ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ପିଏସ୍‌ୟୁ ବ୍ୟାଙ୍କ ସ୍ତରର ପେନ୍‌ସନ୍‌

ଭୁବନେଶ୍ୱର: ଦେଶରେ ଥିବା ୫୬ଟି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆର୍‌ଆର୍‌ବି)ରେ କାମ କରୁଥିବା ୮୫,୦୦୦ କର୍ମଚାରୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସ୍ତରର ପେନ୍‌ସନ୍‌ ପାଇବେ। ପୂର୍ବରୁ ପେନ୍‌ସନ୍‌ କ୍ଷେତ୍ରରେ ଅସଙ୍ଗତି ଥିଲା। ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀମାନେ ଯେଉଁଭଳି ପେନ୍‌ସନ୍‌ ପାଉଛନ୍ତି ସେଭଳି ସ୍ତରର ପେନ୍‌ସନ୍‌ ଦେବାକୁ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀମାନେ ଦାବି କରୁଥିଲେ। ସୁପ୍ରିମକୋର୍ଟ ସେମାନଙ୍କ ଦାବିକୁ ଗ୍ରହଣ କରିଛନ୍ତି। ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ସମାନ ପେନ୍‌ସନ୍‌ ଦେବାକୁ କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତିି ଯେ ତିନି ମାସ ଭିତରେ ଏହି ନିର୍ଦେଶକୁ କାର୍ଯ୍ୟକାରୀ କରାଯାଉ। ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀମାନଙ୍କୁ ପିଛିଲା ଭାବେ ସେମାନଙ୍କ ପେନ୍‌ସନ୍‌ ଦେବାକୁ କୋର୍ଟ ସରକାରଙ୍କୁ କହିଛନ୍ତି। ଏହି ନିର୍ଦେଶ କାର୍ଯ୍ୟକାରୀ ହେଲେ ସମଗ୍ର ଦେଶରେ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକରେ କାମ କରୁଥିବା ୮୦ ହଜାର କର୍ମଚାରୀଙ୍କ ସମେତ ୨୦ ହଜାର ଅବସରପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଉପକୃତ ହେବେ । କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି। ଓଡ଼ିଶାରେ ଦୁଇଟି ଗ୍ରାମ୍ୟ ବ୍ୟାଙ୍କ ରହିଛି।

ସମ୍ବନ୍ଧିତ ଖବର