ସରକାର-ରିଜର୍ଭ ବ୍ୟାଙ୍କ ବିବାଦ, ସରକାରଙ୍କ ବ୍ରହ୍ମାସ୍ତ୍ର ‘‌ଧାରା ୭’

୨୩ ପାହାଚ ଉପରକୁ ଉଠିଲା

0 245

ନୂଆଦିଲ୍ଲୀ: ରିଜର୍ଭ ବ୍ୟା‌ଙ୍କ ଉପରେ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କ ନିୟମ, ୧୯୩୪ର ଧାରା ୭ ଲାଗୁ କରିଥିବା ନେଇ ଚର୍ଚ୍ଚା ହେଉଛି। ଏହା ପୂର୍ବରୁ କୌଣସି ସରକାର ରିଜର୍ଭ ବ୍ୟାଙ୍କ ଉପରେ ଏହି ନିୟମ ଲାଗୁ କରିନାହାନ୍ତି। ମୋଦୀ ସରକାର ପ୍ରଥମେ ଏହାକୁ ଲାଗୁ କରିଥିବା କୁହାଯାଉଛି। ଏପର୍ଯ୍ୟନ୍ତ ଏବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। ସାଧାରଣତଃ ‌ରିଜର୍ଭ ବ୍ୟାଙ୍କକୁ କେନ୍ଦ୍ର ସରକାର ବିଭିନ୍ନ ବିଷୟରେ କେବଳ ପରାମର୍ଶ ଦେଇଥାନ୍ତି। କିନ୍ତୁ, ଧାରା ୭ ସରକାରଙ୍କୁ ନିର୍ଦେଶ ଦେବାର କ୍ଷମତା ଦେଇଛି। ଏଭଳି ଏକ ନିୟମ ରହିଛି ବୋଲି ରିଜର୍ଭ ବ୍ୟାଙ୍କକୁ ସରକାର ମନେ ପକାଇଦେଇଛନ୍ତି। ରିଜର୍ଭ ବ୍ୟାଙ୍କ ହେଉଛି ଏକ ସ୍ବାଧୀନ ସଂସ୍ଥା। ଏହା ନିଜର ନିଷ୍ପତ୍ତି ନିଜେ ଗ୍ରହଣ କରିଥାଏ। ମାତ୍ର କେତେକ ବିଶେଷ ପରିସ୍ଥିତିରେ ଏହାକୁ କେନ୍ଦ୍ର ସରକାରଙ୍କ କଥା ଶୁଣିବାକୁ ପଡ଼ିଥାଏ। ରିଜର୍ଭ ବ୍ୟାଙ୍କ ନିୟମର ଧାରା ୭ରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଜନହିତରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ରିଜର୍ଭ ବ୍ୟାଙ୍କକୁ ନିର୍ଦେଶ ଦେବାର କ୍ଷମତା ଏହି ଧାରା ସରକାରଙ୍କୁ ପ୍ରଦାନ କରିଛି। ଏହି କ୍ଷମତାକୁ ସରକାର ପ୍ରଥମ ଥର ପାଇଁ ଲାଗୁ କରିଛନ୍ତି ବୋଲି କୁହାଯାଉଛି। ଧାରା ୭ କହୁଛି ଯେ, ବିଭିନ୍ନ ସମୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣଙ୍କ ସହ ବିଚାରବିମର୍ଶ କରିବା ପରେ ଜନହିତ ପାଇଁ କେତେକ ପଦକ୍ଷେପ ନେବାକୁ ରିଜର୍ଭ ବ୍ୟାଙ୍କକୁ ସରକାର ନିର୍ଦେଶ ଦେଇପାରିବେ। ଏହି ଧାରା ଲାଗୁ ହେଲେ ରିଜର୍ଭ ବ୍ୟାଙ୍କର ସବୁ କାମ ସେଣ୍ଟ୍ରାଲ୍ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ପାଖକୁ ଚାଲିଯିବ। ଏହା ନିଜର ସବୁ ଶକ୍ତିକୁ ବ୍ୟବହାର କରି ନିଷ୍ପତ୍ତି ନେଇପାରିବ। କୌଣସି ପ୍ରକାର ମତଭେଦରୁ ଦୂରରେ ରହିବା ପାଇଁ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଅନୁପସ୍ଥିତିରେ ଡେପୁଟି ଗଭର୍ଣ୍ଣରମାନଙ୍କୁ ନେଇ ବିଭିନ୍ନ କାମ କରିପାରିବ।

ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ମତଭେଦ ରହିଛି। ସରକାରୀ ବ୍ୟାଙ୍କ ଉପରେ ଋଣ ପ୍ରଦାନ ପାଇଁ ଲଗାଯାଇଥିବା ଅଙ୍କୁଶ ହଟାଇବା, ଏନ୍‌ପିଏ ସମସ୍ୟା ଓ ନଗଦ ସମସ୍ୟା ଦୂର କରିବା ପାଇଁ ସରକାର ଦେଇଥିବା ପରାମର୍ଶକୁ ରିଜର୍ଭ ବ୍ୟାଙ୍କ ଶୁଣୁନାହିଁ। ରିଜର୍ଭ ବ୍ୟାଙ୍କକୁ ବାଟକୁ ଆଣିବା ପାଇଁ ଧାରା ୭ର ବ୍ୟବହାର କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା କୁହାଯାଉଛି। ୧୯୯୧ ମସିହାର ଆର୍ଥିକ ସଙ୍କଟ ହେଉ କିମ୍ବା ୨୦୦୮ର ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ଭଳି ସ୍ଥିତିରେ ମଧ୍ୟ ସରକାର ଧାରା ୭ ବ୍ୟବହାର କରିନଥିଲେ। ସେଥିପାଇଁ ଏହି ଧାରାକୁ ଅତ୍ୟନ୍ତ କଠୋର ବୋଲି ବିଚାର କରାଯାଏ।

