ସରକାର-ରିଜର୍ଭ ବ୍ୟାଙ୍କ ବିବାଦ:ମୁହଁ ଖୋଲିଲେ ଜେଟ୍‌ଲି

୨୦୦୮ ରୁ ୨୦୧୪ ଭିତରେ ବ୍ୟାଙ୍କ ଆଖିବୁଜା ଋଣ ଦେଉଥିବା ବେଳେ ରିଜର୍ଭ ବ୍ୟାଙ୍କ କ’ଣ କରୁଥିଲା

ନୂଆଦିଲ୍ଲୀ: ସିବିଆଇ ସଙ୍କଟକୁ ନେଇ କେନ୍ଦ୍ର ସରକାର ଅଡ଼ୁଆରେ ପଡ଼ିଥିବା ବେଳେ ରିଜର୍ଭ ବ୍ୟାଙ୍କ ବିବାଦ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି। ରିଜର୍ଭ ବ୍ୟାଙ୍କ‌ କାମରେ କେନ୍ଦ୍ର ସରକାର ହସ୍ତକ୍ଷେପ କରୁଥିବା ନେଇ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ଅଭିଯୋଗ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅର୍ଥ ମନ୍ତ୍ରୀ ଜେଟଲିଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ସହଜରେ ହଜମ କରି ପାରି ନାହାନ୍ତି ଜେଟଲି। ଆଜି ଏକ କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି ଯେ ୨୦୦୮ରୁ ୨୦୧୪ (ୟୁପିଏ ସରକାର ଅମଳରେ) ଭିତରେ ବ୍ୟାଙ୍କଗୁଡ଼ିକୁ ଆଖିବୁଜା‌ ଋଣ ଆବଣ୍ଟନ କରିଥିବାରୁ ଦେଶର ଏନ୍‌ପିଏ ସମସ୍ୟା ସୃଷ୍ଟି ହୋଇଛି। ସେହି ସମୟରେ ରିଜର୍ଭ ବ୍ୟାଙ୍କ ନିଜ କାମ ଠିକ୍ ଭାବେ କରିନଥିଲା। ରିଜର୍ଭ ବ୍ୟାଙ୍କ ନିଜ ଦାୟିତ୍ବ ଠିକ୍ ଭାବେ ନିର୍ବାହ କରିଥିଲେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ସେ କହିଛନ୍ତି। ୨୦୦୮ର ଆର୍ଥିକ ମାନ୍ଦାବସ୍ଥା ପରେ ବ୍ୟାଙ୍କଗୁଡ଼ିକ ଆଖିବୁଜା ଋଣ ଆବଣ୍ଟନ କରାଯାଇଥିଲା। ତେବେ ଏହାପରେ ବ୍ୟାଙ୍କଗୁଡ଼ିକ ଉପରେ ଅଙ୍କୁଶ ଲଗାଇବାରେ ରିଜର୍ଭ ବ୍ୟାଙ୍କ ବିଫଳ ହୋଇଥିଲା ବୋଲି ଜେଟ୍‌ଲି କହିଛନ୍ତି। ୨୦୦୮ର ମାନ୍ଦାବସ୍ଥା ପରେ ଅର୍ଥନୀତି ଆଗକୁ ବଢ଼ୁଛି ବୋଲି ଦର୍ଶାଇବା ପାଇଁ ଆଖିବୁଜା ଋଣ ଦେବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲା। ସେହି ସମୟରେ ରିଜର୍ଭ ବ୍ୟାଙ୍କର ଧ୍ୟାନ ଅନ୍ୟ ଆଡ଼େ ଥିଲା। ଋଣ ଦେବା ପାଇଁ ଉତ୍କାଳୀନ ଉପା ସରକାର ବ୍ୟାଙ୍କଗୁଡ଼ିକ ଉପରେ ପ୍ରବଳ ଚାପ ପକାଇଥିଲେ।
ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ କହିଥିଲେ ଯେ, କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କ କାମରେ ହସ୍ତକ୍ଷେପ କରୁଛନ୍ତିି। ଏହା ଦେଶ ପାଇଁ ଭଲ ନୁହେଁ। ଏଥି ସହିତ ପ୍ରଥମ ଥର ପାଇଁ ସରକାର ଓ ରିଜର୍ଭ ବ୍ୟାଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧ ସାର୍ବଜନୀନ ହୋଇଥିଲା। ଏ ସଂକ୍ରାନ୍ତରେ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ କେହି ମନ୍ତ୍ରୀ ମୁହଁ ‌ଖୋଲିନଥିଲେ। ‌େ‌ତବେ ଆଜି ଜେଟଲିଙ୍କ ମନ୍ତବ୍ୟ ସୂଚାଇ ଦେଉଛି ଯେ ରିଜର୍ଭ ବ୍ୟାଙ୍କ ସହିତ କେନ୍ଦ୍ରର ସଂପର୍କ ତିକ୍ତ ହେବାରେ ଲାଗିଛି। ସୂଚନାଯୋଗ୍ୟ ଯେ ଆଗକୁ କେତେକ ରାଜ୍ୟରେ ବିଧାନସଭା ଏବଂ ପରେ ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ବ୍ୟାଙ୍କଗୁଡ଼ିକୁ ଅଧିକ ଋଣ ସୁବିଧା ଯୋଗାଇ ଦେବାଲାଗି ରିଜର୍ଭ ବ୍ୟାଙ୍କ ଉପରେ କେନ୍ଦ୍ର ସରକାର ଚାପ ପକାଉଛନ୍ତି। ସୁଧହାର କମାଇବା ସହିତ ଋଣ କଟକଣା ହଟାଇବାକୁ ମଧ୍ୟ କହୁଛନ୍ତି। କିନ୍ତୁ ରିଜର୍ଭ ବ୍ୟାଙ୍କ ଏଥିରେ ସହମତ ହେଉନାହିଁ। ରିଜର୍ଭ ବ୍ୟାଙ୍କର ଯୁକ୍ତି ହେଉଛି ଯେ ଏବେ ବ୍ୟାଙ୍କଗୁଡ଼ିକରେ ନଗଦ ରାଶିର ଅଭାବ ନାହିଁ। ତେଣୁ ସେମାନଙ୍କୁ ଅଧିକ ନଗଦ ରାଶି ଦେବାର ଆବଶ୍ୟକତା ନାହିଁ। ସେହିଭଳି ଅନାଦେୟ ଋଣ ସଙ୍କଟ ଏବେ ବି ଜାରି ଥିବାରୁ ଋଣ କଟକଣା ହଟାଯାଇ ପାରିବ ନାହିଁ। ଏହିସବୁ ପ୍ରସଙ୍ଗ ଉପରେ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଶୀତଳଯୁଦ୍ଧ ଚାଲିଥିବା ବେଳେ ଡେପୁଟି ଗଭର୍ଣ୍ଣର ଆଚାର୍ଯ୍ୟ ଏହାକୁ ସାଧାରଣରେ ପ୍ରକାଶ କରିଦେବାରୁ ଅର୍ଥ ମନ୍ତ୍ରୀ ‌ଜେଟଲି କ୍ଷୁବ୍ଧ ହୋଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ମନମୋହନ ସରକାର ବେଳେ ରିଜର୍ଭ ବ୍ୟାଙ୍କ ଆଖିବୁଜା ଋଣ ଦେଇଥିବା ବେଳେ ଏବେ କାହିଁକୁ ବିାରାଧ କରୁଛି। ରିଜର୍ଭ ବ୍ୟାଙ୍କ ପାଖରେ ସାଢ଼େ ତିନି ଲକ୍ଷ କୋଟି ଟଙ୍କା ରହିଛି। ଏହାର କିଛି ଅଂଶ ଏହା ବ୍ୟାଙ୍କଗୁଡ଼ିକୁ ଦେଉ। ଗଭର୍ଣ୍ଣର ଉର୍ଜିତ ପଟେଲ କିନ୍ତୁ ଏସବୁ କିଛି ଶୁଣୁ ନାହାନ୍ତି। ସେ ନିଜେ ନ କହି ଡେପୁଟି ଗଭର୍ଣ୍ଣରଙ୍କ ଜରିଆରେ କୁହାଉଛନ୍ତି। ରାଜନୈତିକ ଚା‌ପରେ ସେ କୌଣସି ନିଷ୍ପତ୍ତି ନେବା ମୁଡରେ ନାହାନ୍ତି।

