ଘୋର ସଙ୍କଟରେ ଜେଟ୍‌ : ମାତ୍ର ୪୧ଟି ବିମାନ ଉଡ଼ୁଛି, ଏପ୍ରିଲ ୧ରୁ ବିମାନ ଉଡ଼ାଇବେନି ପାଇଲଟ୍‌

ନୂଆଦିଲ୍ଲୀ: ଋଣ ବୋଝରେ ବୁଡ଼ି ରହିଥିବା ଜେଟ୍‌ ଏୟାରୱେଜକୁ ନିର୍ବାଚନ ସମୟରେ ସଙ୍କଟରୁ ଉଦ୍ଧାର କରିବା ଲାଗି କେନ୍ଦ୍ର ସରକାର ବ୍ୟାଙ୍କ ଗୁଡ଼ିକ ଉପରେ ଚାପ ପକାଉଛନ୍ତି। ଏପରିକି ଅଟକି ରହିଥିବା ନୂଆ ଭିତ୍ତିଭୂମି ପ୍ରକଳ୍ପରେ ନିବେଶ କରିବା ଲାଗି ପ୍ରତିଷ୍ଠା କରାଯାଇଥିବା ସଂସ୍ଥା ଏନଆଇଆଇଏଫ (ଜାତୀୟ ନିବେଶ ଓ ଭିତ୍ତିଭୂମି ପାଣ୍ଠି)କୁ ମଧ୍ୟ ଜେଟ୍‌କୁ ଉଦ୍ଧାର କରିବା ଲାଗି କୁହାଯାଇଛି। ଜେଟ୍‌ ଏୟାରୱେଜ୍ ବନ୍ଦ ହୋଇଗଲେ ନିର୍ବାଚନ ପୂର୍ବରୁ ହଜାର ହଜାର କର୍ମଚାରୀ ଚାକିରି ହରାଇବେ। ସାଧାରଣ ନିର୍ବାଚନରେ ଏହା ସରକାରଙ୍କ ବିରୋଧରେ ଖରାପ ବାର୍ତା ଦେ‌ବ। ତେଣୁ ଜେଟ୍‌କୁ ଦେବାଳିଆ ହେବା ପାଇଁ ନଦେବାକୁ କୁହାଯାଇଛି।

ଗତବର୍ଷ ଅର୍ଥ ମନ୍ତ୍ରାଳୟ ବ୍ୟାଙ୍କ ଗୁଡ଼ିକଠାରୁ ଜେଟ୍‌ ଏୟାରୱେଜ୍‌ର ଆର୍ଥିକ ସ୍ଥିତି ସମ୍ପର୍କରେ ନିୟମିତ ତଥ୍ୟ ଅନୁସନ୍ଧାନ କରିଥିଲେ। ସମ୍ପ୍ରତି ବ୍ୟାଙ୍କ ଗୁଡ଼ିକ ଜେଟ୍‌ ଏୟାରୱେଜର ପୁନଃରୁଦ୍ଧାର ଯୋଜନା ସମ୍ପର୍କରେ ପ୍ରତି ସପ୍ତାହରେ ରିପୋର୍ଟ ଦେବା ସହିତ ସରକାରଙ୍କ ପରାମର୍ଶ ମଧ୍ୟ ଲୋଡ଼ୁଛନ୍ତି ବୋଲି ଜଣାଯାଇଛି। ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଏହି ତଥ୍ୟ ଲୋଡ଼ୁଛନ୍ତି ବୋଲି ଏକ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତରେ କହିଛନ୍ତି। ଆବଶ୍ୟକ ପଡ଼ିଲେ ବ୍ୟାଙ୍କ ଗୁଡ଼ିକ ଜେଟ ଏୟାରୱେଜ୍‌ର ଋଣକୁ ଇକ୍ବିଟିରେ ପରିଣତ କରି ଅଂଶଧନ କିଣିବା ଲାଗି ମଧ୍ୟ ସରକାର ମତ ଦେଇଛନ୍ତି। ତେବେ ଏହାକୁ ଏକ ଅସ୍ଥାୟୀ ଯୋଜନା ଭାବେ ବ୍ୟାଙ୍କ ଗୁଡ଼ିକ କାର୍ଯ୍ୟକାରୀ କରିବେ। ଜେଟ୍ ଏୟାରୱେଜର ସ୍ଥିତି ସୁଧୁରିଲେ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ଅଂଶଧନକୁ ଅନ୍ୟକୁ ବିକ୍ରି କରିଦେଇ ପାରିବେ ବୋଲି କୁହାଯାଇଛି। ଜେଟ ଏୟାରୱେଜ ଉପରେ ଏବେ ୧ ବିଲିଅନ ଡଲାରରୁ ଅଧିକ ଋଣ ବୋଝ ରହିଛି। କମ୍ପାନି ବ୍ୟାଙ୍କ, ଯୋଗାଣକାରୀ, କର୍ମଚାରୀ ଏବଂ ବିମାନ ଭଡ଼ାରେ ଦେଇଥିବା କମ୍ପାନିଗୁଡ଼ିକୁ ସେମାନଙ୍କ ଅର୍ଥ ପ୍ରଦାନ କରିପାରୁନାହିଁ। ସରକାର ଚଳାଇଥିବା ଯୋଜନା ଯଦି ସଫଳ ହୁଏ ତାହେଲେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ଏନଆଇଆଇଏଫ ନିକଟକୁ ଜେଟ୍‌ ଏୟାରୱେଜ୍‌ର ଅତିକମ୍‌ରେ ଏକ ତୃତୀୟାଂଶ ଅଂଶଧନ ଯିବ।