କିଏ କ’ଣ କହିଲେ
ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ଯାହା କିଛି ଆଲୋଚନା ହୁଏ ତାହା କେବେବି ସାର୍ବଜନୀନ କରାଯାଇନାହିଁ। ଅର୍ଥ ମନ୍ତ୍ରଣାଳୟ ଆଜି ଜାରି କରିଥିବା ପ୍ରେସ୍‌ ନୋଟ୍‌ ବାଦ ମୁଁ ଅଧିକ କିଛି କହିପାରିବି ନାହିଁ।
ଅରୁଣ ଜେଟ୍‌ଲି, ଅର୍ଥମନ୍ତ୍ରୀ
ବିଡ଼ମ୍ବନା ଏହା ଯେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିକୁ ଉଦ୍‌ଘାଟନ କରାଯାଉଛି, କିନ୍ତୁ ସେ ଗଠନ କରିଥିବା ପ୍ରତିଟି ଅନୁଷ୍ଠାନକୁ ନଷ୍ଟ କରାଯାଉଛି।
ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ
ରିଜର୍ଭ ବ୍ୟାଙ୍କ ଅଟଳ ରହିଛି। ବାସ୍ତବ ସ୍ଥିତି ବୁଝିବାକୁ ଚାହୁଁନାହିଁ। ରିଜର୍ଭ ବ୍ୟାଙ୍କ ଯୋଗୁ ହିଁ ଟଙ୍କା ମୂଲ୍ୟରେ ଐତିହାସିକ ହ୍ରାସ ହୋଇଛି।
ସ୍ବଦେଶୀ ଜାଗରଣ ମଞ୍ଚ
ଧାରା ୭ ଲାଗୁ କରାଯାଇଥିବା ନେଇ ଖବର ଆସୁଛି। ଯଦି ଏହା ସତ ହୋଇଥିବ ତେବେ ଆଗାମୀ ଦିନରେ ଆହୁରି ଖରାପ ଖବର ମିଳିବ।
ପି ଚିଦମ୍ବରମ୍,
ପୂର୍ବତନ ଅର୍ଥମନ୍ତ୍ରୀ ଓ କଂଗ୍ରେସ ନେତା

ବିବାଦୀୟ ଗଭର୍ଣ୍ଣର

କ୍ରିଷ୍ଣାମାଚାରି ବନାମ ରାମ ବାବୁ
୧୯୪୯-୫୭ ପର୍ଯ୍ୟନ୍ତ ରିଜର୍ଭ ବ୍ୟା‌ଙ୍କ ଗଭର୍ଣ୍ଣର ଭାବେ କାମ କରିଥିବା ବେନେଗଲ ରାମ ବାବୁ ଓ ତତ୍କାଳୀନ ଅର୍ଥମନ୍ତ୍ରୀ ଟିଟି କ୍ରିଷ୍ଣାମାଚାରିଙ୍କ ମଧ୍ୟରେ ବିଲ୍‌ ଉପରେ ଷ୍ଟାମ୍ପ୍ ଡ୍ୟୁଟି ଲାଗୁ କରିବା ନେଇ ବିବାଦ ଦେଖାଦେଇଥିଲା। ରାମ ବାବୁ ନିଜ ପଦରୁ ଇସ୍ତଫା ଦେଇଥିଲେ।

ମନମୋହନ ବନାମ ପ୍ରଣବ
୧୯୮୨-୮୫ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ କାମ କରିଥିବା ମନମୋହନ ସିଂହ ଓ ସେହି ସମୟର ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ମନମୋହନ ନିଜ ପଦରୁ ଇସ୍ତଫା ଦେବାକୁ ବାହାରିଥିଲେ। ମୁମ୍ବାଇରେ ଏକ ବ୍ୟାଙ୍କର ଶାଖା ଖୋଲିବା ପାଇଁ ଅନୁମତି ଦେବାକୁ ପ୍ରଣବ ଚାପ ପକାଇବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହୋଇଥିଲେ ଓ ପ୍ରଣବ ତାଙ୍କ ଅର୍ଥମନ୍ତ୍ରୀ ଥିଲେ।

ରେଡ୍ଡି ବନାମ ଚିଦମ୍ବରମ୍
୨୦୦୩-୦୫ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ କାମ କରିଥିବା ୱାଇ ଭି ରେଡ୍ଡି ଓ ସେହି ସମୟର ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ମଧ୍ୟରେ ମୁଦ୍ରାନୀତିକୁ ନେଇ ମତଭେଦ ଦେଖାଦେଇଥିଲା।

ସୁବ୍ବାରାଓ ବନାମ ଚିଦମ୍ବରମ
୨୦୦୮-୧୩ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ କାମ କରିଥିବା ଡି ସୁବ୍ବାରାଓ ଓ ସେହି ସମୟର ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ମଧ୍ୟରେ ସମ୍ପର୍କ ମଝିରେ ଖରାପ ହୋଇଥିଲା। ନିଜ ପୁସ୍ତକରେ ସେ ଏକଥା ଉଲ୍ଲେଖ କରିଛନ୍ତି।

ରାଜନ ବନାମ ଜେଟ୍‌ଲି
୨୦୧୩-୧୬ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ଭାବେ କାମ କରିଥିବା ରଘୁରାମ ରାଜନ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ମଧ୍ୟରେ ସୁଧ ହାର କମ୍ କରିବାକୁ ନେଇ ସମ୍ପର୍କ ଖରାପ ହୋଇଥିଲା। ସରକାରଙ୍କ ନୀତିକୁ ରାଜନ ସମାଲୋଚନା କରୁଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.