାକୁ ବନ୍ଦ କରିପାରନ୍ତି । ଏ ସଂପର୍କରେ ଏକ ରାଷ୍ଟ୍ରୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ରାଷ୍ଟ୍ରାୟତ ତୈଳ କମ୍ପାନି ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ଗତ ୧୭ ମାସ ମଧ୍ୟରେ ୧୯ ଥର ରନ୍ଧନ ଗ୍ୟାସ ବା ଏଲପିଜି ଦର ବଢାଇଛନ୍ତି । ଏହି ୧୯ ଥରରେ ଏଲପିଜି ଦର ପ୍ରାୟ ୭୬ ଟଙ୍କା ୫୦ ପଇସା ବଢିଛି । ତେବେ ଚଳିତ ମାସରେ ପ୍ରଥମ ଥର ପାଇଁ ଗୁଜୁରାଟ ନିର୍ବାଚନ ପୂର୍ବରୁ ଏହି ମାସିକ ଦର ବୃଦ୍ଧି ପ୍ରକ୍ରିୟାକୁ ବନ୍ଦ କରିଦିଆଯାଇଥିଲା । ଶେଷଥର ପାଇଁ ଗତ ନଭେମ୍ବର ୧ରେ ଏଲପିଜି ଦରବୃଦ୍ଧି ହୋଇଥିଲା । ସେଥର ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ପିଛା ଟ. ୪.୫୦ ବଢି ୪୯୫.୬୯ ଟଙ୍କା ହୋଇଥିଲା ।

ଅନ୍ତର୍ଜାତୀୟ ବଜାରରେ ଗ୍ୟାସ ଦର ବଢିଥିବାରୁ ସରକାରଙ୍କ ସବସିଡି ବିଲ୍‌ ବଢିଚାଲିଥିଲା । ଏହାକୁ ହ୍ରାସ କରିବା ଲାଗି ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ନିୟମିତ ଦରବୃଦ୍ଧି କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ଗତ ବର୍ଷ ଜୁନରେ ଗୋଟିଏ ଏଲପିଜି ସିଲିଣ୍ଡରର ମୂଲ୍ୟ ୪୧୯ ଟଙ୍କା ଥିଲା । ପୂର୍ବରୁ ମାସକୁ ସିଲିଣ୍ଡର ପିଛା ୨ ଟଙ୍କା ବଢାଯାଉଥିବାବେଳେ ଗତ ମଇ ମାସରୁ ମାସକୁ ୩ ଟଙ୍କା ଲେଖାଏଁ ବୃଦ୍ଧି କରାଯାଉଥିଲା ।

ସମ୍ବନ୍ଧିତ ଖବର