ଏପ୍ରିଲ ୧ରୁ ବିମାନ ଉଡ଼ାଇବେନି ପାଇଲଟ୍‌

ମୁମ୍ବାଇ,: ଜେଟ୍‌ ଏୟାରୱେଜ୍‌ର ପାଇଲଟମାନେ ଆସନ୍ତା ଏପ୍ରିଲ ପହିଲାରୁ ବିମାନ ଉଡ଼ାଇବେ ନାହିଁ ବୋଲି ଧମକ ଦେଇଛନ୍ତି। କମ୍ପାନିକୁ ଉଦ୍ଧାର କରିବା ଯୋଜନା ଯଦି ବିଳମ୍ବିତ ହୁଏ ଚଳିତମାସ ଶେଷ ସୁଦ୍ଧା ସେମାନଙ୍କୁ ବେତନ ପ୍ରଦାନ କରା ନଗଲେ ‌ସେମାନେ ଧର୍ମଘଟ କରିବେ ବୋଲି କହିଛନ୍ତି। ଜେଟ ଏୟାରୱେଜ୍‌ର ଡୋମେଷ୍ଟିକ ପାଇଲଟ ସଂଘ ନ୍ୟାସନାଲ ଏଭିଏଟର୍ସ ଗିଲ୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟ ପକ୍ଷରେ ଜେଟ୍‌ ଏୟାରୱେଜ୍‌ର ଅନେକ ବିମାନ ଠିଆ ହୋଇରହିଛି। ଏବେମାତ୍ର ୪୧ଟି ବିମାନ ଉଡ଼ୁଛି। ଜେଟ୍‌ ଏୟାରୱେଜ୍ ନିକଟରେ ଥିବା ୧୧୯ଟି ବିମାନ ମଧ୍ୟରୁ ଏକ ତୃତୀୟାଂଶ ଏବେ ଉଡ଼ୁଥିବାବେଳେ ଦୁଇ ତୃତୀୟାଂଶ ବିମାନ ଉଡ଼ୁନାହିଁ। ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି କୌଣସି ଅଗ୍ରଗତି ହେଉନାହିଁ। ଜେଟର ସ୍ଥିତି ଟଳମଳ ଅବସ୍ଥାରେ ରହିଛି। ଆଗାମୀ ସପ୍ତାହରେ ଏହାର ବିମାନ ଉଡ଼ାଣ ଆହୁରି କମିପାରେ ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ ପକ୍ଷରୁ କୁହାଯାଇଛି।