ଉର୍ଜିତଙ୍କ ଉପରେ ବ୍ୟାଙ୍କ ଅଧିକାରୀ ଅସନ୍ତୁଷ୍ଟ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଉପରେ କେବଳ ସରକାର ଅସନ୍ତୁଷ୍ଟ ନାହାନ୍ତି। ବିଭିନ୍ନ ବ୍ୟାଙ୍କର ବରି‌ଷ୍ଠ ଅଧିକାରୀମାନେ ମଧ୍ୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ଙ୍କ କାମ କରିବା ଶୈଳୀକୁ ପସନ୍ଦ କରୁନାହାନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, ଉର୍ଜିତ ଆମକୁ କ୍ବଚିତ ଭେଟନ୍ତି। ଆମଠାରୁ ମତାମତ ମଧ୍ୟ ନିଅନ୍ତି ନାହିଁ। ବ୍ୟାଙ୍କ ଅଧିକାରୀ ଓ ରିଜର୍ଭ ବ୍ୟାଙ୍କ ମୁଖ୍ୟଙ୍କ ମଧ୍ୟରେ ଯୋଗାଯୋଗ ହେଉନାହିଁ କହିଲେ ଭୁଲ ହେବ ନାହିଁ ବୋଲି ସେ କହିଛନ୍ତି। ଉର୍ଜିତଙ୍କ ପୂର୍ବରୁ ଗଭର୍ଣ୍ଣର ଥିବା ରଘୁରାମ ରାଜନ ଅନେକ ସମୟରେ ବ୍ୟାଙ୍କ ମୁଖ୍ୟମାନଙ୍କ ସହିତ ଦେଶର ଅଥନୈତିକ ସ୍ଥିତି ବିଷୟରେ ଆ‌େଲାଚନା କରୁଥିଲେ। କିନ୍ତୁ, ଉର୍ଜିତ ବ୍ୟାଙ୍କ ମୁଖ୍ୟମାନଙ୍କୁ ଆଦୌ ଭେଟୁନାହାନ୍ତି ବୋଲି ବ୍ୟାଙ୍କ ଅଧିକାରୀମ‌ାନେ କହିଛନ୍ତି।

ଉର୍ଜିତ-ଜେଟ୍‌ଲି ସାକ୍ଷାତ
ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ବିବାଦ ଜାରି ରହିଥିବା ବେଳେ ଆଜି ଏକ ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ ଅଂଶଗ୍ରହଣ କରି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି। ବିବାଦ ସହିତ ଏହି ବୈଠକର କୌଣସି ସମ୍ପର୍କ ନାହିଁ। ଆର୍ଥିକ ସ୍ଥିରତା ଓ ବିକାଶ ପରିଷଦର ଏହି ବୈଠକରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣରମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ବୈଠକ ଶେଷ ହେବା ପରେ ଉର୍ଜିତ ଗଣମାଧ୍ୟମକୁ ନଭେଟି ଚାଲିଯାଇଥିଲେ।

ଜେଟ୍‌ଲିଙ୍କୁ ଘେରିଲା କଂଗ୍ରେସ
ରିଜର୍ଭ ବ୍ୟାଙ୍କୁ ସମାଲୋଚନା କରିଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ଉପରେ ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ବର୍ଷିଛନ୍ତି। ଦେଶର ଅନୁଷ୍ଠାନକୁ ସରକାର ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ରିଜର୍ଭ ବ୍ୟାଙ୍କକୁ ଜେଟ୍‌ଲି ଶୀଘ୍ର କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ ସରକାର ରିଜର୍ଭ ବ୍ୟାଙ୍କ କାମରେ ହସ୍ତକ୍ଷେପ କରୁଛନ୍ତି ଓ ଏହା ଠାରୁ ମୁଦ୍ରାନୀତିର କ୍ଷମତା ହରଣ କରିବାକୁ ଉଦ୍ୟମ କରୁଛନ୍ତି। ଜେଟ୍‌ଲିଙ୍କ ଆଜିର ମନ୍ତବ୍ୟ ପରେ କଂଗ୍ରେସ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି।

 

ସମ୍ବନ୍ଧିତ ଖବର