ଅଂଶଧନ ବିକି କଂପାନିରୁ ଓହରିଯିବାକୁ ଚାହୁଛି ଏତିହାଦ୍
ନୂଆଦିଲ୍ଲୀ,: ଅତ୍ୟନ୍ତ ଦୁର୍ବଳ ସ୍ଥିତି ଦେଇ ଗତି କରୁଥିବା ଜେଟ୍‌ ଏୟାରୱେଜ୍‌ରେ ଥିବା ନିଜର ୨୪% ଅଂଶଧନକୁ ବିକିଦେବାକୁ ଚାହୁଛି ଆବୁଧାବିର ବିମାନ କଂପାନି ଏତିହାଦ୍ ଏୟାରୱେଜ୍। ଯଦି କଂପାନିର ଅଂଶଧନକାରୀଙ୍କ ଭିତରେ କୌଣସି ନିର୍ଦିଷ୍ଟ ନିଷ୍ପତ୍ତି ଖୁବ୍‌ଶୀଘ୍ର ନହେବ ତେବେ ଜେଟ୍‌ରୁ ଏତିହାଦ୍ ସମ୍ପୂର୍ଣ୍ଣ ଓହରିଯିବ। କମ୍ପାନି ଏହାର ସମସ୍ତ ଅଂଶଧନକୁ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ବିକ୍ରି କରିଦେବାକୁ ଯୋଜନା କରୁଛି। ଦରକାର ପଡ଼ିଲେ ରିହାତି ଦରରେ ମଧ୍ୟ କମ୍ପାନି ଅଂଶଧନକୁ ବିକି ଦେଇପାରେ। ଜେଟ୍‌ର ଭାଗ୍ୟ ନିର୍ଦ୍ଧାରଣ କରିବା ପାଇଁ ଏହାର ଅଂଶଧନକାରୀମାନେ ବିଚାରବିମର୍ଶ ଜାରି ରଖିଛନ୍ତି। ଯଦି କୌଣସି ବୁଝାମଣା ହେବ ତେବେ ଜେଟ୍‌ର ମାଲିକାନାସ୍ବତ୍ବ ଏହାକୁ ଋଣ ଦେଇଥିବା ବ୍ୟାଙ୍କ ଗୁଡ଼ିକ ହାତକୁ ଚାଲିଯିବ। କମ୍ପାନିର ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ମାଲିକାନାରେ ଜେଟ୍‌ ରହୁବୋଲି ଏତିହାଦ୍‌ ଚାହୁନାହିଁ। ବ୍ୟାଙ୍କ ଗୁଡ଼ିକ ଏହାର ଦାୟିତ୍ବ ନିଅନ୍ତୁ ବୋଲି ଏହି ବିଦେଶୀ କମ୍ପାନି ଚାହୁଛି।

କାହାର କେତେ ବିମାନ

ଇଣ୍ଡି‌ଗୋ ୨୧୩
ଏୟାର ଇଣ୍ଡିଆ ୧୨୧
ଜେଟ୍ ଏୟାରୱେଜ୍ ୧୧୯
ସ୍ପାଇସ ଜେଟ୍ ୭୬
ଗୋ ଏୟାର ୪୯
ଭିସ୍ତାରା ୨୨
ଏୟାର ଏସିଆ ଇଣ୍ଡିଆ ୨୦

ଦେଶରେ ଅଛି ମୋଟ ୬୨୦ଟି ଯାତ୍ରୀବାହୀ ବିମାନ
ଇଣ୍ଡିଗୋ ପାଖରେ ସର୍ବାଧିକ ୨୧୩ଟି ବିମାନ
ଏୟାର ଇଣ୍ଡିଆ ପାଖରେ ୧୨୧ଟି

ସମ୍ବନ୍ଧିତ ଖବର